ମୁମ୍ବାଇ:ହନୁମାନ ଚାଳିଶା ବିବାଦରେ ଗିରଫ ହୋଇ ଜେଲରେ ଥିବା ଅମରାବତୀ ସାଂସଦ ନବନୀତ ରାଣା ଲୋକସଭା ବାଚସ୍ପତି ଓମ ବିର୍ଲାଙ୍କୁ ଚିଠି ଲେଖି ଏକାଧିକ ସାଙ୍ଘାତିକ ଅଭିଯୋଗ ଆଣିଛନ୍ତି । ମହାରାଷ୍ଟ୍ର ପୋଲିସ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣି ନବନୀତ କହିଛନ୍ତି ଗିରଫ ପରେ ସେ ଜଣେ ଦଳିତ ସମ୍ପ୍ରଦାୟରୁ ହୋଇଥିବା କାରଣରୁ ମୁମ୍ବାଇ ପୋଲିସ ତାଙ୍କୁ ପିଇବା ପାଇଁ ପାଣି ମଧ୍ୟ ଦେଇନାହିଁ । ସାରା ରାତି ଥାନା ପରିସରରେ ତାଙ୍କୁ ଶୋଷିଲା କାଟିବାକୁ ପଡିଛି । ଶୌଚାଳୟ ବ୍ୟବହାର ଅନୁମତି ମାଗିବାରୁ ସେ ପୋଲିସ ଠାରୁ ଜାତିଗତ ନିର୍ଯାତନା ପାଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନବନୀତ ।
ଚିଠିରେ ନବନୀତ ଲେଖିଛନ୍ତି ତାଙ୍କୁ 23 ତାରିଖ ବିଳମ୍ବିତ ସନ୍ଧ୍ୟାରେ ଗିରଫ ପରେ ଖାର ଥାନାକୁ ନେଇଥିଲା ପୋଲିସ । ସାରା ରାତି ଦମ୍ପତି ଥାନା ପରିସରରେ ରହିଥିଲେ । କିନ୍ତୁ ସେ ଜଣେ ଦଳିତ ହୋଇଥିବା କାରଣରୁ ତାଙ୍କୁ ସାରା ରାତି ପିଇବା ପାଇଁ ପାଣି ଦେଇନଥିଲା ପୋଲିସ । ସେହିପରି ରାତିରେ ଥାନା ରହଣି ସମୟରେ ସେ ଶୌଚାଳୟ ବ୍ୟବହାର କରିବାକୁ ପୋଲିସକୁ କହିଥିଲେ ସଦ୍ଧା ପୋଲିସ ତାଙ୍କ କଥାକୁ ଧ୍ୟାନ ନଦେଇ ପାଲଟା ଦୁର୍ବ୍ୟବହାର କରିଥିଲା । ଥାନା ପରିସରରେ ଥିବା ଶୌଚାଳୟ ନିମ୍ନଜାତିକୁ ବ୍ୟବହାର କରିବାକୁ ଅନୁମତି ଦିଆଯାଇ ପାରିବ ନାହିଁ ବୋଲି ଜଣେ ପୋଲିସ ଅଧିକାରୀ ତାଙ୍କୁ କହିଥିବା ଚିଠିରେ ଉଲ୍ଲେଖ କରିଛନ୍ତି ନବନୀତ ।