ଓଡିଶା

odisha

ETV Bharat / bharat

ମୁସଲିମ କାରିଗର ଗଢିଲେ ଶ୍ରୀରାମଙ୍କ ମୂର୍ତ୍ତି, ଅଯୋଧ୍ୟାରେ ଶୋଭା ବଢାଇବ

Muslim father son made Ram idols : ଆସନ୍ତା ଜାନୁଆରୀ ୨୨ରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରାଣ ପ୍ରତିଷ୍ଠା । ପଶ୍ଚିମବଙ୍ଗରେ ପ୍ରଭୁ ଶ୍ରୀରାମଙ୍କ ମୂର୍ତ୍ତି ଗଢିଲେ ମୁସଲିମ ବାପ-ପୁଅ । ଅଧିକ ପଢନ୍ତୁ

By ETV Bharat Odisha Team

Published : Dec 18, 2023, 8:36 PM IST

Duttapukur resident Jamaluddin
Duttapukur resident Jamaluddin

କୋଲକାତା:ଆସନ୍ତା ମାସ ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ପ୍ରଭୁ ଶ୍ରୀରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବ ଆୟୋଜିତ ହେବାକୁ ଯାଉଛି । ଏଥିଲାଗି ଚାଲିଛି ଜୋରଦାର ପ୍ରସ୍ତୁତି । ଏହି ଅବସରରେ ଅଯୋଧ୍ୟାରୁ ବରାଦ ଥିବା ୨ଟି ପ୍ରଭୁ ରାମଙ୍କ ମୂର୍ତ୍ତିକୁ ତିଆରି କରିଛନ୍ତି ପଶ୍ଚିମବଙ୍ଗ ୨୪ ପ୍ରଗଣାର ମୁସଲିମ କାରିଗର । ଯାହାକୁ ନେଇ ବେଶ ଚର୍ଚ୍ଚା ହେଉଛି । ଧର୍ମ, ବର୍ଣ୍ଣ, ନିର୍ବିଶେଷରେ ଆମେ ସମସ୍ତେ ଏକ ଏହି ବାର୍ତ୍ତା ଦେଇଛନ୍ତି ବଙ୍ଗର ବାପ-ପୁଅ କାରିଗର ।

ବଙ୍ଗରୁ ଏହି ମୁସଲିମ କାରିଗରଙ୍କ ଦ୍ବାରା ଗଢାଯାଇଥିବା ୨ଟି ମୂର୍ତ୍ତିକୁ ଉତ୍ତରପ୍ରଦେଶକୁ ପଠାଯାଇଛି । ଏହି ମୂର୍ତ୍ତିକୁ ଫାଇବର ଗ୍ଲାସ ଦ୍ବାରା ନିର୍ମିତ କରାଯାଇଛି । ଉତ୍ତର ୨୪ ପ୍ରଗଣାର ଦୁଟ୍ଟପୁକୁର ନିକଟ ଫାଲଦି ଅଞ୍ଚଳର ବିଟ୍ଟୁ ଫାଇବର ଗ୍ଲାସ ଫ୍ୟାକ୍ଟ୍ରିର ମାଲିକ ହେଉଛନ୍ତି ମୁସଲିମ ଧର୍ମାବଲମ୍ବୀ ବ୍ୟକ୍ତି ଜମାଲୁଦ୍ଦିନ । ସେ ଜଣେ ମୂର୍ତ୍ତି କାରିଗର ହୋଇଥିବା ବେଳେ ପୁଅ ବିଟ୍ଟୁ ମଧ୍ୟ ମୂର୍ତ୍ତି ଗଢିଥାଏ । ଅଯୋଧ୍ୟାରୁ ଏହି ମୂର୍ତ୍ତି ପାଇଁ ବରାଦ ଆସିଥିବାରୁ ଉଭୟ ମିଶି ୧୬ରୁ ୧୭ ଇଞ୍ଚ ଉଚ୍ଚର ୨ଟି ମୂର୍ତ୍ତି ଗଢିଥିଲେ । ଗୋଟିଏ ମୂର୍ତ୍ତିର ଗଢା ରକାମ ୮ମାସ ପୂର୍ବରୁ ସରିଥିବା ବେଳେ ଅନ୍ୟ ମୂର୍ତ୍ତିର ନିର୍ମାଣ କାର୍ଯ୍ୟ ମାସେ ତଳେ ଶେଷ ହୋଇଛି ।

ଏହା ବି ପଢନ୍ତୁ- ଭବ୍ୟ ରାମ ମନ୍ଦିର ପ୍ରତିଷ୍ଠା ପାଇଁ ଅଯୋଧ୍ୟାରୁ ଆସିଛି ନିମନ୍ତ୍ରଣ, ପୁରୀରେ ପହଞ୍ଚିଲା ଅକ୍ଷତ କଳସ

ଏହି ୨ଟି ମୂର୍ତ୍ତିର ଦାମ ୨.୮୦ ଲକ୍ଷ ଓ ୨.୫୦ ଲକ୍ଷ ରହିଛି । ସେ ଓ ତାଙ୍କ ପୁଅ ଉଭୟ ମିଶି ଏହାକୁ ନିର୍ମାଣ କରିଥିବା ବେଳେ ନିଜକୁ ବେଶ ସୌଭାଗ୍ୟଶାଳୀ ମନେ କରିଥିବା କହିଛନ୍ତି ଜମାଲୁଦ୍ଦିନ । ତେବେ ଉତ୍ତରପ୍ରଦେଶର ଜଣେ ବନ୍ଧୁ ତାଙ୍କୁ ରାମଙ୍କ ମୂର୍ତ୍ତି ଗଠନ ଲାଗି କହିଥିଲେ । ଏହାପରେ ରାମ ମନ୍ଦିର ଟ୍ରଷ୍ଟ ପକ୍ଷରୁ ତାଙ୍କୁ ଯୋଗାଯୋଗ କରାଯାଇଥିଲା । ଏହାପରେ ସେ ମୂର୍ତ୍ତି ଗଢିବା ଆରମ୍ଭ କରିଥିଲେ । ସେ ଅନେକ ବର୍ଷ ଧରି ମୂର୍ତ୍ତି ଗଢିବା କାର୍ଯ୍ୟ କରିଆସୁଛନ୍ତି । ସମୟ କ୍ରମେ ତାଙ୍କ ପୁଅ ବଡ ହୋଇ ତାଙ୍କୁ ଏହି କାର୍ଯ୍ୟରେ ସାହାଯ୍ୟ କରୁଛି ।

ହାଇଦ୍ରାବାଦ ରାମୋଜି ଫିଲ୍ମସିଟିରୁ ସେ ମୂର୍ତ୍ତି ଗଢା ତାଲିମ ନେଇଥିଲେ । ଏହାପରେ ସେ ଦୁଟ୍ଟପୁକୁର ଫେରି ମୂର୍ତ୍ତି ଗଢା କାମ ଆରମ୍ଭ କରିଥିଲେ । ଜମାଲୁଦ୍ଦିନ ନିଜ ବୃତ୍ତି ଲାଗି ଅନେକ ଅନୁଷ୍ଠାନ ପକ୍ଷରୁ ସମ୍ମାନ ହାସଲ କରିଛନ୍ତି । ତେବେ ଆସନ୍ତା ୨୨ ତାରିଖରେ ତାଙ୍କୁ ମଧ୍ୟ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବା ଲାଗି ନିମନ୍ତ୍ରଣ ଆସିଥିବା ସେ କହିଛନ୍ତି । ସୂଚନା ଥାଉ କି ଧାର୍ଯ୍ୟ ତାରିଖରେ ମହା ଆଡମ୍ବରରେ ମର୍ଯ୍ୟାଦା ପୁରୁଷ ପ୍ରଭୁ ରାମଚନ୍ଦ୍ରଙ୍କ ପ୍ରାଣ ପ୍ରତିଷ୍ଠା କରାଯିବ । ଏହି ଉତ୍ସବରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସମେତ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗଦାନ କରିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details