ରାୟପୁର:ଛତିଶଗଡରେ ବୀଭତ୍ସ ହତ୍ୟା । ସ୍ବାମୀ ସ୍ତ୍ରୀ ସମ୍ପର୍କରେ ଲାଗିଲା ରକ୍ତର ଛିଟା । ସ୍ତ୍ରୀକୁ ହତ୍ୟାକରି ଖଣ୍ଡ ଖଣ୍ଡ କରିଦେଲା ସ୍ବାମୀ । ହତ୍ୟାର ଏକ ମାସ ପରେ ମୃତଦେହ ଉଦ୍ଧାର କଲା ପୋଲିସ । ଏଭଳି ଏକ ଲୋମଟାଙ୍କୁରା ଘଟଣା ଘଟିଛି ସାକ୍ରି ପୋଲିସ ଷ୍ଟେସନ ସୀମା ଅନ୍ତର୍ଗତ ଉସଲାପୁର ଅଞ୍ଚଳରେ ।
ଏନେଇ ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ,''ଗତ ରବିବାର ବିଳମ୍ବିତ ରାତିରେ ଉସଲାପୁରର ଏକ ଘରର ପାଣି ଟାଙ୍କିରୁ ଜଣେ ମହିଳାଙ୍କ ମୃତଦେହ ଉଦ୍ଧାର କରାଯାଇଛି । ପ୍ରାଥମିକ ତଦନ୍ତ ପରେ ମୃତ ମହିଳା ଜଣଙ୍କ ସତୀ ସାହୁ ବୋଲି ଜଣାପଡିଛି । ପ୍ରାୟ 1ରୁ 2 ମାସ ହେବ ମୃତଦେହ ପାଣି ଟାଙ୍କିରେ ରହିଥିଲା । ବର୍ତ୍ତମାନ ମୃତଦେହ ଉଦ୍ଧାର ପରେ ବ୍ୟବଚ୍ଛେଦ ପାଇଁ ପଠାଯାଇଛି । ମୃତ ମହିଳାଙ୍କ ସ୍ୱାମୀ ପଓ୍ବନ ସିଂ ଠାକୁର କୌଣସି କାରଣରୁ ସ୍ତ୍ରୀକୁ ହତ୍ୟା କରି ମୃତଦେହକୁ ଖଣ୍ଡ ଖଣ୍ଡ କରି ପାଣି ଟାଙ୍କିରେ ଭର୍ତ୍ତି କରିଦେଇଥିବା ପୋଲିସ ସନ୍ଦେହ କରୁଛି ।
ଗତକାଲି ମୃତ ମହିଳାଙ୍କ ଘରୁ ଦୁର୍ଗନ୍ଧ ବାହାରିବାରୁ ପଡୋଶୀ ମାନେ ପୋଲିସକୁ ଖବର ଦେଇଥିଲେ। ଏହାପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଯାଞ୍ଚ କରିବା ସମୟରେ ପାଣି ଟାଙ୍କିରୁ ମହିଳାଙ୍କ ଖଣ୍ଡ ବିଖଣ୍ଡିତ ମୃତଦେହ ଉଦ୍ଧାର କରାଯାଇଥିଲା । ଏହାପରେ ମୃତଦେହକୁ ଫୋରେନସିକ୍ ସାଇନ୍ସ ଲାବ୍ରୋଟୋରୀକୁ ପୋଲିସ ପଠାଇଥିଲା। ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରଖିଥିବା ବେଳେ ମୃତ ମହିଳାଙ୍କ ସ୍ବାମୀଙ୍କୁ ଅଟକ ରଖି ପଚରାଉଚରା କରୁଛି। ତେବେ କେଉଁ କାରଣରୁ ପଓ୍ବନ ସିଂ ଠାକୁର ସ୍ତ୍ରୀକୁ ହତ୍ୟା କରିଛି ସେନେଇ ତଦନ୍ତ ଜାରି ରହିଛି ।
ନିକଟରେ ଆନ୍ଧ୍ରପ୍ରଦେଶରେ ଜଣେ ବ୍ୟକ୍ତିଙ୍କୁ ହତ୍ୟାପରେ 16 ଖଣ୍ଡ କରି ଲଙ୍କା କ୍ଷେତରେ ପୋଡି ଦେଇଥିଲେ ବାପ-ପୁଅ । ଗୁରୁଜଲା ନିର୍ବାଚନ ମଣ୍ଡଳୀ ଧଚେପଲ୍ଲୀ ଅଞ୍ଚଳରେ ଘଟିଥିଲା ଏପରି ଛାତିଥରା ଘଟଣା। ମୃତକ ହେଲେ କୋଟେଶ୍ବର ରାଓ, ସେ ଏକ ପ୍ଲମ୍ବର ଭାବେ କାମ କରୁଥିଲେ ।
ସେହିପରି ଶନିବାର ବିହାରର ବାଙ୍କା ସହରରେ ପରକୀୟା ପ୍ରୀତିକୁ ନେଇ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଥିଲା। ପରକୀୟା ପ୍ରୀତିକୁ ବିରୋଧ କରିବାରୁ ସ୍ତ୍ରୀକୁ ହତ୍ୟା କରିଥିଲା ସ୍ବାମୀ । ହତ୍ୟା ପରେ ଏହାକୁ ଆତ୍ମହତ୍ୟାର ରୂପ ଦେବାକୁ ସ୍ତ୍ରୀର ମୃତଦେହକୁ ସ୍କୁଟିରେ ଧରି ଥାନାରେ ପହଞ୍ଚିଥିଲା ଅଭିଯୁକ୍ତ । ଏହାପରେ ପୋଲିସ ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା । ଜଣେ ସମ୍ପର୍କୀୟଙ୍କ ସହ ସ୍ବାମୀର ସମ୍ପର୍କ ଥିବା ମୃତ ମହିଳା ଶିଳ୍ପୀ ଜାଣିବାକୁ ପାଇଥିଲେ । ଏହାପରେ ସ୍ବାମୀକୁ ବିରୋଧ କରିବାରୁ ସଞ୍ଜୟ ଏଥିରେ ରାଗି ଯାଇଥିଲେ । ଶେଷରେ ଉଭୟଙ୍କ ମଧ୍ୟରେ ବଚସା ନେଇଥିଲା ଉଗ୍ରରୂପ । ଶେଷରେ ଶିଳ୍ପୀଙ୍କୁ ସଞ୍ଜୟ ହତ୍ୟା କରିଥିଲା।