ରାଞ୍ଚି: ଝାଡ଼ଖଣ୍ଡ ପୋଲିସକୁ ମିଳିଛି ବଡ଼ ସଫଳତା । ଏନଆଇଏର ଏକ ଟିମ ସହ ମିଳିତ ଅପରେସନ ପରେ ଗିରଫ ହୋଇଛି ମୋଷ୍ଟ ୱାଣ୍ଟେଡ୍ ଦିନେଶ ଗୋପ । ମାଓ ସଂଗଠନ ପିପୁଲସ ଲିବରେସନ ଫ୍ରଣ୍ଟ୍ ଅଫ ଇଣ୍ଡିଆର ସୁପ୍ରିମୋ ହେଉଛି ଦିନେଶ । ପୋଲିସ ପାଇଁ ମୁଣ୍ଡବିନ୍ଧାର କାରଣ ସାଜିଥିବା ଦିନେଶ ଦୀର୍ଘ ଦିନ ଧରି ଫେରାର ରହିଥିଲା । ବହୁ ଖୋଜାଖୋଜି ପରେ ଶେଷରେ ନେପାଳରୁ ଗିରଫ ହୋଇଛି ଏହି କୁଖ୍ୟାତ ମାଓ ନେତା । ଗିରଫ ପରେ ଦିନେଶକୁ ପ୍ରଥମେ ନେପାଳରୁ ଦିଲ୍ଲୀ ଅଣାଯାଇଥିଲା । ପରେ ଦିଲ୍ଲୀରୁ ଟ୍ରାନଜିଟ୍ ରିମାଣ୍ଡରେ ଆଣିବାକୁ ଯୋଜନା କରିଛି ଝାଡ଼ଖଣ୍ଡ ପୋଲିସ । ବିଭିନ୍ନ ଗୋପନୀୟ ତଥ୍ୟ ଏବଂ ସ୍ଥାନ ବିଷୟରେ ଦିନେଶକୁ ଜେରା ହୋଇପାରେ ।
PLFI ମୁଖ୍ୟ ଦିନେଶ ଗୋପ ଗିରଫ, ମୋଷ୍ଟ ୱାଣ୍ଟେଡ୍ ନାଁରେ ଥିଲା ୨୫ ଲକ୍ଷ ପୁରସ୍କାର ରାଶି - ମାଓ ସଂଗଠନ ମୁଖ୍ୟ ଦିନେଶ ଗୋପ ଗିରଫ
ଏନଆଇଏର ଓ ଝାଡ଼ଖଣ୍ଡ ପୋଲିସର ମିଳିତ ଅପରେସନରେ ଗିରଫ ହୋଇଛି PLFI ମୁଖ୍ୟ ଦିନେଶ ଗୋପ । ମୋଷ୍ଟ ୱାଣ୍ଟେଡ୍ ଦିନେଶ ନାଁରେ ଥିଲା ୨୫ ଲକ୍ଷର ପୁରସ୍କାର ରାଶି । ଅଧିକ ପଢନ୍ତୁ
ଦିନେଶ ନାଁ ରେ ୨୫ଲକ୍ଷ ଟଙ୍କାର ପୁରସ୍କାର ରାଶି ଘୋଷଣା କରାଯିବା ସହ ମୋଷ୍ଟ ୱାଣ୍ଟେଡ୍ ପୋଷ୍ଟର ମଧ୍ୟ ଲଗାଇଥିଲା ପୋଲିସ । ପିଏଲଏଫଆଇ ସଂଗଠନର ଅନ୍ୟ କେତେ ଜଣ ସଦସ୍ୟଙ୍କ ନାଁ ମଧ୍ୟ ପୋଷ୍ଟରରେ ଉଲ୍ଲେଖ ରହିଥିଲା । ଏପରିକି ଦିନେଶ ଗୋପର ସମ୍ପତ୍ତି ବିବରଣୀ ସମ୍ପର୍କରେ ଯଦି କିଏ ସୂଚନା ପ୍ରଦାନ କରେ, ତେବେ ତାଙ୍କୁ ପୁରସ୍କୃତ କରାଯିବା ନେଇ ଘୋଷଣା ହୋଇଥିଲା । ତିଳକେଶ୍ବର ଓରଫ ରାଜେଶ ଗୋପ ଏବଂ ସନ୍ତୋଷ କଣ୍ଡୁଲନାଙ୍କ ଭଳି ମାଓ ନେତାଙ୍କ ନାମ ମଧ୍ୟ ଏହି ମୋଷ୍ଟ ୱାଣ୍ଟେଡ୍ ତାଲିକାରେ ଅନ୍ତର୍ଭୁକ୍ତ ରହିଛି ।
ସୂଚନା ମୁତାବକ, ୨୦୦୪ରୁ ରାଞ୍ଚି ପୋଲିସକୁ ଚାଲେଞ୍ଜ କରିଆସୁଥିଲା ଦିନେଶ । ଦୀର୍ଘ ବର୍ଷ ଧରି ଝାଡ଼ଖଣ୍ଡରେ ସକ୍ରିୟ ଥିବା ମାଓ ସଂଗଠନ ପିଏଲଏଫଆଇ ସମଗ୍ର ରାଜ୍ୟରେ ଆତଙ୍କ ରଚିଥିଲେ । ବିଭିନ୍ନ ମାଓ କାର୍ଯ୍ୟକଳାପରେ ଲିପ୍ତ ଥିବା ଦିନେଶ ନାଁରେ ଲୁଟ୍, ଠକେଇ, ବ୍ୟବସାୟୀଙ୍କୁ ଧମକଚମକ ଭଳି ଅନେକ ଅପରାଧିକ ମାମଲା ରହିଛି । ୩୦ ଜାନୁଆରୀ ୨୦୨୨ରେ ଦିନେଶର ଦୁଇ ପତ୍ନୀ ହୀରା ଦେବା ଓ ଶକୁନ୍ତଳା କୁମାରୀଙ୍କୁ ଗିରଫ କରାଯାଇଥିଲା । ହେଲେ କୁଖ୍ୟାତ ମାଓନେତା ଦିନେଶ ଗୋପକୁ ଧରିବାରେ ବିଫଳ ହୋଇଥିଲା । ଅନେକ ସମୟରେ ପୋଲିସ ହାତରୁ ଖସି ପଳାଇବାରେ ସକ୍ଷମ ହୋଇଥିବା ଦିନେଶକୁ ଶେଷରେ ଗିରଫ କରାଯାଇଛି । ପଡୋଶୀ ଦେଶ ନେପାଳରେ ସର୍ଦ୍ଦାର ବେଶରେ ଲୁଚି ରହିଥିବା ଜାଣିବାକୁ ପାଇଥିଲା ପୋଲିସ । ଖବର ପାଇ ଶନିବାର ରାତିରେ ଝାଡ଼ଖଣ୍ଡ ପୋଲିସ ଓ ଏନଆଇଏର ଏକ ଟିମ୍ ମିଳିତ ଭାବେ ଚଢ଼ାଉ କରି ଦିନେଶକୁ ଗିରଫ କରିଥିବା ଜଣାପଡିଛି ।