ପାଟନା:କଲେଜରେ ପାଠ ପଢୁଥିବା ବେଳେ ହୋଇଥିଲା ପ୍ରେମ । ହେଲେ ବିବାହ ପାଇଁ ଧର୍ମ ସାଜିଥିଲା ବାଧକ । ବାଗେଶ୍ବର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ କଥା କାର୍ଯ୍ୟକ୍ରମ ସନାତନ ଧର୍ମ ପ୍ରତି କରିଥିଲା ପ୍ରେରିତ । ଇସଲାମ ଧର୍ମ ତ୍ୟାଗ କରି ହିନ୍ଦୁ ଧର୍ମ ଗ୍ରହଣ କଲେ ଓ ସମ୍ପୂର୍ଣ୍ଣ ବୈଦିକ ରୀତିନୀତିରେ ମନ୍ଦିରରେ ବିବାହ କଲେ ଯୁବତୀ । ଏପରି ଏକ ଘଟଣା ବିହାର ବୈଶାଳୀ ଜିଲ୍ଲାରେ ଦେଖିବାକୁ ମିଳିଛି । ମୁଜାଫରପୁର ଜିଲ୍ଲାର ଜଣେ ମୁସଲିମ୍ ଯୁବତୀ ବୈଶାଳୀର ନିଜ କଲେଜ ସମୟର ପ୍ରେମିକକୁ ବିବାହ କରିଛି । କଲେଜରେ ପାଠ ପଢୁଥିବା ବେଳେ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ତେବେ ବିବାହ ପାଇଁ ସନାତନ ଧର୍ମ ସ୍ବୀକାର କରିବାର ପ୍ରେରଣା ତାଙ୍କୁ ବାଗେଶ୍ବର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କ ଠାରୁ ମିଳିଥିବା ଯୁବତୀଜଣଙ୍କ ପ୍ରକାଶ କରିଛନ୍ତି ।
ବୈଶାଳୀ ଜିଲ୍ଲା ସାହାଥ ଗ୍ରାମର ଉମାଶଙ୍କର କୁମ୍ବରଙ୍କ ପୁଅ ରୋସନ କୁମାର ଓ ମୁଜାଫରପୁର ମୁସଲିମ ଯୁବତୀ ନୌସିନ ପରବିନ ଏକାସାଙ୍ଗରେ କଲେଜରେ ପାଠ ପଢୁଥିଲେ । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଥିଲା । ହେଲେ ଉଭୟ ଭିନ୍ନ ଧର୍ମର ହୋଇଥିବା କାରଣରୁ ବିବାହ ନେଇ ଅନିଶ୍ଚିତତା ଲାଗି ରହିଥିଲା । ହେଲେ ନିକଟରେ ପାଟନାର ନୌବତପୁରରେ ବାଗେଶ୍ବର ବାବା ଧିରେନ୍ଦ୍ର ଶାସ୍ତ୍ରୀଙ୍କର ଏକ କଥା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମର ପ୍ରଭାବ ଯୁବତୀଙ୍କ ଉପରେ ପଡିଥିଲା । ସେ ଇସଲାମ ଧର୍ମ ପରିବର୍ତ୍ତନ କରି ହିନ୍ଦୁ ଧର୍ମ ଗ୍ରହଣ କରିବା ପାଇଁ ଆଗ୍ରହ ପ୍ରକାଶ କରିଥିଲେ । ପରେ ବିବାହ ପାଇଁ ଆୟୋଜନ କରାଯାଇଥିଲା । ଉଭୟ ଲାଲଗଞ୍ଜର ଆଚାର୍ଯ୍ୟ କମଲାକାନ୍ତ ପାଣ୍ଡେଙ୍କ ଠାରୁ ଧର୍ମ ପରିବର୍ତ୍ତନ ଓ ହିନ୍ଦୁତ୍ବ ଗ୍ରହଣ କରିବା ପାଇଁ ନିବେଦନ କରିଥିଲେ । ନାରାୟଣୀ ନଦୀକୂଳରେ ଆଚାର୍ଯ୍ୟଙ୍କ ଦ୍ବାରା ଯୁବତୀଙ୍କୁ ହିନ୍ଦୁ ଧର୍ମରେ ପ୍ରବେଶ କରାଯାଇଥିଲା ।