ଓଡିଶା

odisha

ETV Bharat / bharat

ନୌସେନା ପାଇଁ ଐତିହାସିକ ଦିନ ! ବିକ୍ରାନ୍ତରେ ସଫଳତାର ସହ ଲ୍ୟାଣ୍ଡିଂ ଓ ଟେକଅଫ୍ କଲା Tejas - ଭାରତୀୟ ବାୟୁସେନା

ଆଇଏନଏସ ବିକ୍ରାନ୍ତରେ ସଫଳତାର ସହ ପ୍ରଥମ ଲ୍ୟାଣ୍ଡିଂ ଓ ଟେକଅଫ କଲା ତେଜସ ଲଢୁଆ ବିମାନ । ଗତ ସେପ୍ଟେମ୍ବରରେ ବିକ୍ରାନ୍ତକୁ ନୌସେନାରେ ପ୍ରବେଶ କରାଇଥିଲେ ପ୍ରଧାନମନ୍ତ୍ରୀ । ଅଧିକ ପଢନ୍ତୁ

ବିକ୍ରାନ୍ତରେ ଲ୍ୟାଣ୍ଡିଂ ଓ ଟେକଅଫ କଲା ତେଜସ
ବିକ୍ରାନ୍ତରେ ଲ୍ୟାଣ୍ଡିଂ ଓ ଟେକଅଫ କଲା ତେଜସ

By

Published : Feb 6, 2023, 5:12 PM IST

ହାଇଦ୍ରାବାଦ:ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମିତ ଭାରତୀୟ ନୌସେନାର ପ୍ରଥମ ଏୟାରକ୍ରାଫ୍ଟ କ୍ଯାରିୟର ଆଇଏନଏସ ବିକ୍ରାନ୍ତରେ ଅବତରଣ କଲା ସ୍ବଦେଶୀ ନିର୍ମିତ ଲାଇଟ କମ୍ବାଟ ବିମାନ ତେଜସ । ହିନ୍ଦୁସ୍ଥାନ ଏରୋନେଟିକ ଲିମିଡେଟ ଦ୍ବାରା ନିର୍ମିତ ଏହି ହାଲୁକା ଲଢୁଆ ତେଜସ ଆଜି ବିକ୍ରାନ୍ତରେ ଅବତରଣ କରିବା ସହ ପୁଣି ଉଡାଣ ଭରିଛି । ଆଜି ଅଭ୍ୟାସରେ ଅଂଶଗ୍ରହଣ କରିଥିବା ବିମାନ ହେଉଛି ତେଜସ ସିରିଜ୍‌ର ଏକ ନୌସେନା ଭର୍ସନ । ଆଜିର ସଫଳ ପରୀକ୍ଷଣ ପରେ ଏହାକୁ ପ୍ରତିରକ୍ଷା କ୍ଷେତ୍ରରେ ‘ଆତ୍ମନିର୍ଭର ଭାରତ’ର ସଫଳତା ବୋଲି କୁହାଯାଉଛି । ତେବେ ଆଜି ଅବତରଣ କରିଥିବା ବିମାନଟି ଗୋଟିଏ ଇଞ୍ଜିନ ବିଶିଷ୍ଟ ଥିଲା କିନ୍ତୁ ନୌସେନା ଟୁଇନ୍-ଇଞ୍ଜିନ ବିମାନ ପାଇଁ ଲକ୍ଷ୍ୟ ରଖିଛି ।

ଆଇଏନଏସ ବିକ୍ରାନ୍ତ ହେଉଛି ଭାରତୀୟ ନୌସେନାରେ ନିୟୋଜିତ ଦ୍ବିତୀୟ ଓ ପ୍ରଥମ ସ୍ବଦେଶୀ ନିର୍ମିତ ବିମାନବାହକ ଯୁଦ୍ଧପୋତ । ଏହାକୁ ସମ୍ପୂର୍ଣ୍ଣ ସ୍ବଦେଶୀ ଜ୍ଞାନକୌଶଳରେ ନିର୍ମାଣ କରାଯାଇଛି । କେରଳର କୋଚିରେ ଥିବା ହିନ୍ଦୁସ୍ଥାନ ସିପୟାର୍ଡ ଲିମିଡେଟ ଏହାକୁ ଭାରତୀୟ ନୌସେନା ପାଇଁ ନିର୍ମାଣ କରିଛି । 2009ରେ ଏହାର ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇ ଗତବର୍ଷ ଶେଷ ହେବା ପରେ ଏକାଧିକ ପର୍ଯ୍ୟୟରେ ସି-ଟ୍ରାଏଲ ବା ସାମୁଦ୍ରିକ ପରୀକ୍ଷଣ କରାଯାଇଥିଲା । ପରେ ଏହାକୁ ଭାରାତୀୟ ହିନ୍ଦୁସ୍ଥାନ ସିପୟାର୍ଡ ଲିମିଟେଡ ନୌସେନାକୁ ହସ୍ତାନ୍ତର କରିଥିଲା । ଗତବର୍ଷ ସେପ୍ଟେମ୍ବରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ ବିଧିବଦ୍ଧ ଭାବେ ଭାରତୀୟ ନୌସେନାରେ ପ୍ରବେଶ କରାଇଥିଲେ ।

ଆଇଏନଏସ ବିକ୍ରାନ୍ତ ଏକ ବିଶାଳ ଅତ୍ୟାଧୁନିକ ଯୁଦ୍ଧପୋତ । ଏହାର ଲମ୍ବ ଦୀର୍ଘ 262 ମିଟର ହୋଇଥିବା ବେଳେ ପ୍ରସ୍ଥ 62ମିଟର ଓ ଉଚ୍ଚତା 59 ମିଟର ରହିଛି । ଏଥିରେ 2,300 କମ୍ପାଟମେଣ୍ଟ ରହିଛି । ଯେଉଁଥିରେ ପ୍ରାୟ 1700 ନୌସେନା କର୍ମଚାରୀ ଯାତ୍ରା କରିପାରିବେ । ଏହା ଏକକାଳୀନ ଦୀର୍ଘ 7,500 ନଟିକାଲ ମାଇଲସ୍‌ ପର୍ଯ୍ୟନ୍ତ ଯାତ୍ରା କରିପାରିବ । ଏହା ଗଭୀର ସମୁଦ୍ରରେ ଏକ ଅତ୍ୟାଧୁନିକ ସାମରିକ ଏୟାରବେସ ସଦୃଶ ଯେକୌଣସି ଆହ୍ବାନୁପୂର୍ଣ୍ଣ ମିଶନକୁ ସଫଳତାର ସହ ରୂପ ଦେଇପାରିବାର କ୍ଷମତା ରଖିଛି । ବିକ୍ରାନ୍ତ ଭାରତୀୟ ନୌସେନାର ସାମିଲ ହେବା ପରେ ଏବେ ନୌସେନାରେ ବିମାନବାହୀ ଯୁଦ୍ଧ ଜାହାଜ ସଂଖ୍ୟା ଦୁଇକୁ ବୃଦ୍ଧି ପାଇଛି । ପ୍ରଥମଟି ଋଷ ଠାରୁ ଆମଦାନୀ ହୋଇଥିବା ଆଇଏନଏସ ବିକ୍ରମାଦିତ୍ୟ ହୋଇଥିବା ବେଳେ ଦ୍ବିତୀୟଟି ହେଉଛି ସ୍ବଦେଶୀ ନିର୍ମିତ ସଦ୍ୟତମ ଆଇଏନଏସ ବିକ୍ରାନ୍ତ । ତେବେ ଏହା ଭାରତୀୟ ନୌସେନାରେ ସାମିଲ ହେବା ପରେ ଆଜି ପ୍ରଥମ ସ୍ବଦେଶୀ ଯୁଦ୍ଧ ବିମାନ ଏଥିରେ ସଫଳତାର ଅବତରଣ ଓ ଉଡାଣ ଭରିଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details