ସିମଲା:ହିମାଚଳ ପ୍ରଦେଶର ଉଚ୍ଚ ଭାଗରେ ରବିବାର ବିଳମ୍ବିତ ରାତ୍ରିରେ ବରଫପାତ ହୋଇଛି । ଫଳରେ ରାଜ୍ୟର ବିଭିନ୍ନ ଅଞ୍ଚଳରେ 5 ଇଞ୍ଚ ଉଚ୍ଚର ବରଫ ଗଦା ହୋଇଥିବା ଯୋଗୁଁ 5 ନମ୍ବର ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି ।
ସିମଲାରେ ବରଫପାତ ପାଇଁ 5ମ ଜାତୀୟ ରାଜପଥ ବନ୍ଦ ରାଜ୍ୟରେ ପୁଣି ପାଣିପାଗରେ ପରବର୍ତ୍ତନ ଆସିଛି । ରାଜ୍ୟର ଉଚ୍ଚ ଭାଗରେ ବରଫପାତ ହେବା ଯୋଗୁଁ ତାପମାତ୍ରା କମିଛି । ତେବେ ରାଜଧାନୀ ସିମଲାର ଉପରି ଭାଗର ଠିୟୋଗ, କୁଫରୀ, ନାରକଣ୍ଡା ଓ ଖଡାପଥର ଆଦି ଅଞ୍ଚଳରେ ହୋଇଥିବା ବରଫପାତ ଚଳିତ ବର୍ଷର ପ୍ରଥମ ବରଫପାତ ରହିଥିଲା । ରାଜ୍ୟର ଏପରି ପାଣିପାଗ ପରିବର୍ତ୍ତନ ସହିତ ବରଫପାତକୁ ଖ୍ରୀଷ୍ଟମାସ ଓ ନୂଆବର୍ଷ ପାଳିବାକୁ ଆସିଥିବା ପର୍ଯ୍ୟଟକମାନେ ଭରପୂର ଉପଭୋଗ କରିଛନ୍ତି ।
ପର୍ଯ୍ୟଟନସ୍ଥଳୀ କୁଫରୀରେ ବରଫପାତ ଯୋଗୁଁ 5 ଇଞ୍ଚ ଉଚ୍ଚର ବରଫ ଜମି ରହିଥିବାବେଳେ ନାରକଣ୍ଡାରେ 3 ଇଞ୍ଚ, ଠିୟୋଗରେ 4 ଇଞ୍ଚ ଉଚ୍ଚର ବରଫ ରାସ୍ତାରେ ଜମା ହୋଇ ରହିଛି । ଏଥିଲାଗି 5 ନମ୍ବର ଜାତୀୟ ରାଜପଥକୁ ବନ୍ଦ ରଖାଯାଇଛି । ତେବେ ବରଫପାତ ଯୋଗୁଁ ଗାଡି ଚାଲିବା ସମୟରେ ଚକା ଖସିବାର ଆଶଙ୍କା ଥିବାରୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଯାନବାହନ ଚଳାଇବା ପାଇଁ ଲୋକଙ୍କୁ ବାରଣ କରାଯାଇଥିବାବେଳେ ବରଫ ହଟାଇବା ପ୍ରକ୍ରିୟା ଜାରି ରହିଛି ।
ତେବେ ରାଜ୍ୟରେ ହୋଇଥିବା ଏହି ବରଫପାତ ଚାଷୀମାନଙ୍କ ପାଇଁ ଉପଯୋଗୀ ରହିଛି । ବରଫପାତ ଫଳରେ ସେଓ ଗଛରେ ସୃଷ୍ଟି ହୋଇଥିବା ରୋଗ ନାଶ ହୋଇଥାଏ । କେଲାଙ୍ଗ ଅଞ୍ଚଳରେ ତାପମାତ୍ରା -11.6 ଡିଗ୍ରୀ ରେକର୍ଡ କରାଯାଇଥିବାବେଳେ ଏହା ରାଜ୍ୟର ସବୁଠୁ ଥଣ୍ଡା ସହର ବୋଲି ସିମଲାର ପାଣିପାଗ ବିଭାଗର ନିର୍ଦ୍ଦେଶକ ମନମୋହନ ସିଂହ କହିଛନ୍ତି । ସେହିପରି କିନ୍ନୌର ଜିଲ୍ଲାର କଲ୍ପା ଅଞ୍ଚଳ ଓ କୁଲ୍ଲୁ ଜିଲ୍ଲାର ମନାଲୀରେ ତାପମାତ୍ରା ଯଥାକ୍ରମେ -3.4 ଡିଗ୍ରୀ ଓ -0.6 ଡିଗ୍ରୀ ରେକର୍ଡ କରାଯାଇଛି ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ