ନୂଆଦିଲ୍ଲୀ:ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ଦ୍ବାରା ଜେରାର ସମ୍ମୁଖୀନ ହେବାକୁ ଯାଉଥିବା କଂଗ୍ରେସ ଅନ୍ତରୀଣ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କ କ୍ଷେତ୍ରରେ ପୁଅ ରାହୁଲଙ୍କୁ ପଚରାଯାଇଥିବା ସମାନ ପ୍ରଶ୍ନ ଦୋହରାଇ ପାରେ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ଏନେଇ ବିଶେଷ ସୂତ୍ରରୁ ସୂଚନା ମିଳିଛି । ରାହୁଲ ଗାନ୍ଧୀଙ୍କୁ 5 ଦିନ ଧରି ମାରାଥନ ଜେରା କରିଥିଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ମା‘ ତଥା ପାର୍ଟି ମୁଖ୍ୟ ସୋନିଆ ଗାନ୍ଧୀ ମଧ୍ୟ ସମନ ପାଇଥିଲେ ସୁଦ୍ଧା କୋଭିଡ ଆକ୍ରାନ୍ତ ହେବା କାରଣରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ହସ୍ପିଟାଲରୁ ଡିସଚାର୍ଜ ହେବା ପରେ ସମ୍ପୂର୍ଣ୍ଣ ସୁସ୍ଥ ହେବା ପର୍ଯ୍ୟନ୍ତ ତଦନ୍ତକାରୀ ସଂସ୍ଥାକୁ ସମୟ ମାଗିଛନ୍ତି ସୋନିଆ । ଆସନ୍ତା ମାସ (ଜୁଲାଇ) ମଧ୍ୟଭାଗରେ ସୋନିଆଙ୍କୁ ଜେରା ପାଇଁ ଡାକିଛି ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ । ନ୍ୟାସନାଲ ହେରାଲ୍ଡ ମାମଲାରେ ଉଭୟ ସୋନଆ ଓ ରାହୁଲଙ୍କୁ ଜେରା ପାଇଁ ହାଜର ହେବାକୁୁ ତଦନ୍ତକାରୀ ସଂସ୍ଥା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଥିଲା ।