ରାୟପୁର:ଛତିଶଗଡରେ ପୁଣି ଲାଲବାହିନୀର ଟାର୍ଗେଟରେ ଆଉ ଜଣେ ବିଜେପି ନେତା । ଗତକାଲି (ଶୁକ୍ରବାର) ନାରାୟଣପୁର ଜିଲ୍ଲା ବିଜେପି ସଭାପତି ସାଗର ସାହୁଙ୍କୁ ଗୁଳି କରି ହତ୍ୟା କରିଥିଲେ ନକ୍ସଲ । ଆଜି ତାଙ୍କର ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଶେଷକୃତ୍ୟରେ ସାମିଲ ହୋଇଛନ୍ତି ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି ନଡ୍ଡା । ନଡ୍ଡା ମୃତ ସାଗରଙ୍କ ପରିବାରସଦସ୍ୟଙ୍କୁ ସାକ୍ଷାତ କରିବା ସହ ସାନ୍ତ୍ବନା ଦେଇଥିଲେ । ନଡ୍ଡାଙ୍କ ସହ ପ୍ରଦେଶ ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂ ମଧ୍ୟ ସାଗରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ଏହା ଗତ ଏକ ସପ୍ତାହ ମଧ୍ୟରେ ନକ୍ସଲଙ୍କ ଦ୍ବାରା ଦ୍ବିତୀୟ ବଜେପି ନେତାଙ୍କୁ ହତ୍ୟା ଘଟଣା । କାର୍ଯ୍ୟକର୍ତ୍ତାଙ୍କ ସୁରକ୍ଷାକୁ ନେଇ ବିଜେପି ମୁଖ୍ୟ ନଡ୍ଡା ଚିନ୍ତା ପ୍ରକଟ କରିଛନ୍ତି ।
ଗତ ସପ୍ତାହରେ ସ୍ଥାନୀୟ ଭାଜପା ନେତା ନୀଳକଣ୍ଠ କକେମଙ୍କୁ ଅତି ନିର୍ମମ ଭାବେ ହତ୍ୟା କରାଯାଇଥିଲା । ଜଣେ ସମ୍ପର୍କୀୟଙ୍କ ବିବାହ କାର୍ଯ୍ୟରେ ପୈତୃକ ଗ୍ରାମକୁ ଯାଇଥିବା ବେଳେ ତାଙ୍କୁ ଘର ବାହାରେ ପରିବାର ଲୋକଙ୍କ ସମ୍ମୁଖରେ ଅତି ନିର୍ମମ ଭାବେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ ନକ୍ସଲ । 15 ବର୍ଷ ଧରି ଭାରତୀୟ ଜନତା ପାର୍ଟିର କାର୍ଯ୍ୟକର୍ତ୍ତା ଭାବେ କାର୍ଯ୍ୟରତ ଥିଲେ ନୀଳକଣ୍ଠ ।