ପୁଡୁଚେରୀ: ଅନେକ ଦିନର ହାଇଡ୍ରାମା ଓ ରାଜନୈତିକ ସଙ୍କଟରେ ପଡିଲା ପୂର୍ଣ୍ଣଛେଦ । ପୁଡୁଚେରୀକୁ ମିଳିଲେ ନୂଆ ମୁଖ୍ୟମନ୍ତ୍ରୀ । AINRC ନେତା ଏନ. ରଙ୍ଗାସ୍ବାମୀ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭାବେ ନେଇଛନ୍ତି ଶପଥ ।
ରାଜଭାବନରେ ଏନ. ରଙ୍ଗାସ୍ବାମୀଙ୍କୁ ମୁଖ୍ୟମନ୍ତ୍ରୀ ପଦର ଶପଥ ପାଠ କରାଇଛନ୍ତି ଉପରାଜ୍ୟପାଳ ତମିଲିସାଇ ସୌନ୍ଦରାରାଜନ । ଚତୁର୍ଥ ଥର ପାଇଁ ମୁଖ୍ୟମନ୍ତ୍ରୀ ହୋଇଛନ୍ତି ରଙ୍ଗାସ୍ବାମୀ । ଇଶ୍ବରଙ୍କୁ ସାକ୍ଷୀ ମାନି ରଙ୍ଗାସ୍ବାମୀ ନିଜ ମାତୃଭାଷାରେ ଶପଥ ନେଇଛନ୍ତି ।
ରଙ୍ଗାସ୍ବାମୀ ମୁଖ୍ୟମନ୍ତ୍ରୀ ପଦର ଶପଥ ନେବା ପରେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନଡିଏ ମେଣ୍ଟ ସରକାରର ନେତୃତ୍ବ ନେବେ ରଙ୍ଗାସ୍ବାମୀ । ଭାରତୀୟ ଜନତା ପାର୍ଟି ଓ ଏଆଇଏନଆରସିକୁ ନେଇ କେନ୍ଦ୍ରଶାସିତ ଅଞ୍ଚଳରେ ହୋଇଛି ଏନଡିଏ ମେଣ୍ଟ ସରକାର ।
ବିଧାନସଭା ନିର୍ବାଚନର ଅବ୍ୟବହିତ ପୂର୍ବରୁ ପୁଡୁଚେରୀ ସରକାରଙ୍କ ଉପରେ ଝୁଲିଥିଲା ସଙ୍କଟର ଖଣ୍ଡା । ଗୋଟିଏ ପରେ ଗୋଟିଏ ବିଧାୟକଙ୍କ ଇସ୍ତଫା ସହିତ ସଂଖ୍ୟା ଗରିଷ୍ଠତା ହରାଇଥିଲା କଂଗ୍ରେସ ସରକାର । ଏନେଇ ପୁଡୁଚେରୀ ମୁଖ୍ୟମନ୍ତ୍ରୀ ଭି. ନାରାୟଣସ୍ବାମୀଙ୍କର ଇସ୍ତଫା ଦାବି କରିଥିଲେ ବିରୋଧୀ ।
ବିଧାନସଭାରେ ବିଶ୍ବାସମତ ହାସଲ ନ କରିପାରିବା କାରଣରୁ ଭାଙ୍ଗିଯାଇଥିଲା କେନ୍ଦ୍ରଶାସିତ ଅଞ୍ଚଳରେ କ୍ଷମତାସୀନ ନାରାୟଣ ସ୍ବାମୀଙ୍କ ସରକାର । ଏହାପରେ ପୁଡୁଚେରୀରେ ରାଷ୍ଟ୍ରପତି ଶାସନ ଲଗାଇଥିଲେ କେନ୍ଦ୍ର ସରକାର ।