ନୂଆଦିଲ୍ଲୀ: ଆଜାଦୀ କା ଅମୃତ ମହୋତ୍ସବ ଅଂଶ ଭାବେ କେନ୍ଦ୍ର ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡକ୍ଟର ମନସୁଖ ମାଣ୍ଡଭୀୟ ଦେଶବ୍ୟାପୀ ସାର୍ବଜନୀନ ଟିକାକରଣ କାର୍ଯ୍ୟକ୍ରମ ଅଧୀନରେ ନ୍ୟୁମୋକୋକାଲ କଞ୍ଜୁମେଟ ଭ୍ୟାକସିନକୁ (ପିସିଭି)ଦେଶବ୍ୟାପୀ ଶୁଭାରମ୍ଭ କରିଛନ୍ତି । ବ୍ୟାପକ ଜନସଚେତନତା ସୃଷ୍ଟି ଉଦ୍ଦେଶ୍ୟରେ କେନ୍ଦ୍ରମନ୍ତ୍ରୀ ପିସିଭି ଉପରେ ଯୋଗାଯୋଗ ପ୍ୟାକେଜ ସାମଗ୍ରୀ ମଧ୍ୟ ଉନ୍ମୋଚନ କରିଛନ୍ତି । ଭବିଷ୍ୟତ ଉପକାରୀତା ଦୃଷ୍ଟିରୁ ଏହି ଯୋଗାଯୋଗ ପ୍ୟାକେଜକୁ ବିଭିନ୍ନ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳମାନେ ମଧ୍ୟ ଉପଯୋଗ କରିବେ ।
ଏହି ଦେଶବ୍ୟାପୀ ଅଭିଯାନ ଶୁଭାରମ୍ଭ କରି କେନ୍ଦ୍ରମନ୍ତ୍ରୀ କହିଛନ୍ତି ସାର୍ବଜନୀନ ବ୍ୟବହାର ନିମନ୍ତେ ପ୍ରଥମ ଥର ପାଇଁ ପିସିଭି ଦେଶରେ ଉପଲବ୍ଧ ହେବ । ସମଗ୍ର ବିଶ୍ବ ଓ ଭାରତରେ ନିମୋନିଆ ପାଞ୍ଚ ବର୍ଷରୁ କମ ବୟସ ଶିଶୁଙ୍କ ପ୍ରମୁଖ ମୃତ୍ୟୁର କାରଣ ଅଟେ । ନ୍ୟୁମୋକୋକସ ଯୋଗୁଁ ବ୍ୟାପୁଥିବା ନିମୋନିଆ ଶିଶୁମାନଙ୍କଠାରେ ଭୟଙ୍କର ସ୍ବାସ୍ଥ୍ୟ ସମସ୍ୟା ସୃଷ୍ଟି କରିଥାଏ । ଭାରତରେ ଶତକଡା ୧୬ ଭାଗ ଶିଶୁ ମୃତ୍ୟୁ ନିମୋନିଆ ଯୋଗୁଁ ହୋଇଥାଏ । ଦେଶବ୍ୟାପୀ ଏହି ପିସିଭି ଯୋଗୁଁ ଶିଶୁ ମୃତ୍ୟୁହାର ଶତକଡା ୬୦ ଭାଗ ହ୍ରାସ ପାଇବ ବୋଲି ସ୍ବାସ୍ଥ୍ୟମନ୍ତ୍ରୀ କହିଛନ୍ତି ।
ଯେ କୌଣସି ଦେଶର ଅଭିବୃଦ୍ଧି, ଉତ୍ପାଦକତା ଓ ବିକାଶରେ ସ୍ବାସ୍ଥ୍ୟ ଶିଶୁଙ୍କ ଗୁରୁତ୍ବ ଉପରେ ଆଲୋକପାତ କରି କେନ୍ଦ୍ରମନ୍ତ୍ରୀ କହିଲେ ଯେ, ‘ଶିଶୁମାନେ ଆମ ଦେଶର ଭବିଷ୍ୟତ ଓ ସେମାନଙ୍କୁ ସୁସ୍ଥ ଜୀବନ ଦେବା ଆମର ଦାୟୀତ୍ବ’ ।
ପ୍ରଧାନମନ୍ତ୍ରୀଙ୍କ ଦ୍ବାରା ଆରମ୍ଭ କରାଯାଇଥିବା ମିଶନ ଇନ୍ଦ୍ରଧନୁଶ ମଧ୍ୟ ଥିଲା ଏହିଭଳି ଏକ ପ୍ରୟାସ । ପ୍ରଧାନମନ୍ତ୍ରୀଙ୍କ ଦ୍ବାରା କୋଭିଡ-୧୯ ଟିକାକରଣ କାର୍ଯ୍ୟକ୍ରମ ‘ସବକୋ ଭ୍ୟାକସିନ, ମୁଫତ ଭ୍ୟାକସିନ’ ଦେଶବ୍ୟାପୀ ସମସ୍ତ ଯୋଗ୍ୟ ବ୍ୟକ୍ତିଙ୍କୁ ଟିକାକରଣ ସୁନିଶ୍ଚିତ କରିବା ଉଦ୍ଦେଶ୍ୟ । ପିସିଭି ଆରମ୍ଭ କରିବା ଯୋଗୁଁ ଶିଶୁ ମୃତ୍ୟୁହାର ହ୍ରାସ ସହ ଶିଶୁଙ୍କ ସ୍ବାସ୍ଥ୍ୟର ଅଭିବୃଦ୍ଧି ମଧ୍ୟ ଘଟିବ ।