ଓଡିଶା

odisha

By ETV Bharat Odisha Team

Published : Aug 27, 2023, 10:53 PM IST

ETV Bharat / bharat

Muzaffarnagar slap row: ରାତିରେ ଶୋଇନଥିଲା ପୀଡିତ ଛାତ୍ର ! ମିରଟରେ ହେଲା ହେଲଥ୍‌ ଚେକ-ଅପ

ଉତ୍ତର ପ୍ରଦେଶ ମୁଜାଫରନଗରର ସ୍କୁଲ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ମାଡ ଘଟଣାରେ ପ୍ରଭାବିତ ହୋଇଛି ପୀଡିତ ଛାତ୍ରର ମାନସିକ ଅବସ୍ଥା । ଅଭିଭାବକଙ୍କ ଅଭିଯୋଗ ପରେ ହେଲା ସ୍ବାସ୍ଥ୍ଯ ପରୀକ୍ଷା । ଅଧିକ ପଢନ୍ତୁ

Muzaffarnagar slap row: ରାତିରେ ଶୋଇନଥିଲା ପୀଡିତ ଛାତ୍ର ! ମିରଟରେ ହେଲା ଚେକ-ଅପ
Muzaffarnagar slap row: ରାତିରେ ଶୋଇନଥିଲା ପୀଡିତ ଛାତ୍ର ! ମିରଟରେ ହେଲା ଚେକ-ଅପ

ଲକ୍ଷ୍ନୌ:ଉତ୍ତର ପ୍ରଦେଶ ମୁଜାଫରନଗରର ସ୍କୁଲ ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ନିଜ ସହପାଠୀମାନଙ୍କ ଦ୍ୱାରା ମାଡ଼ ମରାଯିବାର ଶିକାର ହୋଇଥିବା ସଂଖ୍ୟାଲଘୁ ଛାତ୍ରକୁ ଆଜି ସ୍ବାସ୍ଥ୍ୟ ପରୀକ୍ଷା ପାଇଁ ମିରଟର ଏକ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଛାତ୍ରଜଣଙ୍କର ମାନସିକ ସ୍ଥିତି ଉପରେ ବଡ ପ୍ରଭାବ ପଡିଥିବା ତାର ପରିବାର ସଦସ୍ୟ ସନ୍ଦେହ କରିଥିଲେ । ପରିବାର ସଦସ୍ୟଙ୍କ ସୂଚନା ଅନୁସାରେ, ଏପରି ଘଟଣା ପରେ ସେ ଗତକାଲି ରାତିରେ ଶୋଇ ପାରିନଥିଲା । ସେ ତାର ମାନସିକ ସନ୍ତୁଳନ ମଧ୍ୟ ପ୍ରଭାବିତ ହୋଇଥିବା ସନ୍ଦେହ କରିଥିଲେ ତାର ଅଭିଭାବକ । ଏପରି ସଙ୍ଗୀନ ଅଭିଯୋଗ ଉଠିବା ପରେ ପୀଡିତ ଛାତ୍ରଜଣକୁ ଆଜି (ରବିବାର) ମିରଟର ଏକ ହସ୍ପିଟାଲରେ ଡାକ୍ତରୀ ପରୀକ୍ଷା ପାଇଁ ନିଆଯାଇଥିଲା । ପୀଡ଼ିତ ଛାତ୍ରର ପିତା-ମାତା କହିଛନ୍ତି, ସ୍ବାସ୍ଥ୍ୟ ପରୀକ୍ଷା ପରେ ସେମାନେ ଘରକୁ ଫେରିଛନ୍ତି ଏବଂ ଏବେ ତାର ସ୍ଥିତି ସ୍ୱାଭାବିକ ରହିଛି ।

ଶୁକ୍ରବାର ଏହି ଘଟଣା ଲୋକଲୋଚନକୁ ଆସିଥିଲା । ମୁଜାଫରନଗର ଏକ ସ୍କୁଲରେ ଜଣେ ଶିକ୍ଷୟିତ୍ରୀ ଜଣେ ନିର୍ଦ୍ଦିଷ୍ଟ ସମ୍ପ୍ରଦାୟର ଛାତ୍ରଙ୍କୁ ଅନ୍ୟ ଜଣେ ଛାତ୍ରଙ୍କ ଦ୍ବାରା ମାଡ଼ ମାରିବା ଘଟଣାର ଭିଡିଓ ଭାଇରାଲ ହେବା ପରେ ରାଜନୈତିକ ଉଷ୍ମତା ପ୍ରକାଶ ପାଇଥିଲା । ଛାତ୍ରଙ୍କ ଦ୍ବାରା ଅନ୍ୟଜଣେ ଛାତ୍ରକୁ ମାଡ଼ ମାରିବା ନେଇ ନିର୍ଦ୍ଦେଶ ଦେଇଥିଲେ ଶିକ୍ଷୟିତ୍ରୀ । ଶିକ୍ଷୟିତ୍ରୀ ଜଣକ ଚୌକି ଉପରେ ବସି ଜଣେ ଜଣେ ଛାତ୍ରଙ୍କୁ ଡାକି ଅନ୍ୟ ଛାତ୍ରକୁ ଚାପୁଡା ମାରିବାକୁ ନିର୍ଦ୍ଦେଶ ଦେଉଛନ୍ତି । ଶିକ୍ଷୟିତ୍ରୀଙ୍କ ନିର୍ଦ୍ଦେଶରେ ଛାତ୍ରକୁ ଅନ୍ୟଜଣେ ଛାତ୍ର ମଧ୍ୟ ମାଡ ମାରୁଛି । ହେଲେ ଏପରି ଅଭିଯୋଗକୁ ଖଣ୍ଡନ କରିଥିଲେ ସମ୍ପୃକ୍ତ ଶିକ୍ଷୟିତ୍ରୀ ତୃପ୍ତା ତ୍ୟାଗୀ । ସେ ଜଣେ ଦିବ୍ୟାଙ୍ଗ ମହିଳା ହୋଇଥିବାରୁ ଅନ୍ୟ ଜଣେ ଛାତ୍ରକୁ ଏପରି କରିବାକୁ କହିଥିଲେ । ହେଲେ ତାଙ୍କର କୌଣସି ସାମ୍ପ୍ରଦାୟିକ ମନ୍ଦ ଉଦ୍ଦେଶ୍ୟ ନଥିବା ଶିକ୍ଷୟିତ୍ରୀ ଜଣକ କହିଥିଲେ । ଏହି ଘଟଣାରେ ତଦନ୍ତ ଜାରି ରହିଛି ।

ଏହା ମଧ୍ୟ ପଢନ୍ତୁ:-ଛାତ୍ରଙ୍କୁ ମାଡ ଘଟଣା; ‘ଏହା ହିନ୍ଦୁ-ମୁସଲିମ ଘଟଣା ନୁହେଁ, ଆମକୁ ନ୍ୟାୟ ଦରକାର’

ଅନ୍ୟପଟେ କଂଗ୍ରେସ ସମେତ ବିରୋଧୀ ଦଳମାନେ ଉତ୍ତର ପ୍ରଦେଶରେ ଯୋଗୀ ସରକାରଙ୍କ ଉପରେ ବର୍ଷିଥିଲେ । କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡେଗ ସିଧାସଳଖ ରାଷ୍ଟ୍ରୀୟ ସ୍ବଂୟ ସେବକ ସଂଘ ଓ ଭାରତୀୟ ଜନତା ପାର୍ଟିର ଏହା ଘୃଣ୍ୟ ରାଜନୀତି ପ୍ରସାରର ଫଳ ବୋଲି ବୋଲି କହିଥିଲେ । ସେହିପରି କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ, ଦଳର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ସଂଖ୍ୟାଲଘୁ ନେତା ଅସଦୁଦ୍ଦିନ ଓବେସୀ ମଧ୍ୟ ଯୋଗୀ ସରକାର ଓ ବିଜେପିକୁ ଟାର୍ଗେଟ କରିଥିଲେ ।

ଏହା ମଧ୍ୟ ପଢନ୍ତୁ :-UP Boy Slapping Video: ତେଜିଲା ରାଜନୀତି, BJP-RSSକୁ ଦୋଷ ଦେଲେ ବିରୋଧୀ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details