ହାଇଦ୍ରାବାଦ:ଓଡ଼ିଶା ହାଇକୋର୍ଟଙ୍କ ଐତିହାସିକ ନିଷ୍ପତ୍ତି । ଇତିହାସରେ ପ୍ରଥମ ଘଟଣା । ହଟିଲା ଚାଲି ଆସିଥିବା ଇଂରେଜ ଅମଳର ପ୍ରଥା । ଆଜିଠୁ ବିଚାରପତି କିମ୍ବା ଖଣ୍ଡପୀଠଙ୍କୁ ଆଉ ମାଇଁ ଲର୍ଡ(My Lord), ୟୋର ଲର୍ଡସିପ୍(Your Lordship) ବା ୟୋର ଅନର(Your Honour) ବୋଲି ସମ୍ବୋଧନ କରାଯିବନି । ଏହା ବଦଳରେ କେବଳ 'ସାର'(Sir) ବୋଲି ଆଇନଜୀବୀ ଓ ପକ୍ଷମାନେ ସମ୍ବୋଧନ କରିପାରିବେ । ଶୀତ ଅବକାଶ ପରେ ସୋମବାରଠୁ(03/01/2022) ଖୋଲିଛି ହାଇକୋର୍ଟ । ଜାନୁଆରୀ 3ରେ ପ୍ରକାଶିତ ମାମଲା ତାଲିକା ଉଇକଲି କ୍ଲଜ୍ ଲିଷ୍ଟ(weekly cause list)ରେ ମୁଖ୍ୟ ବିଚାରପତିଙ୍କ ଖଣ୍ଡପୀଠରେ ଏଭଳି ନିର୍ଦ୍ଦେଶନାମା ଉଲ୍ଲେଖ ରହିଛି । 'ସାର' ସମ୍ବୋଧନରେ କୋର୍ଟଙ୍କ ମର୍ଯ୍ୟାଦା ଯଥେଷ୍ଟ ବୋଲି ଏହି ତାଲିକାରେ ପ୍ରକାଶ ପାଇଛି । ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ବୋଲି ଇଂରେଜ ଅମଳରେ ବ୍ୟବହାର ହେଉଥିଲା । 2016ରେ ବାର କାଉନସିଲ ଅଫ ଇଣ୍ଡିଆ ଏନେଇ ଏକ ପ୍ରସ୍ତାବ ଆଣିଥିଲା । ମୁଖ୍ୟ ବିଚାରପତିଙ୍କ ନିଷ୍ପତ୍ତିକୁ ବରିଷ୍ଠ ଆଇନଜୀବୀ ମନୋଜ ମିଶ୍ର ଏବଂ ଅନ୍ୟମାନେ ସ୍ବାଗତ କରିଛନ୍ତି ।
କିନ୍ତୁ କାହିଁକି ଏହି ନିଷ୍ପତ୍ତି ନିଆଗଲା । କେବେ ଠାରୁ ଏହା ପ୍ରଚଳିତ ହୋଇ ଆସୁଛି । କାହିଁକି ବିଚାରପତିଙ୍କୁ ମାଇଁ ଲର୍ଡ, ୟୋର ଲର୍ଡସିପ୍ ବା ୟୋର ଅନର ବୋଲି କୁହାଯାଏ । ମନରେ ପ୍ରଶ୍ନ ଆସୁଥିବା ସ୍ବାଭାବିକ । ଜଣେ ସାଧାରଣ ଲୋକ ବିଚାର ବିଭାଗୀୟ ସମ୍ବନ୍ଧୀୟ ଶବ୍ଦକୁ ବୁଝିପାରିନଥାଏ । କାନରେ ବେଳେବେଳେ ଏହି ଶବ୍ଦ ପଡିଲେ ମଧ୍ୟ ଏହାର ଅର୍ଥ ବୁଝାପଡି ନଥାଏ । ତେଣୁ ଚାଲନ୍ତୁ ଜାଣିବା କୋର୍ଟ ପରିସରରେ ଏପରି ଶବ୍ଦ କାହିଁକି ବ୍ୟବହାର କରାଯାଏ । ଏ ନେଇ ETV BHARATର Special Report...
ସୁପ୍ରିମକୋର୍ଟ ଓ ହାଇକୋର୍ଟ ବିଚାରପତିଙ୍କୁ ମାଇଁ ଲଡ୍, ୟୋର ଲର୍ଡସିପ୍, ଅନରେବଲ୍ କୋର୍ଟ(Honorable Court) ବୋଲି ସମ୍ବୋଧନ କରାଯାଏ । ସେହିପରି ଭାବେ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ୍ସ ଏବଂ ଅନ୍ୟ ଫୋରମମାନଙ୍କରେ ବିଚାରପତିଙ୍କୁ ୟୋର ଅନର ଅଥବା ସାର୍ ଅଥବା ସ୍ଥାନୀୟ ସମ୍ମାନନୀୟ ଭାଷାରେ ମଧ୍ୟ ସମ୍ବୋଧନ କରାଯାଏ ।
ମାଇଁ ଲଡ୍ ଓ ୟୋର ଲର୍ଡସିପ୍ ଶବ୍ଦକୁ ନେଇ ଘଟିଥିବା କିଛି ଘଟଣା:
୧) ଗତବର୍ଷ ପଞ୍ଜାବ ଓ ହରିୟାଣା ହାଇକୋର୍ଟର ଜଷ୍ଟିସ ଅରୁଣ କୁମାର ତ୍ୟାଗୀ ବାର ଆସୋସିଏସନର ସଦସ୍ୟଙ୍କୁ ନୋଟିସ ଜାରି କରି ଏହା କହିଥିଲେ ଯେ, 'ମୋତେ ୟୋର ଲର୍ଡସିପ୍ ଅଥବା ମାଇଁ ଲଡ୍ ନ କୁହାଯାଉ' । ଏହାସହ ଓବିଲାଇଜ୍ଡ(Obliged) ଏବଂ ଗ୍ରେଟଫୁଲ(Grateful) ଭଳି ଶବ୍ଦ ମଧ୍ୟ ମୋ ସମ୍ମୁଖରେ ବ୍ୟବହାର କରା ନ ଯାଉ ।
୨) ଗତ ବର୍ଷ(୨୦୨୧) ୨୩ ଫେବୃୟାରୀରେ ଏମିତି ଏକ ଘଟଣା ସୁପ୍ରିମକୋର୍ଟରେ ମଧ୍ୟ ଘଟିଥିଲା । ଜଣେ ଲ' ଛାତ୍ର ମୁଖ୍ୟ ବିଚାରପତି ଏସ୍ ଜେ. ବୋବଡେଙ୍କୁ 'ୟୋର ଅନର' ଯେତେବେଳେ କହିଥିଲେ, ସେ ସଙ୍ଗେ ସଙ୍ଗେ ଉତ୍କ୍ଷିପ୍ତ ହୋଇଯାଇଥିଲେ । ସେ କହିଥିଲେ 'ଯେତେବେଳେ ଆପଣ ଆମକୁ ୟୋର ଅନର କହୁଛନ୍ତି, ସେତେବେଳେ ଆପଣଙ୍କ ମସ୍ତିଷ୍କରେ ୟୁନାଇଟେଡ୍ ଷ୍ଟେଟ୍ସର ସୁପ୍ରିମକୋର୍ଟ ଅଥବା ମାଜିଷ୍ଟ୍ରେଟ୍ ରହୁଥିବ ନିଶ୍ଚିତ । ଆମେ ତ ଆଦୌ ଆପଣଙ୍କ ମସ୍ତିଷ୍କରେ ରହୁ ନଥିବୁ ' ।
୩) ସେତେବେଳେ ତତ୍କ୍ଷଣାତ୍ ଯାଚିକାକର୍ତ୍ତା ଜଣଙ୍କ ବିଚାରପତିଙ୍କୁ କ୍ଷମା ପ୍ରାର୍ଥନା କରିବା ସହ କହିଥିଲେ କି, ସେ ଏଣିକି ମାଇଁ ଲଡ୍ କହି କୋର୍ଟକୁ ସମ୍ବୋଧନ କରିବେ । ଏହା ଉପରେ ଜଷ୍ଟିସ ବୋବଡେ କହିଥିଲେ ଯେ, 'ଯାହା କହୁଛ କୁହ, କିନ୍ତୁ ଆମେ ଚାହୁଁନୁ ଯେ, ଆପଣ କିଛି ନିର୍ଦ୍ଧାରିତ ଶବ୍ଦ ହିଁ ଉଚ୍ଚାରଣ କରନ୍ତୁ । କିନ୍ତୁ କୌଣସି ଭୁଲ୍ ଶବ୍ଦ ମଧ୍ୟ ବିଲ୍କୁଲ ବ୍ୟବହାର କରନ୍ତୁ ନାହିଁ ' । ଏହା ପୂର୍ବରୁ ଅଗଷ୍ଟ ୨୦୨୦ରେ ଜଷ୍ଟିସ ବୋବଡେ ତାଙ୍କୁ 'ୟୋର ଅନର' କହି ସମ୍ବୋଧନ କରିବା ଉପରେ ଆପତ୍ତି ପ୍ରକାଶ କରିଥିଲେ । ସେତେବେଳେ ସେ ଏହା ମଧ୍ୟ କହିଥିଲେ ଯେ, ଭାରତୀୟ ଅଦାଲତରେ ଏହି ପ୍ରକାର ଶବ୍ଦ ଆଦୌ ଗ୍ରହଣୀୟ ନୁହେଁ ।
କଣ କହି ବିଚାରପତିଙ୍କୁ ସମ୍ବୋଧନ କରାଯିବା ଉଚିତ୍?
1) ଇଂରେଜ ଅମଳରେ ଅଦାଲତମାନଙ୍କରେ ବିଚାରପତିମାନଙ୍କୁ 'ମାଇଁ ଲଡ୍', 'ୟୋର ଲର୍ଡସିପ୍' କୁହାଯାଉଥିଲା । ସେବେଠାରୁ କୋର୍ଟରୁମ୍ରେ ଏହି ପ୍ରୋଟୋକଲ ଚାଲି ଆସୁଛି । ଏଥିରୁ କେବଳ ଦାସତ୍ବ ଓ ଗୁଲାମିର ଝଲକ ଦେଖିବାକୁ ମିଳୁଥିଲା । ତେଣୁ କେବଳ ଏହି କାରଣରୁ ହିଁ ମୂଳରୁ ହିଁ ଏହି ଶବ୍ଦ ଗୁଡିକ ଉପରେ କିଛି ବିଚାରପତି ଆପତ୍ତି ପ୍ରକାଶ କରିଥିଲେ । ବିଚାରପତିମାନେ ରୋଷ ପ୍ରକାଶ କରି ଏହା ମଧ୍ୟ କହିଥିଲେ ଯେ, ବିଚାରବିଭାଗ କାର୍ଯ୍ୟାଳୟରେ ନିଜର କିଛି ଗାରିମା ଓ ଆତ୍ମସମ୍ମାନ ଅଛି । ତେଣୁ ଧର୍ମର ମନ୍ଦିରରେ ଯାହା ବି ଶବ୍ଦ ବ୍ୟବହାର କରାଯିବ, ତାହା ଅନୁରୂପ ହୋଇଥିବା ଆବଶ୍ୟକ ।
୨) ୨୦୦୬ରେ ପ୍ରୋଗେସିଭ ଆଣ୍ଡ ଭିଜିଲାଣ୍ଟ ଲୟର୍ସ ଫୋରମ(Progressive and Vigilant Lawyers Forum)ର ଜନହିତ ଯାଚିକା ପରେ ଏହି ମାମଲା ପ୍ରଥମଥର ଲୋକଲୋଚନକୁ ଆସିଥିଲା । ଏହି ଯାଚିକାରେ ବିଚାରପତିମାନଙ୍କୁ ସମ୍ବୋଧନ କରାଯାଉଥିବା ଶବ୍ଦ ଉପରେ ଆପତ୍ତି କରାଯାଇଥିଲା । ସୁପ୍ରିମକୋର୍ଟ ୨୦୦୬ ଜାନୁୟାରୀ ୬ରେ ଏହି ଯାଚିକାକୁ ଖାରଜ କରିଦେଇଥିଲେ । ଏବଂ କହିଥିଲେ କି ବିଚାରପତିଙ୍କୁ କେଉଁ ଶବ୍ଦରେ ସମ୍ବୋଧନ କରାଯିବ, ତାହା ବାର କାଉନସିଲ୍ ନିର୍ଣ୍ଣୟ କରିବା ଉଚିତ୍ ।
୩) ୧୯୬୧ ମସିହାରେ ଦ ଆଡଭୋକେଟ୍ସ ଆକ୍ଟ(The Advocates Act)ର ଧାରା ୪୯(୧)(c) ଅନୁଯାୟୀ ଭାରତର ବାର କାଉନସିଲ୍ (BCI) ହିଁ ଓକିଲ ଓ ବିଚାରପତିଙ୍କ ପାଇଁ ଶିଷ୍ଟାଚାର ଶବ୍ଦର ମାନକ ନିର୍ଦ୍ଧାରିତ କରିବ । ଏହାପରେ କାଉନସିଲ୍ ୨୦୦୬ରେ BCI ରୁଲ୍ସର ପାର୍ଟ VIର ଚାପ୍ଟର IIIAରେ ନୂଆ ସଂକଳ୍ପ ଯୋଡା ହୋଇଥିଲା ।
୪) ଏହି ସଂକଳ୍ପ କୁହେଯେ, ସୁପ୍ରିମକୋର୍ଟ ଓ ହାଇକୋର୍ଟର ବିଚାରପତିଙ୍କୁ 'ୟୋର ଅନର' ଓ ଅନରବେଲ୍ କୋର୍ଟ କୁହାଯାଉ । ଏହା ବ୍ୟତୀତ ନିମ୍ନ ଅଦାଲତ, ଟ୍ରିବ୍ୟୁନାଲ୍ସ ଏବଂ ଅନ୍ୟ ଫୋରମମାନଙ୍କରେ 'ସାର୍' ଅଥବା ଆଞ୍ଚଳିକ ଭାଷା ମଧ୍ୟରେ ଥିବା କୌଣସି ସମ୍ମାନନୀୟ ଶବ୍ଦ ବ୍ୟବହାର କରିପାରିବେ ।
୫) ଏହାବ୍ୟତୀତ କିଛି ବିଚାରପତି ଓ ବାର ଆସୋସିଏସନ ନିଜ ନିଜ ସ୍ତର ଅନୁଯାୟୀ ନିୟମ ପ୍ରସ୍ତୁତ କଲେ । ଏଥିମଧ୍ୟରୁ ଅଧିକତର ଏମିତି ଥିଲେ ଯେ, ଯେଉଁମାନେ ଚାହୁଁନ ଥିଲେ କି ମାଇଁ ଲଡ୍ ଓ ଲର୍ଡସିପ୍ ଭଳି ଶବ୍ଦ ବ୍ୟବହାର ନ କରିବା ପାଇଁ ।
ସୁପ୍ରିମକୋର୍ଟର କେସ୍ ଲ' କଣ କୁହେ?
୧) ୨୦୧୪ରେ ଏ ବାବଦରେ ସୁପ୍ରିମକୋର୍ଟରେ ଜନହିତ ଯାଚିକା ଦାଖଲ ହୋଇଥିଲା । ଶିବସାଗର ତିୱାରୀ ବନାମ ସୁପ୍ରିମକୋର୍ଟ ମହାସଚିବ ଏବଂ ଅନ୍ୟ କେସ ନେଇ ଯାଚିକାରେ ୟୋର ଅନର ଶବ୍ଦକୁ ଗୁଲାମିର ପ୍ରତୀକ କୁହାଯାଇଥିଲା । ଏଥିରେ ଯଥାଶୀଘ୍ର ରୋକ ଲଗାଇବା ପାଇଁ ଦାବି କରାଯାଇଥିଲା ।