ଅମରାବତୀ:ଆନ୍ଧ୍ର ପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ତେଲଗୁ ଦେଶମ ପାର୍ଟି (ଟିଡିପି) ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କ ବିରୋଧରେ ଆସିଛି ହତ୍ୟା ଉଦ୍ୟମ ଓ ଅପରାଧିକ ଷଡ଼ଯନ୍ତ୍ର ପରି ସଙ୍ଗୀନ ଅଭିଯୋଗ । ଏକ ଶୋଭାଯାତ୍ରାରେ ନାଇଡୁଙ୍କ ଉତ୍ତେଜିତ ମନ୍ତବ୍ୟ ପରେ ତାଙ୍କର ଦଳୀୟ କର୍ମୀଙ୍କ ଦ୍ବାରା ହିଂସାକାଣ୍ଡ ହୋଇଥିବା ଶାସକ ଦଳର ଜଣେ ନେତାଙ୍କ ଅଭିଯୋଗ ଆଧାରରେ ଏକ ମାମଲା ମଧ୍ୟ ପୋଲିସ ରୁଜୁ କରିଛି । ଆନ୍ଧ୍ରର ଥମ୍ବଲାପଲ୍ଲୀ ନିର୍ବାଚନ ମଣ୍ଡଳୀରେ ଚନ୍ଦ୍ରବାବୁଙ୍କ ସମେତ ମୋଟ 20 ଜଣ ଟିଡିପି ନେତାଙ୍କ ବିରୋଧରେ ଏହି ମାମଲା ରୁଜୁ ହୋଇଥିବା ସୂଚନା ମିଳିଛି ।
ଏହି ମାମଲାରେ ଚନ୍ଦ୍ରବାବୁଙ୍କ ସମେତ ଦଳୀୟ ନେତା ତଥା ପୂର୍ବତନ ମନ୍ତ୍ରୀ ଦେବିନେନି ଉମା, ଅମରନାଥ ରେଡ୍ଡୀ, MLC ରଙ୍ଗପାଲ ରେଡ୍ଡୀ ଏବଂ ନାଲାରୀ କିଶୋର କୁମାର ପ୍ରମୁଖ ନେତାଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି । ଏମାନଙ୍କ ବ୍ୟତୀତ ଟିଡିପି ନେତା ଦାମଲପତି ରମେଶ, ରେଡ୍ଡେପାଗାରୀ ଶ୍ରୀନିବାସ ରେଡ୍ଡୀ, ଗନ୍ତା ନରହରି, ଶ୍ରୀରାମ ଚିନାବାବୁ, ପୁଲୱାର୍ଥୀ ନନି ଏବଂ ଅନ୍ୟମାନଙ୍କୁ ମଧ୍ୟ ଅଭିଯୁକ୍ତ ଭାବେ ନାମିତ କରାଯାଇଛି ।
ଶାସକ ଦଳ YSRCPର ନେତା ଉମାପତି ରେଡ୍ଡୀ ଏହି ଅଭିଯୋଗ କରିଛନ୍ତି । ଅଭିଯୋଗକାରୀଙ୍କ ଏତଲା ଅନୁସାରେ, ଏହି ନେତାମାନେ ଚଳିତମାସ 4 ତାରିଖରେ ଅନଗାଲ୍ଲୁ ଜିଲ୍ଲାରେ ଟିଡିପି ପକ୍ଷରୁ ଆୟୋଜିତ ଏକ ରୋଡ ସୋ'ରେ ପାର୍ଟି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁ ଅଂଶଗ୍ରହଣ କରିଥିଲେ । ଏଥିରେ ନାଇଡୁ ଉତ୍ତେଜନା ସୃଷ୍ଟିକାରୀ ଭାଷଣ ଦେଇଥିଲେ । ପରେ ହିଂସା ଦେଖାଯାଇଥିଲା । କିଛି ଟିଡିପି ନେତା ଓ କର୍ମୀ ମାରଣାସ୍ତ୍ର ସହ ହିଂସା ସୃଷ୍ଟି କରିବା ସହ ଶାସକ ଓ୍ବାଇଏସ୍ଆର୍ କଂଗ୍ରେସ କର୍ମୀଙ୍କୁ ଆକ୍ରମଣ କରଥିବା ଅଭିଯୋଗ ହୋଇଥିଲା । ଉଭୟ ଗୋଷ୍ଠୀ ମଧ୍ୟରେ ହିଂସକ ସଂଘର୍ଷ ଦେଖାଯାଇଥିଲା । ଚନ୍ଦ୍ରବାବୁଙ୍କ ଦଳୀୟ କାର୍ଯ୍ୟକର୍ତ୍ତା ମାରଣାସ୍ତ୍ରରେ ଲୋକଙ୍କୁ ଭୟଭୀତ କରିଥିବା ଅଭିଯୋଗ ହୋଇଛି ।