ରାଞ୍ଚି:ଝାଡ଼ଖଣ୍ଡର ପଶ୍ଚିମ ସିଂହଭୂମ ଜିଲ୍ଲାରେ ଥମୁନି ନକ୍ସଲ ଆତଙ୍କ । ଗୋଟିଏ ପରେ ଗୋଟିଏ ନୃଶଂସ କାଣ୍ଡ ଘଟାଇ ଚାଲିଛନ୍ତି ନକ୍ସଲ ଗୋଷ୍ଠୀ । ରବିବାର ରାତି ପ୍ରାୟ 2ଟାରୁ 3ଟା ମଧ୍ୟରେ ରାଜ୍ୟର ସୋନୁଆ ଓ ଚକ୍ରଧରପୁର ସ୍ଥିତ ମୁମ୍ବାଇ-ହାୱଡା ରେଳପଥକୁ ବୋମା ବିସ୍ଫୋରଣ କରି ଉଡାଇଦେଇଛନ୍ତି ଏହି ଗୋଷ୍ଠୀ । ବିସ୍ଫୋରଣ ପରେ ସେମାନେ ସେଠାରେ ପୋଷ୍ଟର ଲଗାଇଥିବା ଦେଖିବାକୁ ମିଳିଛି ।
ଘଟଣା ସମ୍ପର୍କରେ ଖବର ପାଇବା ପରେ ଜିଲ୍ଲା ପୋଲିସ୍, ବମ୍ ଡିଟେକସନ୍ ଆଣ୍ଡ ଡିସପୋଜାଲ୍ ସ୍କ୍ବାର୍ଡ, ଆରପିଏଫ୍ ଏବଂ ରେଳ ଟ୍ରାକମ୍ୟାନଙ୍କ ଦ୍ୱାରା ମିଳିତ ଭାବରେ ପୁନରୁଦ୍ଧାର କାର୍ଯ୍ୟ ଶେଷ ହୋଇଛି । ତେବେ ଏପ୍ରିଲ 26 ତାରିଖ ତଥା ଆଜି(ସୋମବାର) କେନ୍ଦ୍ର ଓ ରାଜ୍ୟ ସରକାର ଆଦିବାସୀଙ୍କୁ ଗିରଫ କରିବା ବିରୋଧରେ ଦେଶବ୍ୟାପୀ ବନ୍ଦ ପାଇଁ ନକ୍ସଲମାନେ ଆହ୍ଵାନ ଦେଇଥିଲେ । ରେଳ ଯାତ୍ରାକୁ ବାଧା ପହଞ୍ଚାଇ ଭାରତ ବନ୍ଦ ଡାକରାକୁ ସଫଳ କରିବା ପାଇଁ ସେମାନେ ଏହି ବିସ୍ଫୋରଣ କରିଛନ୍ତି ।