ହାଇଦ୍ରାବାଦ: କ୍ୟାନସର ନାଁ ଶୁଣିଲେ ଲୋକଙ୍କ ମନରେ ଛନକା ପଶିଯାଏ । ଅନେକ ଲୋକ ଏଥିରେ ଆକ୍ରାନ୍ତ ହୋଇ ଜୀବନ ହରାଇଥାନ୍ତି । କେହି କେହି କର୍କଟକୁ ହରାଇ ଜୀବନକୁ ଜିତିଥାନ୍ତି । ଏପରି ସମସ୍ୟା ପାଇଁ କେବଳ ସାହସ ଓ ସଚେତନତା ଜରୁରୀ । କ୍ୟାନସର ଭୟର ପରାଜିତ ମନୋଭାବ ନ ରଖି ଏହାକୁ ହରାଇବା ପାଇଁ ମନୋବଳକୁ ଦୃଢ କରିବା ଦରକାର । ଏଥିପ୍ରତି ସଚେତନ ହେବା ଆବଶ୍ୟକ । ଏନେଇ ପ୍ରତିବର୍ଷ ନଭେମ୍ବର ୭କୁ ଜାତୀୟ କର୍କଟ ସଚେତନତା ଦିବସ ଭାବରେ ପାଳନ କରାଯାଏ ।
ବିଶ୍ବରେ ଦ୍ବିତୀୟ ବଡ ରୋଗ ଭାବରେ ଉଭା ହୋଇଛି କ୍ୟାନସର । ସାଧାରଣ ଲୋକଠାରୁ ନେଇ ସେଲିବ୍ରିଟି ସମସ୍ତଙ୍କୁ କାବୁ କରିଛି କର୍କଟ । ପୂର୍ବରୁ ଏ ରୋଗ ସମ୍ପର୍କରେ କେହି ସଚେତନ ନଥିଲେ । ପ୍ରାରମ୍ଭିକ ପର୍ଯ୍ୟାୟରେ ରୋଗ ବିଷୟରେ ସଚେତନ ହେଲେ ଏହାର ପ୍ରତିକାର ସମ୍ଭବପର ହୋଇଥାଏ । ଭାରତରେ ପ୍ରତିବର୍ଷ ୧୧ ଲକ୍ଷ ନୂଆ କର୍କଟ ରୋଗୀ ଚିହ୍ନଟ ହେଉଛନ୍ତି । ଦୁଇ ତୃତୀୟାଂଶ ରୋଗୀ ବିଳମ୍ବରେ ଚିହ୍ନଟ ହେଉଛନ୍ତି ଫଳରେ ସେମାନଙ୍କ ବଞ୍ଚିବା ସମ୍ଭାବନା କମୁଛି । ପ୍ରତି ୮ ମିନିଟରେ ଜଣେ ମହିଳାଙ୍କର ଗର୍ଭାଶୟ କ୍ୟାନସରରେ ମୃତ୍ୟୁ ହେଉଛି ।