ନୂଆଦିଲ୍ଲୀ:ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ସାମିଲ ହେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏଥିପାଇଁ ଜାପାନ ଗସ୍ତ କରିଛନ୍ତି ପ୍ରଧାନମନ୍ତ୍ରୀ । ଏହାକୁ ନେଇ ସେ ଟ୍ବିଟ୍ କରି ସୂଚନା ପ୍ରଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଟ୍ବିଟ୍ କରି କହିଛନ୍ତି, "ମୋର ପ୍ରିୟ ବନ୍ଧୁ ତଥା ଭାରତ-ଜାପାନ ବନ୍ଧୁତ୍ବ ସ୍ଥାପନ ମହାନ ପୁରୋଧା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଶେଷକୃତ୍ୟରେ ଭାଗ ନେବାକୁ ମୁଁ ଆଜି ରାତିରେ ଟୋକିଓ ଯାତ୍ରା କରୁଛି । ମୁଁ ସମସ୍ତ ଭାରତୀୟଙ୍କ ପକ୍ଷରୁ ପ୍ରଧାନମନ୍ତ୍ରୀ କିଶିଦା ହୃଦୟରୁ ସମବେଦନା ଜଣାଇବି ।"
ଏହା ବି ପଢ଼ନ୍ତୁShinzo Abe passes away: ଗୁଳିମାଡ ପରେ ସିଞ୍ଜୋ ଆବେଙ୍କ ପରଲୋକ
ଆଜି ଏକ ସ୍ବତନ୍ତ୍ର ସାମ୍ବାଦିକ ସମ୍ମିଳନୀରେ ବୈଦେଶିକ ସଚିବ ବିନୟ କ୍ବାତ୍ରା ପ୍ରଧାନମନ୍ତ୍ରୀଙ୍କ ଜାପାନ ଗସ୍ତ ନେଇ ସୂଚନା ଦେଇଥିଲେ । ବୁଡୋକାନରେ ସେ ସିଞ୍ଜୋଆବେଙ୍କ ଶେଷକୃତ୍ୟରେ ଯୋଗ ଦେବେ ବୋଲି ସୂଚନା ଦେଇଥିଲେ । ଏହାପୂର୍ବରୁ ଆକାଶାକା ପାଲେସ୍ରେ ପ୍ରଧାନମନ୍ତ୍ରୀ ସ୍ବାଗତସଭାରେ ଯୋଗ ଦେବେ । ଏହାକୁ ନେଇ କ୍ବାତ୍ରା କହିଛନ୍ତି, "ଦୁଇ ପ୍ରଧାନମନ୍ତ୍ରୀଙ୍କ ମଧ୍ୟରେ ଏକ ବୈଠକ ହେବ । ଉଭୟ ଦେଶର ନିରନ୍ତର ପ୍ରତିବଦ୍ଧତା ଏବଂ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ଆଲୋଚନା ହେବ । ଉଭୟ ଦେଶର ପ୍ରଗତି ଏହି ଆଲୋଚନାର ମୁଖ୍ୟ ପ୍ରସଙ୍ଗ ରହିବ ।"