ଗତ ଦଶକ ମଧ୍ୟରେ ଏହି ମଶାବାହିତ ସଂକ୍ରାମକ ରୋଗ ମାମଲାରେ ଉଦବେଗଜନକ ଭାବେ ବୃଦ୍ଧି ଘଟିଛି । ଗତ ଦୁଇ ଦଶକରେ ଡେଙ୍ଗୁ ମାମଲା ୮ ଗୁଣ ବଢିଛି ବୋଲି ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ଏକ ହିସାବରୁ ଜଣାପଡିଛି । ୨୦୦୦ ମସିହାରେ ୫, ୦୫, ୪୩୦ଟି ମାମଲାରୁ ୨୦୧୦ରେ ଏହି ସଂଖ୍ୟା ୨ ଦଶମିକ ୪ ମିଲିଅନରୁ ଅଧିକ ହୋଇଥିଲା । ୨୦୧୯ରେ ଡେଙ୍ଗୁ ମାମଲା ୪ ଦଶମିକ ୨ ମିଲିଅନ ରହିଛି । ୨୦୦୦ରୁ ୨୦୧୫ ମସିହା ମଧ୍ୟରେ ଡେଙ୍ଗୁ ମୃତ୍ୟୁ ସଂଖ୍ୟା ମଧ୍ୟ ବଢିବା ଲକ୍ଷ୍ୟ କରାଯାଇଛି । ୯୬୦ରୁ ୪ ହଜାର ୩୨ରେ ପହଂଚିଛି ମୃତ୍ୟୁ ସଂଖ୍ୟା । ବିଶ୍ୱର ୧୦୦ଟି ଦେଶ ଡେଙ୍ଗୁ ଦ୍ୱାରା ପ୍ରଭାବିତ ହୋଇଥିଲେ ମଧ୍ୟ ଏସିଆ ମହାଦେଶରେ ଏହା ହାର ଅଧିକ । ବିଶ୍ୱର ୭୦ ପ୍ରତିଶତରୁ ଅଧିକ ଡେଙ୍ଗୁ ରୋଗୀ ଏସିଆ ମହାଦେଶର ହୋଇଥାଆନ୍ତି ।
ଡେଙ୍ଗୁ ଓ ଏହାର ଲକ୍ଷଣ
ଡେଙ୍ଗୁ ହେଉଛି ଏକ ଭାଇରାଲ ସଂକ୍ରମଣ, ଯାହା କି ସାଧାରଣତଃ ଆଡିସ ପ୍ରଜାତିର ମଶାଙ୍କ ଦ୍ୱାରା ବ୍ୟାପିଥାଏ । ଏ ପ୍ରକାର ସଂକ୍ରମିତ ମଶା କାମୁଡିଲେ ଭାଇରସ ସଂକ୍ରମଣ ହୁଏ । ଆମ ଦେଶରେ ବର୍ଷା ଋତୁ ଆରମ୍ଭ ହୋଇଗଲା ମାତ୍ରରେ ଡେଙ୍ଗୁ ବ୍ୟାପେ । ଡିଇଏନଭି-୧, ଡିଇଏନଭି-୨, ଡିଇଏନଭି-୩ ଓ ଡିଇଏନଭି-୪ – ଏହି ଚାରି ପ୍ରକାର ଭାଇରସ ଡେଙ୍ଗୁ ବ୍ୟାପିବାର ମୁଖ୍ୟ କାରଣ । ସଂକ୍ରମିତ ଲୋକର ରକ୍ତରେ ଡେଙ୍ଗୁ ଭାଇରସ ବ୍ୟାପିଥାଏ । ଡେଙ୍ଗୁର ଲକ୍ଷଣ ସାମାନ୍ୟରୁ ଗୁରୁତର ଓ ଅତି ଗୁରୁତର ହୋଇଥାଏ । ସଂକ୍ରମଣ ମରଣାନ୍ତକ ବି ହୋଇପାରେ । ମଶା କାମୁଡିବାର ୪ରୁ ୧୦ ଦିନ ମଧ୍ୟରେ ଲକ୍ଷଣ ଦେଖାଯାଏ । ସାମାନ୍ୟ ଡେଙ୍ଗୁର ଲକ୍ଷଣ ଫ୍ଲୁ ର ଲକ୍ଷଣ ସଦୃଶ ହୋଇଥାଏ । ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ଅନୁସାରେ ସାମାନ୍ୟ ଡେଙ୍ଗୁର ଲକ୍ଷଣଗୁଡିକ ହେଲା –
- ଜ୍ୱର
-ମୁଣ୍ଡବ୍ୟଥା
- ଆଖି ପଛରେ ଯନ୍ତ୍ରଣା
-ମାଂସପେଶୀ ଓ ଗଣ୍ଠି ଯନ୍ତ୍ରଣା
-ଅସୁସ୍ଥତା, ବାନ୍ତି
-ରାସ୍
-ଅତିଶୟ କ୍ଲାନ୍ତ
ସେଂଟର ଫର୍ ଡିଜିଜ୍ କଂଟ୍ରୋଲ ଆଣ୍ଡ୍ ପ୍ରିଭେନସନ-ସିଡିସି ଅନୁସାରେ ଗୁରୁତର ଡେଙ୍ଗୁ କ୍ଷେତ୍ରରେ ସଂକେତ ଓ ଲକ୍ଷଣ ଟିକେ ବିଳମ୍ବରେ ଦେଖାଯାଏ । ଜ୍ୱର ଛାଡିବାର ୨୪ ରୁ ୪୮ ଘଂଟା ମଧ୍ୟରେ ଗୁରୁତର ଡେଙ୍ଗୁର ଲକ୍ଷଣ ପ୍ରକାଶ ପାଏ । ଏ କ୍ଷେତ୍ରରେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରିବା ଜରୁରୀ । ଲକ୍ଷଣ ସବୁ ହେଲା –