ଶ୍ରୀନଗର: ଜମ୍ମୁର ନରୱାଲ ଘଟିଥିବା ସିରିଜ୍ ବିସ୍ଫୋରଣର ତଦନ୍ତ କରିବା ପାଇଁ ଘଟଣାସ୍ଥଳରେ ପହଞ୍ଚିଛି ଜାତୀୟ ତଦନ୍ତକାରୀ ସଂସ୍ଥା NIAର ଏକ ଟିମ୍ । ଅଧିକାରୀଙ୍କ ଏହି ଟିମ୍ ବିସ୍ଫୋରଣ ଘଟିଥିବା ଦୁଇଟି ଘଟଣାସ୍ଥଳ ପରିଦର୍ଶନ କରି ତଦନ୍ତ ଆରମ୍ଭ କରିଛନ୍ତି । ଗତକାଲି (21 ତାରିଖ) ନରୱାଲର ଇଣ୍ଡଷ୍ଟ୍ରିଆଲ ଏରିଆର ଦୁଇଟି ପୃଥକ ସ୍ଥାନରେ ଏହି ସିରିଜ୍ ବିସ୍ଫୋରଣ ଘଟିଥିଲା । ଏଥିରେ 9ଜଣ ଆହତ ହୋଇଥିଲେ ।
ଗତକାଲି ସେନା ଓ ଏସଆଇଏର ଏକ ଉଚ୍ଚସ୍ତରୀୟ ଅଧିକାରୀଙ୍କ ଟିମ୍ ମଧ୍ୟ ଘଟଣାସ୍ଥଳ ପରିଦର୍ଶନ କରିଥିଲେ । ବିସ୍ଫୋରଣ ପରଠାରୁ ସମ୍ପୂର୍ଣ୍ଣ ଅଞ୍ଚଳକୁ କର୍ଡନ କରାଯାଇ ରଖାଯାଇଛି । ଉକ୍ତ ସ୍ଥାନ ସମେତ ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ ମଧ୍ୟ ବୃଦ୍ଧି କରାଯାଇଛି । ଜାତୀୟ ତଦନ୍ତକାରୀ ସଂସ୍ଥା ଏହି ବିସ୍ଫୋରଣ ଘଟଣାର ତଦନ୍ତ ଜାରି ରଖିଛି । ଏପର୍ଯ୍ୟନ୍ତ କାହାରିକୁ ଗିରଫ କରାଯାଇନାହିଁ ।
ଗତକାଲି 21 ତାରିଖ(ଶନିବାର) ମାତ୍ର କିଛି ସମୟ ବ୍ୟବଧାନରେ ଏହି ଯୁଗ୍ମ ବିସ୍ଫୋରଣ ଘଟିଥିଲା । ନରଓ୍ବାଲ ଶିଳ୍ପାଞ୍ଚଳର ଦୁଇଟି ସ୍ଥାନରେ ଏହି ସିରିଜ ବିସ୍ଫୋରଣରେ 9 ଜଣ ଆହତ ହୋଇଥିଲେ । ସମସ୍ତ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସମଗ୍ର ଏରିଆରେ ହାଇଆଲର୍ଟ ଜାରି କରାଯିବା ସହ ସର୍ଚ୍ଚ ଅପରେସନ ଆରମ୍ଭ କରିଥିଲା ସୁରକ୍ଷାବଳ ।