ରାୟପୁର:ବିଭିନ୍ନ ଦାବି ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଲା ନକ୍ସଲ ସଂଗଠନ । ନକ୍ସଲଙ୍କ ପଶ୍ଚିମ-ବସ୍ତର ଡିଭିଜନ 6 ସୂତ୍ରୀ ଦାବି ପୂରଣ କରିବାକୁ କେନ୍ଦ୍ର ସରକାରଙ୍କୁ ଏହି ଚିଠି ଲେଖିଛି । ଯେଉଁଥିରେ କେନ୍ଦ୍ର ସରକାରଙ୍କ ବିବାଦୀୟ ହିଟ୍ ଆଣ୍ଡ ରନ୍ ଆଇନ୍ ପ୍ରତ୍ୟାହାର କରିବା ସହିତ ସଡ଼କ ନିର୍ମାଣରେ ଦୁର୍ନୀତି, ସଡ଼କ ନିର୍ମାଣରେ ତ୍ରୁଟି ସୁଧାରିବା, ଖରାପ ରାସ୍ତାଗୁଡ଼ିକର ତୁରନ୍ତ ମରାମତି, ଟ୍ରକ ଡ୍ରାଇଭର ଓ ସେମାନଙ୍କ ପରିବାରର ଉତ୍ତମ ସୁରକ୍ଷା ପ୍ରଦାନ କରିବା ପାଇଁ ଦାବି ହୋଇଛି । ଏହା ସହ ସଂଗଠନ ଏହି ହିଟ ଆଣ୍ଡ ରନ ଆଇନକୁ ସମ୍ପୂର୍ଣ୍ଣ ଅନ୍ୟାୟପୂର୍ଣ୍ଣ ବୋଲି ମଧ୍ୟ କହିଛି । କେନ୍ଦ୍ର ସରକାର ଯଦି ଏହାକୁ ପ୍ରତ୍ୟାହାର ନକରନ୍ତି, ତେବେ ଏହା ବିରୋଧରେ କେବଳ ଟ୍ରକ ଡ୍ରାଇଭର ସଂଘ ନୁହନ୍ତି ବରଂ ଗରିବ ଓ ସାଧାରଣ ଲୋକଙ୍କୁ ସାମିଲ ହେବାକୁ ସଂଗଠନ ଆହ୍ବାନ ମଧ୍ୟ ଦେଇଛି ।
ପ୍ରଥମ ଥର ରାସ୍ତା ନିର୍ମାଣ ନିବେଦନ:-
ଏହା ବ୍ୟତୀତ ନକ୍ସଲ ସଂଗଠନ କର୍ପୋରେଟ ହାଉସ ପାଇଁ ସରକାର ଲାଗୁ କରିଥିବା ଫାସିବାଦୀ ନୀତିକୁ ବିରୋଧ କରିବାକୁ ସାଧାରଣ ଲୋକଙ୍କୁ ଆହ୍ବାନ ଦେଇଛି । ସରକାରଙ୍କ ପିଲିସି କର୍ପୋରେଟ ହାଉସର ସ୍ବାର୍ଥରେ ବୋଲି ସଂଗଠନ କହିଛି । ଏହି ଦାବି ମଧ୍ୟରେ ଉକ୍ତ ଅଞ୍ଚଳରେ ରାସ୍ତା ନିର୍ମାଣ ଓ ଖରାପ ରାସ୍ତାର ମରାମତି ପାଇଁ ମଧ୍ୟ ନିବେଦନ ରହିଛି । ତେବେ ସବୁବେଳେ ରାସ୍ତା ଓ ଭିତ୍ତିଭୂମି ନିର୍ମାଣକୁ ବିରୋଧ କରୁଥିବା ଲାଲବାହିନୀ ପ୍ରଥମ ଥର ଏହି ନିବେଦନ ସହ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଥିବା ଚର୍ଚ୍ଚା ହେଉଛି ।