କୋହିମା: ନାଗାଲାଣ୍ଡ ଗୁଳିକାଣ୍ଡ ଘଟଣା ପରେ ଶସସ୍ତ୍ର ବଳ ସ୍ବତନ୍ତ୍ର କ୍ଷମତା ଆକ୍ଟ (ARMED FORCES (SPECIAL POWERS) ACT, 1958 ପ୍ରତ୍ୟାହାର ଦାବି ଥମିବାର ନାଁ ନେଉନାହିଁ । ଏହି ଆଇନ ପ୍ରତ୍ୟାହାର ନେଇ ସରକାରୀ ଭାବେ ପ୍ରକ୍ରିୟା ଆରମ୍ଭ କରିସାରିଲାଣି ନାଗାଲାଣ୍ଡ ସରକାର । ମଙ୍ଗଳବାର ସକାଳେ ନାଗାଲାଣ୍ଡ କ୍ୟାବିନେଟ ବୈଠକରେ ଏହି AFSPA ଆଇନ ପ୍ରତ୍ୟାହାର ନେଇ ନିଷ୍ପତ୍ତି ହୋଇଥିବା ସୂଚନା ମିଳିଛି । ପରେ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ରକୁ ଚିଠି ଲେଖି ଦାବି କରାଯିବା ସହ ଚାପ ପ୍ରୟୋଗ କରାଯିବା ନେଇ ସୂଚନା ଦେଇଛି ନାଗାଲାଣ୍ଡ ସରକାର ।
ନାଗାଲାଣ୍ଡରେ ସୁରକ୍ଷା ବାହିନୀ ଦ୍ବାରା ଆତଙ୍କୀ ଅପରେସନ ବେଳେ ରଣନୀତିରେ ତ୍ରୁଟି ଯୋଗୁ ୧୪ ସାଧାରଣ ସ୍ଥାନୀୟ ନାଗରିକ ପ୍ରାଣ ହରାଇବା ଘଟଣାର ପ୍ରତିବାଦ ଉତ୍ତର-ପୂର୍ବ ରାଜ୍ୟମାନଙ୍କ ଠାରୁ ଆରମ୍ଭ କରି ରାଜଧାନୀ ଦିଲ୍ଲୀରେ ମଧ୍ୟ ଦେଖିବାକୁ ମିଳିଛି । ନାଗାଲାଣ୍ଡ ଓ ମେଘାଳୟ ମୁଖ୍ୟମନ୍ତ୍ରୀ ଗତକାଲି ଏହି ସୁରକ୍ଷାବଳ ସ୍ବତନ୍ତ୍ର କ୍ଷମତା ଆଇନ ପ୍ରତ୍ୟାହାର କରିବା ନେଇ କେନ୍ଦ୍ର ନିକଟରେ ଦାବି କରିଥିଲେ ।