ଓଡିଶା

odisha

37ତମ ଜାତୀୟ କ୍ରୀଡ଼ା ଉଦଘାଟିତ: 'ନ୍ୟାସନାଲ୍‌ ଗେମ୍ସ ଯୁବ ଖେଳାଳିଙ୍କ ପାଇଁ ମଜଭୁତ ଲଞ୍ଚ ପ୍ୟାଡ'

By ETV Bharat Odisha Team

Published : Oct 27, 2023, 10:25 AM IST

Updated : Oct 27, 2023, 10:39 AM IST

ଗୋଆର ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ 37ତମ ଜାତୀୟ କ୍ରୀଡ଼ାର ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଦେଶରୁ 10 ହଜାର ଆଥଲେଟ ଏହି କ୍ରୀଡାରେ ଅଂଶ ଗ୍ରହଣ କରିଛନ୍ତି । ଅଧିକ ପଢନ୍ତୁ

PM Modi attends National Games inaugural event
37ତମ ଜାତୀୟ କ୍ରୀଡାର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ

37ତମ ଜାତୀୟ କ୍ରୀଡା ଉଦଘାଟିତ

ପାନାଜୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୋଆରେ 37ତମ ଜାତୀୟ କ୍ରୀଡାର ଉଦଘାଟନ କରିଛନ୍ତି । ପଣ୍ଡିତ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଜାତୀୟ କ୍ରୀଡାର 37ତମ ସଂସ୍କରଣକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ । ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ନ୍ୟାସନାଲ ଗେମ୍ସର ଶୁଭାରମ୍ଭ ହୋଇଛି । ଏହା ନଭେମ୍ବର 9 ତାରିଖ ଯାଏଁ ଚାଲିବ । ଏଥିରେ ଦେଶରୁ ପ୍ରାୟ 10 ହଜାରରୁ ଅଧିକ ଆଥଲେଟ୍‌ ଅଂଶଗ୍ରହଣ କରିଛନ୍ତି । ନ୍ୟାସନାଲ୍‌ ଗେମ୍ସକୁ ଉଦଘାଟନ କରିବା ସହିତ ଏହି କାର୍ଯ୍ୟକ୍ରମକୁ ସମ୍ୱୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ।

ଜାତୀୟ କ୍ରୀଡାର ଉଦଘାଟନୀ କାର୍ଯ୍ୟକ୍ରମକୁ ସମ୍ବୋଧନ କରି ପ୍ରଧାନମନ୍ତ୍ରୀ କହିଛନ୍ତି,"ଆଗରୁ ଲୋକେ ଖେଳକୁ ସେତେଟା ଗୁରୁତ୍ବ ଦେଉନଥିଲେ । ଏପିରିକି ଖେଳ ପାଇଁ କାହିଁକି ଟଙ୍କା ଖର୍ଚ୍ଚ କରିବୁ ବୋଲି ପ୍ରଶ୍ନ କରୁଥିଲେ । ହେଲେ ଗତ 9 ବର୍ଷ ଭିତରେ ଆମେ ଖେଳ ବଜେଟକୁ ପ୍ରାୟ 3 ଗୁଣା ବଢାଇଛୁ । ଏହାକୁ ଅଗ୍ରାଧିକାର ଦେଉଛୁ । ଭାରତରେ ପ୍ରତିଭାର ଅଭାବ ନାହିଁ । କେବଳ ଯାହା ପ୍ରୋତ୍ସାହନ ଦରକାର । ସ୍କୁଲ୍‌, କଲେଜ୍‌ ଓ ୟୁନିଭର୍ସିଟିରେ ପ୍ରତିଭାବାନ ଖେଳାଳିଙ୍କୁ ଚିହ୍ନଟ କରାଯାଉଛି । ସେମାନଙ୍କ ଟ୍ରେନିଂ ଓ ଡାଏଟ୍‌ ଉପରେ ବିପୁଳ ଅର୍ଥ ବ୍ୟୟ କରାଯାଉଛି । ଏହାର ପ୍ରଭାର ଆଜି ପୁରା ଦେଶରେ ଦେଖିବାକୁ ମିଳୁଛି । ଗାଁରେ କ୍ରୀଡା ପ୍ରତିଭାଙ୍କର ଅଭାବ ନାହିଁ । ଛୋଟ ସହରରୁ ହିଁ ଚମ୍ପିଆନ କ୍ରୀଡ଼ାବିତ ଜନ୍ମ ନିଅନ୍ତି । ଇତିହାସରେ ଏହାର ଅନେକ ଦୃଷ୍ଟାନ୍ତ ରହିଛି । ଏହି ରାଷ୍ଟ୍ରୀୟ ଖେଳ ଏମିତି ସମୟରେ ହେଉଛି ଯେବେ ଖେଳ ଜଗତ ଗୋଟିଏ ପରେ ଗୋଟିଏ ସଫଳତାର ଶିଖର ଛୁଇଁଛି । 70 ବର୍ଷରେ ଯାହା ହୋଇନଥିଲା ଏସୀୟ କ୍ରୀଡା ତାହା ହୋଇଛି । ଏସିଆନ ପାରା ଗେମ୍ସରେ କ୍ରୀଡ଼ାବିତ କମାଲ କରିଛନ୍ତି । ନ୍ୟାସନାଲ ଗେମ୍ସ ସମସ୍ତ ଯୁବଗୋଷ୍ଠୀ ଖେଳାଳିଙ୍କ ପାଇଁ ଏକ ମଜଭୁତ ଲଞ୍ଚ୍‌ ପ୍ୟାଡ୍‌ । ଭାରତର ସଫଳ କ୍ରୀଡ଼ା କାହାଣୀ ଭାରତର ସଫଳତାଠୁ ଅଲଗା ନୁହେଁ । ଭାରତ ଆଜି ସବୁ କ୍ଷେତ୍ରରେ ଆଗକୁ ବଢ଼ୁଛି । କୌଣସି ଦେଶରେ କ୍ରୀଡ଼ା କ୍ଷେତ୍ରରେ ପ୍ରଗତି ସେହି ଦେଶର ଆର୍ଥିକ ବିକାଶ ସହିତ ସିଧାସଳଖ ସମ୍ପର୍କ ସହିତ ଯୋଡ଼ି ହୋଇଥାଏ ।"

ଏହା ସହିତ 2036 ଅଲିମ୍ପିକ୍ସ ଆୟୋଜନ ସମ୍ପର୍କରେ ପ୍ରଧାନମନ୍ତ୍ରୀ କହିଛନ୍ତି,"ଭାରତ 2030ରେ ୟୁଥ୍‌ ଅଲମ୍ପିକ୍ସ ଓ 2036ରେ ସମର ଅଲମ୍ପିକ୍ସ ଆୟୋଜନ ଲାଗି ପ୍ରସ୍ତୁତ ଥିବା ମୁଁ ଆଇଓସି ସମ୍ମିଳନୀରେ କହିଥିଲି । ଏହି ନ୍ୟାସନାଲ ଗେମ୍ସ ସମସ୍ତ ଯୁବଗୋଷ୍ଠୀ ଓ ଖେଳାଳିଙ୍କ ପାଇଁ ଅବସର ଆଣିବ । ସମସ୍ତଙ୍କୁ ଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ହେବ । ପୁରୁଣା ରେକର୍ଡ ଭାଙ୍ଗି ସଫଳତା ହାସଲ କରନ୍ତୁ । ମୋର ଶୁଭକାମନା ଆପଣମାନଙ୍କ ସହ ରହିଛି । 2014 ପରଠୁ ଆମେ କ୍ରୀଡ଼ା କ୍ଷେତ୍ରରେ ପରିବର୍ତ୍ତନ ଆଣିଛୁ । କ୍ରୀଡ଼ାବିତ୍‌ଙ୍କ ଚୟନ ପ୍ରକ୍ରିୟାରେ ପାରଦର୍ଶିତା ଆସିଛି । କ୍ରୀଡ଼ାବିତ୍‌ଙ୍କୁ ଆର୍ଥିକ ସହାୟତା ପ୍ରଦାନ କରିଛୁ । ସରକାର ପ୍ରତିଭା ଖୋଜିବା ସହିତ ତାଙ୍କ ହ୍ୟାଣ୍ଡ୍‌ ହୋଲ୍ଡିଂ କରି ଅଲମ୍ପିକ୍ସ ମୈଦାନରେ ପହଞ୍ଚାଇବାକୁ ରୋଡମ୍ୟାପ୍‌ ପ୍ରସ୍ତୁତ କରିଛୁ । ଆମ ସରକାର ସ୍ପୋର୍ଟ୍ସ ବଜେଟ୍‌ ବଢାଇଛନ୍ତି । ଖୋଲେ ଇଣ୍ଡିଆରୁ ନେଇ ଟପ ସ୍କିମ୍‌ ସହ ଦେଶରେ ଖେଳାଳିଙ୍କୁ ଆଗକୁ ବଢ଼ାଇବାକୁ ନୂଆ ଇକୋସିଷ୍ଟମ୍‌ ବନାଇଛନ୍ତି ।"

ପ୍ରଧାନମନ୍ତ୍ରୀ ଆହରୁ କହିଛନ୍ତି, ଆଜି ଭାରତର ଯୁବାଗୋଷ୍ଠୀଙ୍କ ମଧ୍ୟରେ ଅଦ୍ଭୂଦ ପୂର୍ବ ଆତ୍ମବିଶ୍ବାସ ଭରି ରହିଛି । ଭାରତ ଆଜି ସବୁ କ୍ଷେତ୍ରରେ ଆଗକୁ ବଢୁଛି । ଭାରତର ସ୍ପିଡ୍‌ ଓ ସ୍କେଲ୍‌କୁ ମୁକାବିଲା କରିବା ଆଜି ମୁସ୍କିଲ୍‌ । ଆମ ସରକାର ସମାଜର ମାନସିକତାକୁ ବଦଳାଇଛି । ଆଜି ସମସ୍ତେ ବିକଶିତ ଭାରତର ସ୍ବପ୍ନ ସାକାରରେ ଲାଗିଛନ୍ତି ଏଥିରେ ଭରାତୀୟ ଯୁବାଗୋଷ୍ଠୀର ହାତ ରହିଛି ।"

ଏହା ବି ପଢନ୍ତୁ...Asian Para Games: ପୂର୍ବ ରେକର୍ଡ ଭାଙ୍ଗି ଇତିହାସ ରଚିଲା ଭାରତ, ପଦକ ସଂଖ୍ୟା 73ରେ ପହଞ୍ଚିଲା

ଗୋଆରେ ଆରମ୍ଭ ହୋଇଥିବା 37ତମ ଜାତୀୟ କ୍ରୀଡ଼ା ନଭେମ୍ବର 9 ତାରିଖ ଯାଏଁ ଚାଲିବ । ଦେଶରୁ 10 ହଜାରରୁ ଅଧିକ ଆଥଲେଟ ଏଥିରେ ଅଂଶ ଗ୍ରହଣ କରିଛନ୍ତି । 43ଟି ଇଭେଣ୍ଟରେ 28ଟି ଭେନ୍ୟୁରେ ସମସ୍ତ ଇଭେଣ୍ଟ୍‌ ଆୟୋଜିତ ହେବ । ନ୍ୟାସନାଲ ଗେମ୍ସରେ ଖୋ ଖୋ, ଯୋଗାସନ ଏବଂ ମାଇଲଖମ୍ବୁ ଭଳି କ୍ରୀଡାକୁ ପ୍ରଥମ ଥର ପାଇଁ ସ୍ଥାନ ମିଳିଛି । ଏହି ଉଦଘାଟନୀ ସମାରୋହରେ ଗୋଆ ମୁଖ୍ୟମନ୍ତ୍ରୀ ପ୍ରମୋଦ ସାୱନ୍ତ, ରାଜ୍ୟପାଳ ପିଏଲ ଶ୍ରୀଧରନ ପିଲାଇ, କେନ୍ଦ୍ର କ୍ରୀଡାମନ୍ତ୍ରୀ ଅନୁରାଗ ଠାକୁର, ଭାରତୀୟ ଅଲମ୍ପିକ ସଂଘ ସଭାପତି ପିଟି ଉଷା ଓ ଭାରତୀୟ ହକି ଦଳର ଅଧିନାୟକ ହର୍ମନପ୍ରୀତ ସିଂହ ପ୍ରମୁଖ ଉପସ୍ଥିତ ଥିଲେ ।

Last Updated : Oct 27, 2023, 10:39 AM IST

ABOUT THE AUTHOR

...view details