ହାଇଦ୍ରାବାଦ: ଆଜି ନବରାତ୍ରୀ ପୂଜାର ପ୍ରଥମ ଦିନ । ଆଶ୍ୱୀନ ଶୁକ୍ଳପକ୍ଷରେ ଶାରଦୀୟ ନବରାତ୍ରୀ ପୂଜା ଆରମ୍ଭ ହୋଇଥାଏ । 9 ଦିନ ଧରି ଏହି ପୂଜାର୍ଚ୍ଚନା କରାଯାଏ । ତେବେ ଚଳିତ ବର୍ଷ ଅକ୍ଟୋବର 15ରୁ ନବରାତ୍ରୀ ଆରମ୍ଭ ହୋଇଥିବା ବେଳେ 24 ଅକ୍ଟୋବରରେ ଶେଷ ହେବ । ନବରାତ୍ରର ପ୍ରଥମ ଦିନ ପ୍ରତିପଦା ତିଥିରେ ଘଟ ସ୍ଥାପନା କରିବା ସହ ମାଆ ଶୈଳପୁତ୍ରୀଙ୍କୁ ପୂଜାର୍ଚ୍ଚନାର ବିଧିବିଧାନ ରହିଛି । ଘଟ ସ୍ଥାପନାରେ କଳସ ସ୍ଥାପନ କରାଯାଏ । ଏହାପରେ ପୂଜା ଓ ବ୍ରତ ଆରମ୍ଭ କରାଯାଏ । ଏହି ଦିନରୁ ମାଆଙ୍କ ଆଗମନ ହୋଇଥାଏ ଓ ଦେବୀ ପକ୍ଷର ଆରମ୍ଭ ହୋଇଥାଏ । ବିଧି ଅନୁଯାୟୀ, ଶୈଳପୁତ୍ରୀଙ୍କ ପୂଜାର୍ଚ୍ଚନା କରିବା ଦ୍ବାରା ଭକ୍ତଙ୍କ ସମସ୍ତ ମନୋକାମନା ପୂରଣ ହୋଇଥାଏ ।
ତେବେ ଆଜି ନବରାତ୍ରୀର ପ୍ରଥମ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କୁ ଶୁଭେଚ୍ଛା ଜଣାଇଛନ୍ତି । ସେ ସୋସିଆଲ ମିଡିଆ ଏକ୍ସରେ ଏନେଇ ପୋଷ୍ଟ କରିଛନ୍ତି । ଲେଖିଛନ୍ତି,"ଦେଶବାସୀଙ୍କୁ ନବରାତ୍ରୀର ଅନେକ ଶୁଭକାମନା । ଶକ୍ତି ପ୍ରଦାୟିନୀ ମା ଦୁର୍ଗା ସମସ୍ତଙ୍କ ଜୀବନରେ ସୁଖ, ସମୃଦ୍ଧି, ସୌଭାଗ୍ୟ ଓ ଉତ୍ତମ ସ୍ବାସ୍ଥ୍ୟ ନେଇ ଆସନ୍ତୁ । ଜୟ ମାତା ଦି ।"
ପ୍ରଧାନମନ୍ତ୍ରୀ ମୋଦି ଆଉ ଏକ ପୋଷ୍ଟ କରି ଲେଖିଛନ୍ତି," ନବରାତ୍ରୀର ପ୍ରଥମ ଦିନ ମା ଶୈଳପୁତ୍ରୀଙ୍କ ଚରଣରେ କୋଟି କୋଟି ବନ୍ଦନ । ତାଙ୍କ ନିକଟରେ ପ୍ରାର୍ଥନା କରୁଛି କି, ଦେଶର ସମସ୍ତ ନାଗରିକଙ୍କୁ ଶକ୍ତି ଓ ସମୃଦ୍ଧିର ଆଶୀର୍ବାଦ ପ୍ରଦାନ କରନ୍ତୁ ।"
ଏହାମଧ୍ୟ ପଢନ୍ତୁ..Chaitra Navratri 2023: ପ୍ରଥମ ଦିନରେ ମା' ଶୈଳପୁତ୍ରୀଙ୍କ ପୂଜା
ତେବେ ପୌରାଣିକ କଥାବସ୍ତୁ ଅନୁଯାୟୀ, ପର୍ବତ ରାଜା ହିମାଳୟଙ୍କ ଝିଅ ହୋଇଥିବାରୁ ତାଙ୍କୁ ଶୈଳପୁତ୍ରୀ କୁହାଯାଏ । ପୂର୍ବ ଜନ୍ମରେ ଶୈଳପୁତ୍ରୀଙ୍କର ନାମ ସତୀ ଥିଲା ଏବଂ ସେ ଭଗବାନ ଶିବଙ୍କର ପତ୍ନୀ ଥିଲେ । ସତୀଙ୍କର ପିତା ଦକ୍ଷ ପ୍ରଜାପତି ଭଗବାନ ଶିବଙ୍କୁ ଅପମାନିତ କରିଥିଲେ । ଏହା ପରେ ସତୀ ନିଜକୁ ଅଗ୍ନିରେ ଭସ୍ମ କରିଦେଇଥିଲେ । ଏହାପରେ ପରବର୍ତ୍ତୀ ଜନ୍ମରେ ସତୀ ଶୈଳପୁତ୍ରୀ ରୂପରେ ଜନ୍ମ ନେଇଥିଲେ ଏବଂ ପୁଣି ଶିବଙ୍କୁ ବିବାହ କରିଥିଲେ ।
ଶୈଳପୁତ୍ରୀଙ୍କର ପୂଜାବିଧି: ମାଆ ଶୈଳପୁତ୍ରୀଙ୍କୁ ପୂଜା କରିବା ଆଗରୁ ଅଖଣ୍ଡ ଦୀପ ଲଗାନ୍ତୁ । ଏହାସହ ଏକ ଲାଲ ବସ୍ତ୍ର ମାଆଙ୍କ ଚରଣରେ ବାନ୍ଧନ୍ତୁ । ସର୍ବ ମଙ୍ଗଲ୍ୟେ ଶିବେ ସର୍ବାର୍ଥ ସାଧିକେ, ଶରଣନେତ୍ରଂବକେ ଗୌରୀ ନାରାୟଣୀ ନମସ୍ତୁତେ ଜପ କରନ୍ତୁ । ମାତାଙ୍କର ଏହି ରୂପ ଅତ୍ୟନ୍ତ ଶାନ୍ତ ଏବଂ ମନଲୋଭୀ ଅଟେ । ବିଶ୍ବାସ କରାଯାଏ ଯେ, ଆଜିର ଦିନରେ ଭକ୍ତ ଯେଉଁ ମାନସିକ କରେ ତାହା ପୂରଣ ହୁଏ । ମା ଶୈଳପୁତ୍ରୀଙ୍କୁ ଧଳା ରଙ୍ଗ ଅତ୍ୟନ୍ତ ପସନ୍ଦ ତେଣୁ ଆଜି ମା'ଙ୍କୁ ଧଳା ଫୁଲ ଅର୍ପଣ କରନ୍ତୁ । ଗୋଟିଏ ପାନରେ ୨୭ ପ୍ରକାର ଜିନିଷ ରଖନ୍ତୁ । ପ୍ରଥମେ ଓଁ ଶୈଳପୁତ୍ରୟେ ନମଃ ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ । ଏହାପରେ ଏକ ଲବଙ୍ଗକୁ ରଙ୍ଗ କପଡାରେ ବାନ୍ଧି ମାଆଙ୍କୁ ଅର୍ପଣ କରନ୍ତୁ । ମା'ଙ୍କୁ ମନସ୍କାମନା ମାଗିବା ବେଳେ ଆଖି ବନ୍ଦ କରି ଦୁଇହାତ ଯୋଡି ମାଗନ୍ତୁ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ