ନୂଆଦିଲ୍ଲୀ: 99ତମ ମନ୍ କି ବାତ୍ କାର୍ଯ୍ୟକ୍ରମରେ ଦେଶବାସୀଙ୍କୁ ସମ୍ବୋଧନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ନାରୀଶକ୍ତିଠୁ ନେଇ ଅଙ୍ଗଦାନ କରି ଅନେକଙ୍କୁ ନୂଆ ଜୀବନ ଦେଇଥିବା ବ୍ୟକ୍ତିତ୍ବଙ୍କ ବିଷୟରେ ଆଲୋଚନା କରିଛନ୍ତି ପ୍ରଧାନମନ୍ତ୍ରୀ । ଅଙ୍ଗଦାନ କରିଥିବା ଝାଡଖଣ୍ଡର ସ୍ନେହଲତାଙ୍କ କଥା କହିବା ସହ ନାରୀଶକ୍ତିର ଉର୍ଜା ହିଁ ବିକଶିତ ଭାରତରର ପ୍ରାଣବାୟୁ ବୋଲି କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଓଡିଶାର ଜ୍ୟୋର୍ତିମୟୀ ମହାନ୍ତିଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଭବା ଆଟମିକ ରିସର୍ଚ୍ଚ ସେଣ୍ଟରର ବୈଜ୍ଞାନିକ ଜ୍ୟୋର୍ତିମୟୀଙ୍କୁ IUPAD ପୁରସ୍କାର ମିଳିଛି ।
କାର୍ଯ୍ୟକ୍ରମ ଆରମ୍ଭରୁ ଅଙ୍ଗଦାନ କରିଥିବା ବ୍ୟକ୍ତିତ୍ବଙ୍କ ବିଷୟରେ କହିଥିଲେ । ଅଙ୍ଗଦାନ ଜୀବନଦାନର ମାଧ୍ୟମ ହୋଇଛି । ଅଙ୍ଗଦାନ କରି ଅନେକଙ୍କୁ ନୂଆ ଜୀବନ ଦେଇଥିବା ବ୍ୟକ୍ତିତ୍ବଙ୍କ ମଧ୍ୟରୁ ଝାଡଖଣ୍ଡର ସ୍ନେହଲତା ଚୌଧୁରୀଙ୍କ କଥା କହିଥିଲେ ପିଏମ । ସ୍ନେହଲତା ମୃତ୍ୟୁ ପୂର୍ବରୁ ନିଜର ସମସ୍ତ ଅଙ୍ଗଦାନ କରି ପୂର୍ଣ୍ଣ କରିଛନ୍ତି । ଏହାସହ ଅମୃତସରର ଜଣେ ପରିବାର ତାଙ୍କ 39 ଦିନର ଝିଅର ଅଙ୍ଗଦାନ କରିବା କଥା କହିଥିଲେ । ଅଙ୍ଗଦାନ କରିଥିବା ମହାବୀର ଜୀବନର ମହତ୍ତ୍ବ ବିଷୟରେ ଶିକ୍ଷା ଦେଇଛନ୍ତି । 2013ରେ ଦେଶ ଅଙ୍ଗଦାନ ସଂଖ୍ୟା 5 ହଜାର ଥିଲା ମାତ୍ର 2022ରେ ତାହା 15 ହଜାରରେ ପହଞ୍ଚିଛି । ଅଧିକରୁ ଅଧିକ ଅଙ୍ଗଦାନ କରିବାକୁ ଅନୁରୋଧ କରିଛନ୍ତି ।
ନାରୀଶକ୍ତି ବିକଶିତ ଭାରତର ଶକ୍ତି:99ତମ ମନ୍ କି ବାତରେ ଦେଶବାସୀଙ୍କୁ ନାରୀଶକ୍ତି ବିଷୟରେ କହିଛନ୍ତି ପ୍ରଧାନମନ୍ତ୍ରୀ । ଦେଶର ନାରୀ ଶକ୍ତି ଭାରତ ସ୍ବପ୍ନରେ ଶକ୍ତି ଯୋଗାଉଛି । ଆଜି ଦେଶର ଯେଉଁ ସାମର୍ଥ୍ୟ ରହିଛି ସେଥିରେ ନାରୀଶକ୍ତିର ଭୂମିକା ରହିଛି । ନାରୀଶକ୍ତିର ଉର୍ଜା ହିଁ ବିକଶିତ ଭାରତର ପ୍ରାଣବାୟୁ । ବିଭିନ୍ନ କ୍ଷେତ୍ରରେ ନାରୀଙ୍କର ଭୂମିକା ବିଷୟରେ ଆଲୋଚନା କରିଛନ୍ତି ପିଏମ । ତୁର୍କୀର ବିନାଶକାରୀ ଭୂମିକମ୍ପ ଉଦ୍ଧାରକାର୍ଯ୍ୟରେ ନିୟୋଜିତ ମହିଳା ଅଧିକାରୀଙ୍କୁ ପ୍ରଶଂସା କରିଥିଲେ ।
ସେହିପରି ତିନି ସେନାରେ ଦେଶକୁ ଗର୍ବିତ କରିଥିବା ନାରୀଶକ୍ତି ବିଷୟରେ କହି ମହିଳା ବାୟୁସେନା ଗ୍ରୁପ କ୍ୟାପ୍ଟେନ ପଦରେ ନିଯୁକ୍ତ ଶାଲିଜା ଧାମିଙ୍କୁ ପ୍ରଶଂସା କରିଥିଲେ ପିଏମ । ସିଆଚୀନରେ ମାଇନସ 60ଡିଗ୍ରୀ ତାପମାତ୍ରରେ ନିଯୁକ୍ତ ଶିବା ଚୌହାନଙ୍କୁ ନେଇ ଆଜି ଦେଶ ଗର୍ବିତ ବୋଲି କହିଥିଲେ। ଶିବା ଚୌହାନ 3 ମାସ ହେବ ସିଆଚୀନରେ ନିଯୁକ୍ତ ଅଛନ୍ତି ।