ହାଇଦ୍ରାବାଦ:ଆଜି ଦେଶବ୍ୟାପୀ ପାଳିତ ହୋଇଛି ନୈସେନା ଦିବସ(ନ୍ୟାଭି-ଡେ) । ଏହି ଅବସରରେ ପୂର୍ବ ଉପକୂଳରେ ବିଶାଖାପାଟନମରେ ଥିବା ଭାରତୀୟ ନୌସେନାର ପୂର୍ବ-କମାଣରେ ବିଶାଳ ତଥା ଭବ୍ୟ ଆୟୋଜନ କାରଯାଇଛି । ଏଥିରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଛନ୍ତି । ସେହିପରି ଓଡିଶା ଉପକୂଳରେ ଥିବା ଭାରତୀୟ ନୌସେନା ଷ୍ଟେସନ ଆଇଏନଏସ ଚିଲିକା (INS Chilka)ରେ ମଧ୍ୟ ନୌସେନା ଦିବସ ପାଳନ କରାଯାଇଛି । ଏହି ଅବସରରେ ଆଇଏନଏସ ଚିଲିକା ମୁଖ୍ୟ କମାଣ୍ଡିଂ ଅଧିକାରୀ କମୋଡର ଏନ.ପି ପ୍ରଦୀପ ଆୟୋଜିତ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି ।
କମୋଡର ଏନ.ପି ପ୍ରଦୀପ ଏହି ଅବସରରେ ଓଡ଼ିଶାବାସୀଙ୍କୁ ନୌସେନା ଦିବସ ଶୁଭେଚ୍ଛା ଜଣାଇବା ଏକ ଗର୍ବର ସୌଭାଗ୍ୟ ଏବଂ ଏକ ସ୍ୱତନ୍ତ୍ର ସମ୍ମାନର ଦିନ ବୋଲି କହିଛନ୍ତି । ପ୍ରତିବର୍ଷ, 4 ଡିସେମ୍ବର ନୌସେନାର କ୍ୟାଲେଣ୍ଡରରେ ଏକ ଗୁରୁତ୍ୱପୂର୍ଣ୍ଣ ଦିନ । 1971 ଯୁଦ୍ଧରେ ଭାରତୀୟ ନୌସେନାର ଉଲ୍ଲେଖନୀୟ ପ୍ରଦର୍ଶନକୁ ନୌସେନା ଦିବସ ଭାବେ ପାଳନ କରାଯାଇ ଆସୁଛି । ଏହି ଅବସରରେ ଦେଶର ସେବାରେ ସର୍ବୋଚ୍ଚ ବଳିଦାନ ଦେଇଥିବା ଆମର ପୂର୍ବପୁରୁଷମାନଙ୍କୁ ମଧ୍ୟ ସ୍ମରଣ କରିବାର ସମୟ ଆସିଛି ବୋଲି ସେ ମତ ରଖିଥିଲେ ।
ସେହିପରି ଚଳିତବର୍ଷ ଅଗଷ୍ଟ 10 ତାରିଖରେ ଓଡ଼ିଶା ଉପକୂଳ ସୁରକ୍ଷାକୁ ସୁଦୃଢ କରିବା ପାଇଁ ଏକ ପଦକ୍ଷେପ ଭାବରେ ଉପକୂଳ ସୁରକ୍ଷା ପଞ୍ଚମ ଶୀର୍ଷ କମିଟି ସମୀକ୍ଷା ବୈଠକ (ACRM) ଆୟୋଜିତ ହୋଇଥିଲା । ଏଥିରେ ଭାଇସ-ଆଡମିରାଲ୍ ତଥା ପୂର୍ବ ନୈସେନା କମାଣ୍ଡର ଫ୍ଲାଗ୍ ଅଫିସର କମାଣ୍ଡିଂ-ଇନ-ଚିଫ ବିଶ୍ୱଜିତ୍ ଦାସଗୁପ୍ତା, ଏବଂ ଓଡିଶା ମୁଖ୍ୟ ଶାସନ ସଚିବ ତଥା ତଥା ମୁଖ୍ୟ ଉନ୍ନୟନ କମିଶନର ସୁରେଶ ମହାପାତ୍ରଙ୍କ ମିଳିତ ଅଧ୍ୟକ୍ଷତାରେ ହୋଇଥିଲା । ଏଥିରେ ଉଭୟ ରାଜ୍ୟ ସରକାର ନୌସେନାର ବହୁ ବରିଷ୍ଠ ଅଧିକାରୀ ସାମିଲ ହୋଇ ଓଡିଶା ଉପକୂଳ ସୁରକ୍ଷା ଉପରେ ବିସ୍ତିର୍ଣ୍ଣ ଆଲୋଚନା ମଧ୍ୟ କରିଥିବା କମୋଡର ଏନ.ପି ପ୍ରଦୀପ କହିଥିଲେ ।