ମୁମ୍ବାଇ:ହିଂସା ରାସ୍ତା ଛାଡି ସମାଜର ମୁଖ୍ୟସ୍ରୋତରେ ସାମିଲ ହୋଇଥିଲେ । ବନ୍ଧୁକ ଛାଡ଼ି ହାତରେ କଲମ ଧରିଥିଲେ । ଆଉ ନିଷ୍ଠାର ସହିତ ପାଠ ପଢି ଶେଷରେ ନକ୍ସଲ ଯୁବତୀଙ୍କୁ ମିଳିଛି ସଫଳତା । ଗତ କିଛି ଦିନ ତଳେ ଦ୍ବାଦଶ ପରୀକ୍ଷା ଫଳ ପ୍ରକାଶ ପାଇଥିଲା । ଏଥିରେ ନକ୍ସଲରୁ ଛାତ୍ରୀ ପାଲଟିଥିବା ରଜୁଲା ହିଦାମି ୪୫.୮୩ ପ୍ରତିଶତ ରଖି ଉତ୍ତୀର୍ଣ୍ଣ ହୋଇଛନ୍ତି । ମାତ୍ର ୧୫ବର୍ଷ ବୟସରେ ତାଙ୍କ ବିରୋଧରେ ୬ଟି ସଙ୍ଗୀନ ଅପରାଧିକ ମାମଲାରେ ରହିଥିବା ବେଳେ ସେ ଏକଦା ଗଡଚିରୋଲି ଅଞ୍ଚଳରେ ଆତଙ୍କ ଖେଳାଇଥିଲେ । ଆଜି ଦ୍ବାଦଶ ପରୀକ୍ଷାରେ ସଫଳତାର ସହ ଉତ୍ତୀର୍ଣ୍ଣ ହୋଇ ଅନ୍ୟ ନକ୍ସଲଙ୍କ ପାଇଁ ପ୍ରେରଣା ପାଲଟିଛନ୍ତି ।
ରଜୁଲା ଖୁବ କମ ବୟସରୁ ଏହି ହିଂସା ଜନିତ କାର୍ଯ୍ୟରେ ଜଡ଼ିତ ଥିଲେ । ହେଲେ ପୋଲିସ ଅଫିସର ସନ୍ଦୀପ ଅତୋଲଙ୍କ ପାଇଁ ତାଙ୍କ ଜୀବନରେ ବଡ଼ ପରିବର୍ତ୍ତନ ଆସିଥିଲା । ସେ ଶେଷରେ ମାରଣାସ୍ତ୍ରକୁ ଫିଙ୍ଗିଥିଲେ । ଏହାପରେ ସେ ଆତ୍ମସମର୍ପଣ କରି ନିଜର ପାଠପଢା ଆରମ୍ଭ କରିଥିଲେ । ଆଉ ଶେଷରେ ଦ୍ବାଦଶ ପରୀକ୍ଷାରେ ଉତ୍ତୀର୍ଣ୍ଣ ମଧ୍ୟ ହୋଇଛନ୍ତି । ରଜୁଲା ଗୋଣ୍ଡିଆ ଓ ଗଡ଼ଚିରୋଲି ଅଞ୍ଚଳରେ ନକ୍ସଲବାଦୀ ଭାବେ ବେଶ ସକ୍ରିୟ ଥିଲେ । ତାଙ୍କ ବିରୋଧରେ ୬ଟି ସାଙ୍ଘାତିକ ମାମଲା ରହିଥିଲା । ଲୁଟପାଟ, ବିସ୍ଫୋରଣ ସମେତ ପୋଲିସ ଉପରେ ଗୁଳି ଚଳାଇବା ପରି ମାମଲା ତାଙ୍କ ବିରୋଧରେ ରହିଥିଲା । ଏତେ କମ ବୟସରେ ରଜୁଲା କାହିଁକି ନକ୍ସଲଙ୍କ ସହିତ ଜଡ଼ିତ ଥିଲା ସେ ନେଇ ଟେର ପାଉନଥିଲା ପୋଲିସ ।