ମୁମ୍ବାଇ:ଘଟଣାକୁ 15 ବର୍ଷ ବିତି ଗଲାଣି, ହେଲେ ଆଜି ବି ଆଖି ଆଗରେ ନାଚି ଉଠୁଛି ସେହି କରାଳ ଦୃଶ୍ୟ । ସେହି ଆତଙ୍କୀ ଆକ୍ରମଣ ପୂରା ବିଶ୍ୱକୁ ଦୋହଲାଇ ରଖି ଦେଇଥିଲା । ଭାରତର ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଥିଲା । ଲସ୍କର-ଏ-ତୋଏବା ଆତଙ୍କବାଦୀଙ୍କ ରକ୍ତର ହୋଲିରେ 166 ଜଣଙ୍କ ପ୍ରାଣ ବଳି ପଡ଼ିଥିଲା । ହଁ, ଆମେ କହୁଛୁ 2008 ମସିହା 26/11 ମୁମ୍ବାଇ ଆତଙ୍କୀ ଆକ୍ରମଣ କଥା । ଆତଙ୍କୀ ଆକ୍ରମଣକୁ 15 ବର୍ଷ ବିତି ଗଲାଣି । 2008 ମସିହା ଆଜିର ଦିନରେ ସୁରକ୍ଷା ବଳୟ ଭାଙ୍ଗି ପଶି ଆସିଥିଲେ ଆତଙ୍କବାଦୀ । ପ୍ରାଣଭିକ୍ଷା ବଦଳରେ ମୃତ୍ୟୁ ଦେଇ ଯାଇଥିଲେ ପାଶାଣ ହୃଦୟଧାରୀ । ଗୁଳି ଓ ବୋମାମାଡ଼ରେ ଥରହର ହୋଇ ଉଠିଥିଲା ମାୟା ନଗରୀ । 26 ଜଣ ବିଦେଶୀ ନାଗରିକଙ୍କ ଜୀବନ ଯାଇଥିବା ବେଳେ ୩୦୦ରୁ ଅଧିକ ଲୋକ ଆହତ ହୋଇଥିଲେ । ଏହି ଆତଙ୍କୀ ଆକ୍ରମଣର ଜଣେ ମୁକସାକ୍ଷୀ ହେଉଛନ୍ତି ଛୋଟୁ ଚାଏୱାଲା । ସେଦିନ ଅନେକଙ୍କ ଜୀବନ ବଞ୍ଚାଇ ଥିଲେ । ଛତ୍ରପତି ଶିବାଜୀ ଟର୍ମିନସ୍ ନିକଟସ୍ଥ ସେଣ୍ଟ୍ ଜର୍ଜ ହସ୍ପିଟାଲ୍ ସମ୍ମୁଖରେ ଏକ ଛୋଟ ଚା ଦୋକନ କରିଛନ୍ତି ଛୋଟୁ । ମହମ୍ମଦ ତୌଫିକ ଶେଖ୍ ଛୋଟୁ ଚାଏୱାଲା ନାମରେ ଜଣା ଶୁଣା । ସେଦିନର ରାତି କେତେ ଭୟାବହ ଥିଲା ତାହାକୁ ଇଟିଭି ଭାରତ ସହ ଆଲୋଚନା କରିଛନ୍ତି ଛୋଟୁ ।
ପାକିସ୍ତାନୀ ଆତଙ୍କୀ ଅଜମଲ କସାବ ଓ ଇସ୍ମାଇଲ ଖାନ୍ର ଓପନ ଫାୟରିଂରୁ ଅଳ୍ପକେ ରକ୍ଷା ପାଇଥିଲେ ତୌଫିକ । ସେଦିନର କଳା ରାତିକୁ ଆଜି ମଧ୍ୟ ଭୁଲି ପାରିନାହାଁନ୍ତି । ସେ ଗୁଳିବର୍ଷଣର ଶବ୍ଦ ଆଜି ମଧ୍ୟ କାନରେ ବାଜି ଛାତି ଥରାଇ ଦେଉଛି । ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ମଧ୍ୟ ହୋଇଥିଲେ । ଖାଲି ଚିତ୍କାର ଓ ଜୀବନ ଭିକ୍ଷା ଲୋଟି ପଡ଼ୁଥିଲେ ସାଧାରଣ ଲୋକେ । ଛୋଟୁ ଚାଏୱାଲା ଛତ୍ରପତି ଶିବାଜୀ ମହାରାଜ ଟର୍ମିନସ ରେଲୱେ ଷ୍ଟେସନକୁ ଚା ଟଙ୍କା ଆଣିବାକୁ ଯାଇଥିବା ବେଳେ ଏହି ଆକ୍ରମଣ ଘଟିଥିଲା । ଜୀବନକୁ ବାଜି ଲଗାଇ ଶହଶହ ସାଧାରଣ ଲୋକଙ୍କର ଜୀବନ ମଧ୍ୟ ବଞ୍ଚାଇଥିଲେ ଛୋଟୁ । ଏହି ସାହାସିକତା ପାଇଁ ତାଙ୍କୁ ସମ୍ମାନିତ କରାଯାଇଥିବା ବେଳେ ଆର୍ଥିକ ସହାୟତା ମଧ୍ୟ ପ୍ରଦାନ କରାଯାଇଥିଲା ।
ଛୋଟୁ ଚାଏୱାଲା କହିଛନ୍ତି, "ମୁଁ ରାତି 9ଟା ସମୟରେ ଚା ଟଙ୍କା ଆଣିବା ପାଇଁ ପ୍ଲାଟଫର୍ମ ନମ୍ବର 21ରୁ 26କୁ ଯାଇଥିଲି । ଏହାପରେ ମୁଁ ଗୁଳି ଫୁଟିବାର ଶବ୍ଦ ଶୁଣିଥିଲି । ପ୍ରଥମେ ଏହାକୁ ବାଣ ଫୁଟୁଛି ଭାବିଥିଲି । ସେହି ସମୟରେ ଭାରତ ଓ ଇଂଲଣ୍ଡ ମଧ୍ୟରେ କ୍ରିକେଟ ମ୍ୟାଚ୍ ଆରମ୍ଭ ହୋଇଥିଲା । ପରେ ମୁଁ ବିସ୍ଫୋରଣ ସହ ଗୁଳି ବର୍ଷାର ଶବ୍ଦ ଶୁଣିଥିଲି । କେଉଁଠାରୁ ଏହି ଶବ୍ଦ ଆସୁଛି ଏହା ଜାଣିବା ପାଇଁ ଦେଖେ ତ ଦୁଇ ଜଣ ବନ୍ଧୁକଧାରୀ ବ୍ୟକ୍ତି ଲୋକଙ୍କ ଉପରକୁ ଗୁଳି ବର୍ଷଣ କରୁଥିଲେ । ନିର୍ଦ୍ଦୟ ଭାବରେ ଜଣକ ପରେ ଜଣକୁ ଗୁଳି ବର୍ଷା କରିଥିଲେ । କିଛି କ୍ଷଣ ପାଇଁ ମୁଁ ମରିଯିବି ବୋଲି ଭାବିଥିଲି । ମୁଁ ମୋ ପତ୍ନୀକୁ ଫୋନ କରି ଘରକୁ ଆଉ ଫେରିବିନି ବୋଲି କହିଥିଲି । ଗୁଳି ବିନିମୟ ବେଳେ ମୁଁ ଟିକେଟ୍ କାଉଣ୍ଟର ନିକଟରେ ଥିବା ମେଡିକାଲ୍ ଦୋକାନ ନିକଟରେ ଠିଆ ହେଇଥିଲି । ଗୁଳି ଶବ୍ଦ ଶୁଣି ମୁଁ ପାଟି କରିବାକୁ ଲାଗିଲି । ସେତେବେଳେ ଛତ୍ରପତି ଶିବାଜୀ ମହାରାଜ ଟର୍ମିନାସ୍ ରେଳ ଷ୍ଟେସନରୁ ଅନେକ ଲୋକ ବାହାରକୁ ଆସିଥିଲେ । ପ୍ରାୟ 75 ପ୍ରତିଶତ ଯାତ୍ରୀ ବାହାରକୁ ଯାଇଥିଲେ । ଆମେ ଆଠରୁ ଦଶ ଜଣ ଟିକେଟ୍ କାଉଣ୍ଟରରେ ଥିଲୁ । ଆତଙ୍କବାଦୀ କସାବ ଟିକେଟ୍ କାଉଣ୍ଟର ଆଗରେ ଆସି ଗୁଳି ଚଳାଇଥିଲା । ଯେଉଁଠାରେ ଆମେ ଛିଡ଼ା ହୋଇଥିଲୁ ସେ ଟିକେଟ୍ କାଉଣ୍ଟର ଭାଙ୍ଗି ଯାଇଥିଲା । ଗୁଳିମାଡ଼ରେ ଟିକେଟ୍ କାଉଣ୍ଟର କାଚ ଭାଙ୍ଗିବା ସହ ଷ୍ଟେସନ୍ ମାଷ୍ଟରଙ୍କ ବେକରେ ଏକ କାଚ ଅଟକି ଯାଇଥିଲା । ଏହାପରେ ଆହତ ଲୋକଙ୍କୁ ସାହାଯ୍ୟ କରିବା ଆରମ୍ଭ କରିଥିଲୁ । ଠେଲା ଗାଡିରେ ନେଇ ଲୋକମାନଙ୍କୁ ହସ୍ପିଚାଲରେ ପହଞ୍ଚାଇଥିଲୁ । ଆହତ ରେଳ ଷ୍ଟେସନ ମାଷ୍ଟରଙ୍କୁ ବାୟକୁଲା ରେଲୱେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।"