ନୂଆଦିଲ୍ଲୀ: ଆଗାମୀ ଲୋକସଭା ନିର୍ବାଚନ ପାଇଁ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ନୂଆ ଟିମ୍ ଘୋଷଣା କରିଛନ୍ତି । ଆଜି(ଶନିବାର) ନଡ୍ଡା ଦଳର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକା ଜାରି କରିଛନ୍ତି । ପ୍ରଧାନମନ୍ତ୍ରୀ ମୋଦିଙ୍କ ଏହି ୩୮ ଜଣିଆ ନୂଆ ଟିମରେ ପୁଣିଥରେ ବୈଜୟନ୍ତ ପଣ୍ଡାଙ୍କୁ ସ୍ଥାନ ମିଳିଛି । ତୃତୀୟ ଥର ପାଇଁ ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ବୈଜୟନ୍ତ । ତାଙ୍କ ବ୍ୟତୀତ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଓ ରାଜସ୍ଥାନର ପୂର୍ବ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ, ଝାଡଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଉପାଧ୍ୟକ୍ଷ ନିଯୁକ୍ତ କରାଯାଇଛି ।
ବିଜେପିର କେନ୍ଦ୍ରୀୟ ପଦାଧିକାରୀଙ୍କ ତାଲିକାରେ ଅନୁଯାୟୀ, ୧୩ ଜଣ ରାଷ୍ଟ୍ରୀୟ ଉପାଧ୍ୟକ୍ଷ, ୮ ଜଣ ସାଧାରଣ ସମ୍ପାଦକ, ଜଣେ ରାଷ୍ଟ୍ରୀୟ ସଂଗଠନ ମହାମନ୍ତ୍ରୀ, ଜଣେ ରାଷ୍ଟ୍ରୀୟ ସହ ସଂଗଠନ ମହାମନ୍ତ୍ରୀ, ୧୩ ଜଣ ରାଷ୍ଟ୍ରୀୟ ସଚିବ, ଜଣେ ଲେଖାଏଁ କୋଷାଧ୍ୟକ୍ଷ ଓ ସହ କୋଷାଧ୍ୟକ୍ଷ ନିଯୁକ୍ତ ହୋଇଛନ୍ତି । ଓଡ଼ିଶାର ବୈଜୟନ୍ତ ପଣ୍ଡାଙ୍କ ସମେତ ଉତ୍ତର ପ୍ରଦେଶ ସାଂସଦ ରେଖା ବର୍ମା, ଲକ୍ଷ୍ମୀକାନ୍ତ ବାଜପେୟୀ, ୟୁପିର ବିଧାନ ପରିଷଦ ସଦସ୍ୟ ତାରିକ ମନସୁର, ମଧ୍ୟପ୍ରଦେଶର ସୌଦାନ ସିଂହ, ଛତିଶଗଡର ସାଂସଦ ସରୋଜ ପାଣ୍ଡେ, ତେଲେଙ୍ଗାନାର ଡିକେ ଅରୁଣା, ନାଗାଲାଣ୍ଡର ଏମ ଚୌବା ଏଓ, କେରଳର ଅବଦୁଲ୍ଲା କୁଟ୍ଟି, ଛତିଶଗଡର ଲତା ରାଷ୍ଟ୍ରୀୟ ଉପାଧ୍ୟକ୍ଷ ହୋଇଛନ୍ତି ।