ନୂଆଦିଲ୍ଲୀ:ଜଣାଶୁଣା ସୋସିଆଲ ମିଡିଆ ସାଇଟ ଟ୍ବିଟର, ଟେସ୍ଲା ମାଲିକ ଏଲନ ମସ୍କଙ୍କ ନିୟନ୍ତ୍ରଣରେ ରହିଛି । କିଛିଦିନ ପୂର୍ବରୁ କମ୍ପାନୀରୁ କର୍ମଚାରୀ ଛଟେଇ ହେବ ବୋଲି ଘୋଷଣା କରିଥିଲେ ଏଲନ୍ ମସ୍କ । ତାହା ଆଜିଠାରୁ ଆରମ୍ଭ ହୋଇଛି । ଟ୍ବିଟର ଇଣ୍ଡିଆର ପ୍ରାୟ ୨୦୦ ଜଣ କର୍ମଚାରୀଙ୍କୁ ଆଜି ଛଟେଇ କରାଯାଇଛି (Twitter Sacks Employees)।
ଟ୍ବିଟର ଇଣ୍ଡିଆରେ ଏବେ ବି କର୍ମଚାରୀ ୱାର୍କ ଫ୍ରମ ହୋମ୍ ମୋଡ୍ରେ କାମ କରୁଛନ୍ତି । ତେବେ ସେମାନଙ୍କ ମଧ୍ୟରୁ ପ୍ରାୟ ୫୦ ପ୍ରତିଶତ କର୍ମଚାରୀଙ୍କୁ ଆଜି ଛଟେଇ କରି ଟ୍ବିଟର । ଟ୍ବିଟର ଇଣ୍ଡିଆର ମାର୍କେଟିଂ ଓ କମୁନିକେଶନ ବିଭାଗର ସମସ୍ତ କର୍ମଚାରୀଙ୍କୁ ଛଟେଇ କରାଯାଇଥିବା ନେଇ ମିଡିଆ ରିପୋର୍ଟ ପ୍ରକାଶ ପାଇଛି(Musk started termination in Twitter) ।
ଏହାକୁ ନେଇ କିଛି କର୍ମଚାରୀ କହିଛନ୍ତି, "ଶୁକ୍ରବାର ସକାଳୁ ଆମେ କମ୍ପାନୀ ଆଇଡିରେ ଲଗ ଇନ୍ କରିବାକୁ ଚେଷ୍ଟା କରିଥିଲୁ, କିନ୍ତୁ ଲଗ୍ ଇନ୍ ହୋଇନଥିଲା । ତାସହିତ କମ୍ପାନୀ ପକ୍ଷରୁ ଦିଆଯାଇଥିବା ଇମେଲ୍ ଆଇଡି ମଧ୍ୟ କାର୍ଯ୍ୟ କରିନଥିଲା । କମ୍ପାନୀର କୌଣସି ଗ୍ରୁପ୍ରେ ମଧ୍ୟ ଆମେ ଚାଟ୍ କରି ପାରିନଥିଲୁ । ବର୍ତ୍ତମାନ ଆମକୁ କ୍ଲିୟରାନ୍ସ ଓ ଦରମା ମିଳିବ କି ନମିଳିବ ତାହାକୁ ନେଇ ଆମେ ଦ୍ବନ୍ଦ୍ବରେ ରହିଛୁ ।"
ସେପଟେ ଏହାକୁ ଟ୍ବିଟର କମ୍ପାନୀ ପକ୍ଷରୁ କୁହାଯାଇଛି, "ପ୍ରତ୍ୟେକ କର୍ମଚାରୀଙ୍କୁ ଏକ ମେଲ୍ କରାଯିବ । ଆପଣଙ୍କ ନିଯୁକ୍ତ ପ୍ରଭାବିତ ହୋଇଛି କି ନାହିଁ ଏହି ମେଲ୍ରେ ଉତ୍ତର ଦେବାକୁ ହେବ । ଏହାପରେ ପରବର୍ତ୍ତୀ ପଦକ୍ଷେପ ବିଷୟରେ ଅବଗତ କରାଯିବ ।"
ଏଲନ ମସ୍କଙ୍କ ନିୟନ୍ତ୍ରଣକୁ ଟ୍ବିଟର ଯିବାପରେ ପ୍ରଥମେ ବଡ଼ବଡ଼ ଅଧିକାରୀଙ୍କୁ କମ୍ପାନୀରୁ ଟର୍ମିନେଟ୍ କରାଯାଇଥିଲା । ଭାରତୀୟ ବଂଶୋଦ୍ଭବ ଟ୍ବିଟର ସିଇଓ ପରାଗ ଅଗ୍ରୱାଲ୍ ଓ ତାଙ୍କ ଟିମ୍କୁ କମ୍ପାନୀରୁ ବାହାର କରି ଦେଇଥିଲେ ଏଲନ ମସ୍କ । ତେବେ ଆଜିର ଛଟେଇକୁ ନେଇ ଟ୍ବିଟର କର୍ମଚାରୀ କହିଛନ୍ତି, "ଅତି ଅମାନବୀୟ ତରିକାରେ ଆମକୁ କମ୍ପାନୀରୁ ବାହାର କରାଯାଇଛି । ଦୀର୍ଘ ବର୍ଷ ଧରି ଆମେ ଟ୍ବିଟର ଇଣ୍ଡିଆ ପାଇଁ କାମ କରି ଆସିଥିଲୁ । ଏଲନ ମସ୍କ ଟ୍ବିଟର ମାଲିକାନା ନେବେ ପରେ ତାଙ୍କସହ ଆମର କୌଣସି ଯୋଗାଯୋଗ ହୋଇନାହିଁ ।"
ବର୍ତ୍ତମାନ ଟ୍ବିଟରରେ ପ୍ରାୟ ୭୬୦୦ କର୍ମଚାରୀ କାମ କରୁଛନ୍ତି । ସେମାନଙ୍କ ମଧ୍ୟରୁ ଅଧା କର୍ମଚାରୀଙ୍କୁ ଛଟେଇ କରିବାକୁ ଯୋଜନା କରିଛନ୍ତି ଟ୍ବିଟରର ନୂଆ ସିଇଓ । ଏହାର ଅର୍ଥ ଟ୍ବିଟରରୁ ପ୍ରାୟ ୩୮୦୦ କର୍ମଚାରୀଙ୍କୁ ଛଟେଇ କରାଯିବ । ଏହାକୁ ବର୍ତ୍ତମାନ ଟ୍ବିଟର ଇଣ୍ଡିଆରେ କାମ କରୁଥିବା କର୍ମଚାରୀ ଚାକିରି ଚାଲିଯିବା ନେଇ ଚିନ୍ତାରେ ରହିଛନ୍ତି ।
ଏହାପୂର୍ବରୁ ଆଜି ଟ୍ବିଟର ପକ୍ଷରୁ ଏକ ଇଣ୍ଟରନାଲ ମେମୋ ଜାରି କରାଯାଇଥିଲା । ଏଥିରେ କୁହାଯାଇଥିଲା ଯେ, "ପ୍ରତ୍ୟେକ କର୍ମଚାରୀଙ୍କ ସୁରକ୍ଷା ପାଇଁ ଟ୍ବିଟର ଇଣ୍ଡିଆର ସିଷ୍ଟମ, କଷ୍ଟମର ଡାଟା ଏବଂ ଆମ ଅଫିସ ସାମୟିକ ଭାବରେ ବନ୍ଦ ରହିବ । ସମସ୍ତ ଆକ୍ସେସ୍ ମଧ୍ୟ ବନ୍ଦ ରହିବ । ଯଦି ଆପଣ ବାହାରି ଅଫିସ ଆସୁଛନ୍ତି ଦୟାକରି ଫେରି ଯାଆନ୍ତୁ ।"