ନୂଆଦିଲ୍ଲୀ:ମହିଳା ସୁରକ୍ଷା ପ୍ରସଙ୍ଗରେ ସବୁବେଳେ ଚର୍ଚ୍ଚାରେ ରହୁଥିବା ଦିଲ୍ଲୀ ମହିଳା ଆୟୋଗ ଅଧ୍ୟକ୍ଷା ସ୍ବାତୀ ମାଲିଓ୍ବାଲ ଏକ ଚାଞ୍ଚଲ୍ୟକର ବୟାନ ଦେଇଛନ୍ତି । ସେ ପିଲାଦିନେ ତାଙ୍କ ନିଜ ପିତାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଛନ୍ତି । ତାଙ୍କ ପିତା ତାଙ୍କୁ ଯୌନ ନିର୍ଯାତନା ଦେବା ସହ ମାଡ ମାରୁଥିବା ସେ ନିଜେ ଏକ କାର୍ଯ୍ୟକ୍ରମରେ କହିଛନ୍ତି । ତେବେ ସେ ନିଜ ମା, ଜେଜେବାପା- ଜେଜେମା ଓ ଅନ୍ୟ କିଛି ସମ୍ପର୍କୀୟ ପାଇଁ ଏପରି ପ୍ରତିକୂଳ ସ୍ଥିତିରୁ ନିଜକୁ ବାହାର କରିବାରେ ସଫଳ ହୋଇଥିବା କହିଛନ୍ତି ସ୍ବାତୀ ।
ଦିଲ୍ଲୀ ମହିଳା ଆୟୋଗ ଦ୍ବାରା ଆୟୋଜିତ ସମ୍ବର୍ଦ୍ଧନା କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସ୍ବାତୀ କହିଥିଲେ,‘‘ ମୁଁ ପିଲାଦିନେ ନିଜ ବାପାଙ୍କ ଦ୍ବାରା ଯୌନ ଶୋଷଣର ଶିକାର ହୋଇଛି । ଯେତେବେଳେ ମୋ ବାପା ଘରକୁ ଆସୁଥିଲେ ମୁଁ ଭୟରେ ଥରୁଥିଲି । ମୋର ଏବେ ମଧ୍ୟ ସ୍ପଷ୍ଟ ଭାବେ ମନେ ଅଛି, ମୁଁ କେତେ ରାତିରେ ଖଟ ତଳେ ଲୁଚି କାଟିଛି । ବାପାଙ୍କ ମାଡରେ ମୁଁ ରକ୍ତାକ୍ତ ହୋଇଛି । ଏପରି କରୁଥିବା ବ୍ୟକ୍ତିମାନଙ୍କୁ କିପରି ମୁଁ ଉଚିତ ଶିକ୍ଷା ଦେଇପାରିବି ସେନେଇ ଚିନ୍ତା କରୁଥିଲି । ବାପା ସବୁବେଳେ କ୍ରୋଧ ଜର୍ଜରିତ ହୋଇ ଘରକୁ ଫେରୁଥିଲେ, ମତେ ନିସ୍ତୁକ ମାଡ ମାରୁଥିଲେ । ବେଳେ ବେଳେ ରକ୍ତସ୍ରାବ ହେବା ପର୍ଯ୍ୟନ୍ତ ମଧ୍ୟ ସେ ମଧ୍ୟ ପିଟୁଥିଲେ । ମୋର ମା’ ଓ ପରିବାର ଅନ୍ୟ ସମସ୍ୟଙ୍କ କାରଣରୁ ମୁଁ ଏପରି ଦୁସ୍ଥିତି ଭିତରୁ ନିଜକୁ ବାହାର କରିପାରିଥିଲି । ସେମାନଙ୍କ ବିନା ମୁଁ ଏପରି ଦୁଃସ୍ଥିତିରୁ ବାହାରି ପାରିନଥାନ୍ତି । ଆଜି ଯେଉଁଠି ବି ପହଞ୍ଚିଛି, ସେମାନଙ୍କ ସହଯୋଗ କାରଣରୁ ପହଞ୍ଚିପାରିଛି ।’’