ଓଡିଶା

odisha

ETV Bharat / bharat

National Press Day: ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ଗଣମାଧ୍ୟମ - ବେଙ୍ଗଲ ଗେଜେଟ

ଆଜି ଜାତୀୟ ପ୍ରେସ ଦିବସ । ପ୍ରତିବର୍ଷ ନଭେମ୍ବର ୧୬ରେ ପ୍ରେସ ଦିବସ ପାଳନ କରାଯାଇଥାଏ । ଜାଣନ୍ତୁ ସମାଜରେ ପ୍ରେସର ଭୂମିକା ବିଷୟରେ

ଆଜି ଜାତୀୟ ପ୍ରେସ ଦିବସ
ଆଜି ଜାତୀୟ ପ୍ରେସ ଦିବସ

By ETV Bharat Odisha Team

Published : Nov 16, 2023, 8:49 AM IST

ହାଇଦ୍ରାବାଦ:ସାଧାରଣ ଜନତାଙ୍କ ସ୍ବର ଗଣମାଧ୍ୟମ । ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ । ସମାଜର ଜାଗ୍ରତ ପ୍ରହରୀ । ସୁସ୍ଥ ସମାଜ ଗଠନ ଓ ବିକାଶରେ ଗଣମାଧ୍ୟମର ଭୂମିକା ଗୁରୁତ୍ବପୂର୍ଣ୍ଣ । ଆଜି ସେହି ଗଣମାଧ୍ୟମ ପାଇଁ ଦିନଟିଏ, ଜାତୀୟ ପ୍ରେସ ଦିବସ । ପ୍ରତିବର୍ଷ ନଭେମ୍ବର ୧୬ରେ ଜାତୀୟ ପ୍ରେସ ଦିବସ ପାଳନ କରାଯାଇଥାଏ । ଗଣମାଧ୍ୟମ ତଥା ଖବରର ମାନ ବଜାୟ ରଖିବା ଏବଂ କୌଣସି ବାହ୍ୟ ଶକ୍ତି ଦ୍ବାରା ପ୍ରଭାବିତ ନହେବା ପାଇଁ ୧୯୬୬ ମସିହା ଆଜିର ଦିନରେ ପ୍ରେସ କାଉନସିଲ ଅଫ୍ ଇଣ୍ଡିଆର ସ୍ଥାପନ ହୋଇଥିଲା । ତେଣୁ ଏହି ଦିନକୁ ଜାତୀୟ ପ୍ରେସ ଦିବସ ଭାବେ ପାଳନ କରାଯାଉଛି ।

ପ୍ରେସ କାଉନସିଲର ଉଦ୍ଦେଶ୍ୟ:

ପ୍ରେସ କାଉନସିଲର ମୁଖ୍ୟ ଉଦ୍ଦେଶ୍ୟ ହେଲା ଗଣମାଧ୍ୟମକୁ ସୁରକ୍ଷା ଦେବା ଓ ଖବରର ଗୁଣବତ୍ତା ଅକ୍ଷୁର୍ଣ୍ଣ ରଖିବା । ସାମ୍ବାଦିକମାନେ ଯେପରି କୌଣସି ବାହ୍ୟ ଶକ୍ତି ଚାପରେ ମୁଣ୍ଡ ନନୁଆଁଇ ଜନହିତରେ କାର୍ଯ୍ୟ କରିବେ ତାହାର ଦାୟିତ୍ୱ ନେଇଛି ପ୍ରେସ କାଉନସିଲ । ସରକାର ଓ ସାଧାରଣ ଜନତାଙ୍କ ମଧ୍ୟରେ ଗଣମାଧ୍ୟମ ହେଉଛି ସେତୁ । ତୃଣମୂଳ ସ୍ତରରେ ଲୋକଙ୍କ ସ୍ୱର ଉତ୍ଥାପନ କରିବା ହେଉ ଅବା ରାଜନେତାମାନଙ୍କର ବାର୍ତ୍ତା ସମାଜକୁ ପହଞ୍ଚାଇବାରେ ଏହା ପ୍ରମୁଖ ମାଧ୍ୟମ । ସମଗ୍ର ବିଶ୍ବରେ ଅନେକ ପ୍ରେସ୍‌ ଓ ମିଡିଆ କାର୍ଯ୍ୟ କରୁଥିଲେ ହେଁ ଭାରତୀୟ ପ୍ରେସ କାଉନସିଲ ଅନନ୍ୟ, କାରଣ ଏହା ଏକମାତ୍ର ସଂସ୍ଥା ଯାହା ପ୍ରେସକୁ ସମ୍ପୂର୍ଣ୍ଣ ସ୍ବାଧୀନତା ପ୍ରଦାନ କରେ ।

ପ୍ରେସ କାଉନସିଲ ଅଫ ଇଣ୍ଡିଆର ଇତିହାସ ବିଷୟରେ ଯଦି କହିବା, ୧୯୫୬ ମସିହାରେ ସରକାର ପ୍ରଥର ଥର ପ୍ରେସ କମିଶନ ବସାଇଥିଲେ ଏବଂ ପ୍ରେସ କାଉନସିଲ ଗଠନ ପାଇଁ ସୁପାରିଶ କରିଥିଲେ । ଯାହା ଏକ ଦଶନ୍ଧି ପରେ ୧୯୬୬ରେ ଗଠନ କରାଯାଇଥିଲା । ଭାରତରେ ୧୯୬୬ ମସିହା ଅଗଷ୍ଟ ୪ ତାରିଖରେ ପ୍ରେସ କାଉନସିଲ ଗଠନ ହୋଇଥିଲା ଏବଂ ସେହିବର୍ଷ ନଭେମ୍ବର ୧୬ରେ ଏହା ବିଧିବଦ୍ଧ ଭାବେ କାର୍ଯ୍ୟ କରିବା ଆରମ୍ଭ କରିଥିଲା । ତେଣୁ ନଭେମ୍ବର ୧୬କୁ ଜାତୀୟ ପ୍ରେସ ଦିବସ ରୂପେ ପାଳନ କରାଯାଏ । ଯଦି କୌଣସି ବ୍ୟକ୍ତିଙ୍କୁ ଖବରକୁ ନେଇ ଆପତ୍ତି ଥାଏ ତେବେ ସେ ପ୍ରେସ କାଉନସିଲ ନିକଟରେ ଅଭିଯୋଗ କରିପାରିବେ ।

ଦେଶର ପ୍ରଥମ ସମ୍ବାଦପତ୍ର:

ଦେଶର ପ୍ରଥମ ସମ୍ବାଦପତ୍ର ବେଙ୍ଗଲ ଗେଜେଟ । ଏହା ୧୭୮୦ ମସିହାରେ ଜେମ୍ସ ଅଗଷ୍ଟସ ହିକିଙ୍କ ଦ୍ବାରା ପ୍ରକାଶ ପାଇଥିଲା । ସେବେଠାରୁ ଭାରତରେ ସମ୍ବାଦପତ୍ରର ଦୀର୍ଘ ଓ ଗୌରବଶାଳୀ ଇତିହାସ ରହିଆସିଛି । ବ୍ରିଟିଶ ଶାସନ କାଳରେ ଜନସାଧାରଣଙ୍କୁ ଜାଗ୍ରତ କରିବା ଏବଂ ସେମାନଙ୍କ ସ୍ବର ଉତ୍ଥାପନ କରିବାରେ ସମ୍ବାଦପତ୍ର ଗୁରୁତ୍ବପୂର୍ଣ୍ଣ ଭୂମିକା ନିର୍ବାହ କରିଥିଲା ।

ପ୍ରଥମ ଓଡ଼ିଆ ଖବରକାଗଜ ଉତ୍କଳ ଦୀପିକା:

ଓଡ଼ିଶାରେ ପ୍ରଥମ ଖବରକାଗଜ ଭାବେ ୧୮୬୬ ଅଗଷ୍ଟ ୬ରେ ଉତ୍କଳ ଦୀପିକା ଆରମ୍ଭ ହୋଇଥିଲା । ଗୌରୀ ଶଙ୍କର ରାୟ ପ୍ରଥମ ସାପ୍ତାହିକ ଓଡି଼ଆ ଖବରକାଗଜ ଉତ୍କଳ ଦୀପିକାକୁ କଟକ ପ୍ରିଣ୍ଟିଂ କମ୍ପାନୀ ପ୍ରେସରୁ ପ୍ରକାଶିତ କରିଥିଲେ । ତତ୍କାଳୀନ ଆୟକର କମିଶନର ତଥା ରେଭେନ୍ସା କଲେଜର ପ୍ରତିଷ୍ଠାତା ଟି.ଇ ରେଭେନ୍ସା ଏବଂ ବିଚିତ୍ରାନନ୍ଦ ଦାସଙ୍କ ସହାୟତାରେ ଏହାକୁ ପ୍ରକାଶ କରାଯାଇଥିଲା । ପରେ ପରେ ଓଡ଼ିଶାରେ ଅନେକଗୁଡିଏ ଖବରକାଗଜ ଓ ଟେଲିଭିଜନର ଅଦ୍ଭୁଦୟ ହୋଇଥିଲା । ୨୦୦୨ରେ ଇଟିଭି ଓଡିଆରେ ପ୍ରସାରଣ ଆରମ୍ଭ କଲା, ଯାହାକି ଓଡ଼ିଶାର ପ୍ରଥମ ଘରୋଇ ସାଟେଲାଇଟ ଚ୍ୟାନେଲ ଥିଲା । ସମ୍ପ୍ରତି ଯୁବପିଢି ଖବରକାଗଜ, ଟେଲିଭିଜନ ବ୍ୟତୀତ ଅଧିକ ୱେବ ସାମ୍ବାଦିକତା ଦିଗରେ ଆଗ୍ରହ ପ୍ରକାଶ କରୁଛନ୍ତି । ଫଳରେ ଛତୁ ଫୁଟିବା ପରେ ଅନେକ ୱେବ୍‌ ଚ୍ୟାନେଲ ଗଢି ଉଠୁଛି ।

ABOUT THE AUTHOR

...view details