ନୂଆଦିଲ୍ଲୀ:କତାରରେ ୮ଜଣ ପୂର୍ବତନ ଭାରତୀୟ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା । ଏନେଇ ଆଜି (ଶୁକ୍ରବାର) ପ୍ରତିକ୍ରିୟା ରଖିଛନ୍ତି ଭାରତୀୟ ନୌସେନା ମୁଖ୍ୟ ଆଡମିରାଲ ଆର ହରି କୁମାର । ସେ କହିଛନ୍ତି ଯେ କତାରରେ ଫାଶୀଦଣ୍ଡ ପାଇଥିବା ଏହି ଅଧିକାରୀମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ଜାରି ରହିଛି । ଭାରତ ସରକାର ଏଥିଲାଗି ସମସ୍ତ ପ୍ରକାର ଉଦ୍ୟମ କରୁଛନ୍ତି । ଖୁବଶୀଘ୍ର ସେମାନେ ଫେରିଆସିବେ ବୋଲି ଆଶା କରାଯାଉଛି ।
ଏନେଇ ଆଜି ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ନୌସେନା ମୁଖ୍ୟ ହରି କୁମାର କହିଛନ୍ତି, " ଆମେ ସେମାନଙ୍କ ହିତକୁ ଦୃଷ୍ଟିରେ ରଖି ଅତି ଗମ୍ଭୀରତାର ସହିତ କାମ କରୁଛୁ । ଭାରତ ସରକାର ସେମାନଙ୍କୁ ସ୍ବଦେଶ ଫେରାଇ ଆଣିବା ଲାଗି ସମସ୍ତ ପ୍ରକାର ଉଦ୍ୟମ ମଧ୍ୟ ଜାରି ରଖିଛନ୍ତି ।" ଏହି ୮ ଜଣ ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ ଇସ୍ରାଏଲ ପାଇଁ ଗୁଇନ୍ଦାଗିରି କରୁଥିବା ଅଭିଯୋଗରେ ସେମାନଙ୍କ ଫାଶୀଦଣ୍ଡ ଶୁଣାଇଥିଲା କତାରର ଏକ କୋର୍ଟ । ଏବେ ସେମାନେ କତାର ଜେଲରେ ବନ୍ଦୀ ଅଛନ୍ତି । ଏଭଳି ଖବର ଆସିବା ପରେ ଭାରତ ସରକାର ସେମାନଙ୍କର ମୁକ୍ତି ଲାଗି କତାରକୁ ଆବେଦନ କରିଥିଲେ । ତେବେ ଭାରତର ଏହି ଆବେଦନକୁ କତାର କୋର୍ଟ ଗ୍ରହଣ କରିଥିଲେ ।
ଏହା ବି ପଢନ୍ତୁ- ପୂର୍ବ ନୌସେନା ଅଧିକାରୀଙ୍କୁ ଫାଶୀଦଣ୍ଡ ଘଟଣା; ଭାରତର ଆବେଦନକୁ ଗ୍ରହଣ କଲା କତାର