ନୂଆଦିଲ୍ଲୀ:ଗନ୍ଧୀନଗରରେ ପହଞ୍ଚିଲେ ବିଶ୍ବ ସ୍ବାସ୍ଥ୍ୟ ସଂଗଠନ (WHO) ମୁଖ୍ୟ ଡ.ଟେଡ୍ରୋସ ଆଡାନୋମ ଗେବ୍ରେଏସ । ଜି20 ସମ୍ମିଳନୀ ଅଧୀନରେ ‘ହୁ’ ଏବଂ ଆୟୁଷ ମନ୍ତ୍ରାଣାଳୟ ଦ୍ବାରା ଆୟୋଜିତ ପାରମ୍ପରିକ ଚିକିତ୍ସା ପଦ୍ଧତି ସମ୍ପର୍କିତ ଶିଖର ସମ୍ମିଳନୀ 17 ରୁ 18 ଅଗଷ୍ଟ ପର୍ଯ୍ୟନ୍ତ ଗାନ୍ଧୀନଗରରେ ଆୟୋଜିତ ହେବାକୁ ଯାଉଛି । କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରିବା ପାଇଁ ଦେଶ ବିଦେଶରୁ ବିଭିନ୍ନ ଅତିଥି ଗୁଜରାଟରେ ଆସି ପହଞ୍ଚିବାରେ ଲାଗିଛନ୍ତି । ‘ହୁ’ ମୁଖ୍ୟ ଟେଡ୍ରୋସ ଆଡାନୋମଙ୍କୁ ସ୍ବାଗତ ପାଇଁ ଗୁଜରାଟର ପାରମ୍ପରିକ ନୃତ୍ୟ ଦାଣ୍ତିଆ ପ୍ରଦର୍ଶନ କରାଯାଇଥିଲା ।
ଟେଡ୍ରୋସ ଆଡାନୋମ ଗେବ୍ରେଏସଙ୍କ ଭାରତ ଗସ୍ତକୁ ନେଇ ପ୍ରଧାନମନ୍ତ୍ରୀ ମୋଦି ଆୟୁଷ ମନ୍ତ୍ରାଳୟର ଏକ୍ସ ହ୍ୟାଣ୍ଡେଲ (ଟ୍ବିଟର)ରେ କରାଯାଇଥିବା ପୋଷ୍ଟକୁ ରିଟ୍ବିଟ୍ କରି ଲେଖିଛନ୍ତି, ‘‘ମୋର ଭଲ ବନ୍ଧୁ ‘ତୁଳସୀ ଭାଇ’ ନବରାତ୍ରୀ ପାଇଁ ସମ୍ପର୍ଣ୍ଣ ଭାବେ ପ୍ରସ୍ତୁତ ଅଛନ୍ତି । ଭାରତକୁ ତୁମକୁ ସ୍ବାଗତ ।’’
ଆୟୁଷ ମନ୍ତ୍ରଣାଳୟର ଏକ୍ସରେ ଏକ ଭିଡିଓ ସେୟର କରାଯାଇଛି । ଏହି ଭିଡିଓରେ ‘ହୁ’ ମୁଖ୍ୟ ଟେଡ୍ରୋସ ଆଡାନୋମ ଏକ ଦାଣ୍ଡିଆ କାର୍ଯ୍ୟକ୍ରମରେ ଯୋଗ ଦେଇ ଦାଣ୍ତିଆ ଡ୍ୟାନ୍ସ କରିଛନ୍ତି । ଏହି ଦାଣ୍ତିଆ ଡ୍ୟାନ୍ସ ଗୁଜରାଟର ଏକ ପାରମ୍ପରିକ ନୃତ୍ୟ । ଏହି ନୃତ୍ୟ ଖାସ କରି ନବରାତ୍ରୀ ଦିନରେ ଗୁଜରାଟୀ ଲୋକେ ପ୍ରଦର୍ଶନ କରିଥାନ୍ତି । ଆୟୁଷ ମନ୍ତ୍ରଣାଳୟ ଭିଡିଓ ସେୟାର କରି ଲେଖିଛି ଯେ,“ସଂଗୀତ ଏବଂ ନୃତ୍ୟ ସହିତ ପ୍ରକୃତ ଭାରତୀୟ ପରମ୍ପରାରେ ଆମର ବିଶେଷ ଅତିଥିମାନଙ୍କୁ ଏକ ସ୍ମରଣୀୟ ସ୍ୱାଗତ କରୁଛୁ ।’’