ନୂଆଦିଲ୍ଲୀ:ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦ୍ବାରା ନବନିର୍ମିତ ସଂସଦ ଭବନ ଉପରେ ଉନ୍ମୋଚିତ ଅଶୋକସ୍ତମ୍ଭକୁ ନେଇ ରାଜନୀତି ଜୋର ଧରିଛି । ପୂର୍ବରୁ ଜାତୀୟ ପ୍ରତୀକ ଅଶୋକସ୍ତମ୍ଭରେ ଥିବା ସିଂହଗୁଡିକ ଅତି ଶାନ୍ତ ସ୍ବଭାବର ଦେଖାଯାଉଥିଲେ । କିନ୍ତୁ ନୂଆ ଅଶୋକସ୍ତମ୍ଭର ସିଂହଗୁଡିକ ହିଂସ୍ର ଏବଂ ଆକ୍ରମଣାତ୍ମକ ଦେଖାଯାଉଛନ୍ତି । ଦୁଇ ଅଶୋକସ୍ତମ୍ଭର ସିଂହଗୁଡିକ ମଧ୍ୟରେ ଖୁବ୍ ପାର୍ଥକ୍ୟ ରହିଛି ବୋଲି ବିରୋଧୀ ଅଭିଯୋଗ କରିଛନ୍ତି । ତେଣୁ ଏହାକୁ ତୁରନ୍ତ ବଦଳାଇବାକୁ ସେମାନେ ଦାବି କରିଛନ୍ତି ।
ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମଇତ୍ର ଅଭିଯୋଗ କରିଛନ୍ତି, ''ବର୍ତ୍ତମାନ ନିର୍ମିତ ସିଂହଗୁଡିକର ମୁଦ୍ରା ସମ୍ରାଟ ଅଶୋକଙ୍କ ଦ୍ବାରା ପ୍ରତିଷ୍ଠା ହୋଇଥିବା ସିଂହଙ୍କ ମୁଦ୍ରା ଠାରୁ ଭିନ୍ନ ଅଟେ । ବର୍ତ୍ତମାନର ସିଂହ ଆକ୍ରମଣାତ୍ମକ ମୁଦ୍ରାରେ ତିଆରି କରାଯାଇଛି ।'' ଏହାକୁ ନେଇ ମହୁଆ ଟ୍ବିଟ୍ କରିଛନ୍ତି, ସତ କହିବାକୁ ଗଲେ ଆମେ ସତ୍ୟମେବ ଜୟତେରୁ ସିଂହମେବ ଜୟତେ ଯାଏଁ ପହଞ୍ଚି ଯାଇଛୁ ।