ମୁମ୍ବାଇ:ଶରଦ ପାଓ୍ବାରଙ୍କ ରାଷ୍ଟ୍ରବାଦୀ କଂଗ୍ରେସରେ ଜାରି ରହିଥିବା ଦଳୀୟ କନ୍ଦଳ ମଧ୍ୟରେ ନିଜ ବୟସକୁ ନେଇ ବିଦ୍ରୋହୀଙ୍କୁ କଡା ଜବାବ ଦେଇଛନ୍ତି ଶରଦ । ନାଁ ସେ କ୍ଳାନ୍ତ ନା ସେ ଅବସର ଗ୍ରହଣ କରିବେ । ସେ ସକ୍ରିୟ ରାଜନୀତିରେ ରହିବେ ଓ ଲୋକଙ୍କ ସେବା କରିବେ । ଦଳରୁ ବିଦ୍ରୋହ କରି ଉପମୁଖ୍ୟମନ୍ତ୍ରୀ ହୋଇଥିବା ପୁତୁରା ଅଜିତ ପାଓ୍ବାରଙ୍କ 83 ବର୍ଷ ବୟସ ମନ୍ତବ୍ୟରେ ଏପରି ଭାବେ ପ୍ରତିକ୍ରିୟା ରଖିଛନ୍ତି ଶରଦ ।
ଅଜିତ କରିଥିବା ବୟସାଧିକ ମନ୍ତବ୍ୟ ସମ୍ପର୍କରେ ପ୍ରତିକ୍ରିୟା ରଖି ଶରଦ କହିଛନ୍ତି, ‘‘ଆପଣ ଜାଣନ୍ତି କି ନାହିଁ, ମୋରାର୍ଜୀ ଦେଶାଇ କେତେ ବର୍ଷ ବୟସରେ ପ୍ରଧାନମନ୍ତ୍ରୀ ହୋଇଥିଲେ । ମୁଁ ପ୍ରଧାନମନ୍ତ୍ରୀ କିମ୍ବା କୌଣସି ମନ୍ତ୍ରୀ ହେବାକୁ ଇଚ୍ଛା ରଖିନାହିଁ । ମୁଁ ଲୋକଙ୍କ ସେବା କରିବାକୁ ଚାହେଁ । ପୂର୍ବତନ ପ୍ରଧାନମନ୍ତ୍ରୀ ବାଜପେୟୀଙ୍କ ଉକ୍ତିକୁ ଦୋହରାଇ ଶରଦ କହିଥିଲେ ‘‘ନାଁ ମୁଁ ଟାଏର୍ଡ, ନା ରିଟାଏର୍ଡ’’ । ଯେଉଁମାନେ ମୋ ରାଜନୈତିକ ଅବସର କଥା କହୁଛନ୍ତି, ସେମାନେ ଜାଣି ରଖିବା ଉଚିତ ମୁଁ ଏବେ ମଧ୍ୟ କାର୍ଯ୍ୟ କରିବା ପାଇଁ ସମ୍ପୂର୍ଣ୍ଣ ସକ୍ଷମ ।’’
ଅଜିତଙ୍କୁ ଦଳରେ ଅବହେଳା କରାଯାଇଛି । ସେ ଶରଦ ପାଓ୍ବାରଙ୍କ ପୁଅ ହୋଇନଥିବାରୁ ତାଙ୍କୁ ଦଳରେ ଅଣଦେଖା କରାଯାଇଥିବା ଅଭିଯୋଗ ସମ୍ପର୍କିତ ପ୍ରଶ୍ନରେ କୌଣସି ଉତ୍ତର ରଖିନାହାନ୍ତି ଶରଦ । ପ୍ରଶ୍ନକୁ ଏଡାଇ ଯିବା ସହ ଶରଦ କହିଛନ୍ତି, ପାରିବାରିକ ପ୍ରସଙ୍ଗରେ ସେ ଅଧିକ କିଛି ପ୍ରତିକ୍ରିୟା ରଖିବାକୁ ପସନ୍ଦ କରିବେ ନାହିଁ । ଶରଦ ଏହା ମଧ୍ୟ କହିଛନ୍ତି, ଅଜିତଙ୍କୁ ମନ୍ତ୍ରୀ ଓ ଉପମୁଖ୍ୟମନ୍ତ୍ରୀ ମଧ୍ୟ କରାଯାଇଛି । ହେଲେ ତାଙ୍କ ଝିଅ ସୁପ୍ରିୟା ସୁଲଙ୍କୁ ଥରେ ମାତ୍ର ମନ୍ତ୍ରୀ କରାଯାଇନାହିଁ । ଏହା କରିବା ମଧ୍ୟ ସମ୍ଭବ ଥିଲା ବେଳେ ହେଲେ ସେ ଏପରି କରିନଥିଲେ । ଯେତେବେଳେ କେନ୍ଦ୍ରରେ ଏନସିପିର ଭାଗରେ ଏକ ମନ୍ତ୍ରୀ ପଦ ପଡୁଥିଲା, ସେତେବେଳେ ସୁପ୍ରିୟା ସାଂସଦ ଥାଇ ମଧ୍ୟ ଦଳର ଅନ୍ୟଜଣଙ୍କୁ ମନ୍ତ୍ରୀ ପଦ ମିଳିଥିଲା ବୋଲି ଶରଦ କହିଛନ୍ତି ।