ଓଡିଶା

odisha

ଜେଲରୁ ବାହାରି ବର୍ଷିଲେ ସିଦ୍ଧୁ, କହିଲେ କ୍ରାନ୍ତିର ନାମ ରାହୁଲ ଗାନ୍ଧୀ

By

Published : Apr 1, 2023, 9:49 PM IST

ଜେଲରୁ ବାହାରିଲେ କଂଗ୍ରେସ ନେତା ନବଜୋତ ସିିଂ ସିଦ୍ଧୁ । ବିଜେପିକୁ କହିଲେ ଏକଛତ୍ରବାଦୀ ସରକାର । ରାହୁଲ ଗାନ୍ଧୀ କ୍ରାନ୍ତି ସଦୃଶ । ଅଧିକ ପଢନ୍ତୁ

ଜେଲରୁ ବାହାରି ବର୍ଷିଲେ ସିଦ୍ଧୁ କହିଲେ, ରାହୁଲ ଗାନ୍ଧୀ କ୍ରାନ୍ତିର ନାମ
ଜେଲରୁ ବାହାରି ବର୍ଷିଲେ ସିଦ୍ଧୁ କହିଲେ, ରାହୁଲ ଗାନ୍ଧୀ କ୍ରାନ୍ତିର ନାମ

ଚଣ୍ଡିଗଡ:10 ମାସ ପରେ ଜେଲରୁ ମୁକୁଳିଛନ୍ତି ପଞ୍ଜାବ କଂଗ୍ରେସ ନେତା ନବଜୋତ ସିଂ ସିଦ୍ଧୁ । ତେବେ ସେ ଜେଲରୁ ବାହାରିବା ପରେ ଭାରତୀୟ ଜନତା ପାର୍ଟି ସରକାରକୁ ଟାର୍ଗେଟ କରିଛନ୍ତି । ଭାରତୀୟ ଜନତା ପାର୍ଟି ଓ ପ୍ରଧାନମନ୍ତ୍ରୀଙ୍କୁ ପରୋକ୍ଷ ଟାର୍ଗେଟ କରି ସିଦ୍ଧୁ କହିଛନ୍ତି, ଦେଶରେ ଏବେ ଗଣତନ୍ତ୍ର ଶିକୁଳୀରେ ବନ୍ଧା ହୋଇଛି । ଯେବେ ଯେବେ ଏକଛତ୍ରବାଦ ବଢିଛି, ସେବେ ଏକ କ୍ରାନ୍ତି ଆରମ୍ଭ ହୋଇଛି । ଏବେ ରାହୁଲ ଗାନ୍ଧୀ ଏହି କ୍ରାନ୍ତିର ନାମ ବୋଲି ସିଦ୍ଧୁ କହିଛନ୍ତି ।

ସେହିପରି ସେ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ଅଭିଯୋଗ ମଧ୍ୟ କରିଛନ୍ତି, ଆମ ଆଦମୀ ପାର୍ଟି ଶାସନରେ ଥିବା ପଞ୍ଜାବରେ କେନ୍ଦ୍ର ସରକାର ରାଷ୍ଟ୍ରପତି ଶାସନ ଲାଗୁ କରିବା ପାଇଁ ଯୋଜନା ରଖିଛି । ଶିଖ୍‌ ଉଗ୍ରବାଦୀ ନେତା ତଥା ପଳାତକ ଘୋଷିତ ଅମ୍ରିତପାଲ ସିଂ ବିରୋଧରେ ଅପରେସନ ଜାରି ରହିଥିବା ବେଳେ ସିଦ୍ଧୁଙ୍କ ଏପରି ମନ୍ତବ୍ୟକୁ ନେଇ ବିଭିନ୍ନ ଆଲୋଚନା ସୃଷ୍ଟି କରିଛି ।

ସିଦ୍ଧୁ କହିଛନ୍ତି, ‘‘ରାଜ୍ୟରେ ରାଷ୍ଟ୍ରପତି ଶାସନ ଲାଗୁ କରିବା ନେଇ ଏକ ବିଶାଳ ଷଡଯନ୍ତ୍ର ଜାରି ରହିଛି । ସେମାନେ ପଞ୍ଜାବକୁ ଦୁର୍ବଳ କରିବାରେ ଲାଗିଛନ୍ତି । ମୁଁ ସେପରି ହେବାକୁ ଦେବିନି । ରାହୁଲ ଗାନ୍ଧୀ, ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସମସ୍ତ କଂଗ୍ରେସ ନେତାଙ୍କ ସହ ମୁଁ ଚଟାଣ ପରି ଛିଡା ହୋଇଛି ।’’ ସେହିପରି ସେ ବର୍ତ୍ତମାନର ମୁଖ୍ୟମନ୍ତ୍ରୀ ଭଗଓ୍ବନ୍ତ ମାନ୍‌ଙ୍କୁ ସାନଭାଇ ବୋଲି ସମ୍ବୋଧନ କରି କହିଛନ୍ତି, ‘‘ତୁମେ କେବଳ କାଗଜରେ ସୀମିତ ଜଣେ ମୁଖ୍ୟମନ୍ତ୍ରୀ । ତୁମେ ପଞ୍ଜାବବାସୀଙ୍କୁ ବିଭିନ୍ନ କ୍ଷେତ୍ରରେ ଯାହା ପ୍ରତିଶୃତି ଦେଇଥିଲା ତାହା ଭୁଲି ସାରିଛ ।’’

ତାଙ୍କ ଜେଲରୁ ମୁକ୍ତ ହେବା ପ୍ରକ୍ରିୟା ବିଳମ୍ବ ହେବା ନେଇ ମଧ୍ୟ ସେ ସରକାରଙ୍କ ଉପରେ ବର୍ଷିଛନ୍ତି । କହିଛନ୍ତି ଗଣମାଧ୍ୟମ ପ୍ରତିନିଧି ଜେଲ୍‌ ସମ୍ମୁଖରେ ଥିବା କାରଣରୁ ତାଙ୍କୁ ନିର୍ଦ୍ଧାରିତ ସମୟରୁ ପ୍ରାୟ 8 ଘଣ୍ଟା ବିଳମ୍ବରେ ଛଡାଗଲା । ସରକାର ଗଣମାଧ୍ୟମକୁ ହଟାଇବା ପରେ ତାଙ୍କୁ ଜେଲ୍‌ରୁ ମୁକ୍ତ କରିବାକୁ ଚାହୁଁଥିଲେ ।

1988ରେ କାର ପାର୍କିଂ ବଚସାକୁ ନେଇ ସିଦ୍ଧୁ ଓ ତାଙ୍କର ଜଣେ ବନ୍ଧୁ ଅନ୍ୟଜଣେ ବୟସ୍କ ବ୍ୟକ୍ତିଙ୍କୁ ମାଡମାରି ଗୁରୁତର କରିଥିଲେ । ପରେ ତାଙ୍କର ହସ୍ପିଟାଲରେ ମୃତ୍ୟୁ ହେଇଥିଲା । ଏହି ମାମଲାରେ ସିଦ୍ଧୁ ଓ ତାଙ୍କ ବନ୍ଧୁ ଅଭିଯୁକ୍ତ ଥିଲେ । 34 ବର୍ଷ ପରେ ସିଦ୍ଧୁ ଏହି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲ ମଧ୍ୟ ଯାଇଛନ୍ତି । ହେଲେ ଏକ ବର୍ଷ କାରାଦଣ୍ଡ ଥିବା ବେଳେ ଉତ୍ତମ ତଥା ଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ନିର୍ଦ୍ଧାରିତ ସମୟର 2 ମାସ ପୂର୍ବରୁ ଆଜି ମୁକ୍ତ କରାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details