ଓଡିଶା

odisha

By

Published : Aug 6, 2023, 11:50 AM IST

ETV Bharat / bharat

ଟ୍ରେନରେ ବୋମା ବିସ୍ଫୋରଣ ପାଇଁ ଧମକ, ମୁମ୍ବାଇ ପୋଲିସକୁ ଆସିଲା କଲ୍

ମୁମ୍ବାଇରେ ଲୋକାଲ ଟ୍ରେନରେ ବୋମା ବିସ୍ଫୋରଣ ପାଇଁ ଧମକ । ଦିନକ ପୂର୍ବରୁ ଏୟାରପୋର୍ଟରେ ବିସ୍ଫୋରଣ ପାଇଁ ଧମକପୂର୍ଣ୍ଣ କଲ୍ ଆସିଥିଲା । ଅଧିକ ପଢନ୍ତୁ

ଟ୍ରେନରେ ବୋମା ବିସ୍ଫୋରଣ ପାଇଁ ଧମକ
ଟ୍ରେନରେ ବୋମା ବିସ୍ଫୋରଣ ପାଇଁ ଧମକ

ମୁମ୍ବାଇ:ମାୟାନଗରୀ ମୁମ୍ବାଇରେ ବୋମା ବିସ୍ଫୋରଣ ପାଇଁ ପୁଣିଥରେ ଧମକ ମିଳିଛି । ସହରର ଲୋକାଲ ଟ୍ରେନରେ ସିରିଜ ବୋମା ବିସ୍ଫୋରଣ କରିବା ନେଇ ଧମକପୂର୍ଣ୍ଣ କଲ୍ ଆସିଛି । ଆଜି ସକାଳେ କେହି ଜଣେ ଅଜ୍ଞାତ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ କରି ଗୋଟିଏ ଟ୍ରେନରେ ବୋମା ଖଞ୍ଜା ଯାଇଥିବା କହିଛି । ଏହି ଧମକପୂର୍ଣ୍ଣ କଲ୍ ମିଳିବା ପରେ ଆଲର୍ଟ ମୋଡକୁ ଆସିଛି ପୋଲିସ । ଗତକାଲି ମୁମ୍ବାଇ ବିମାନ ବନ୍ଦରରେ ବିସ୍ଫୋରଣ ପାଇଁ ଧମକ ମିଳିଥିଲା ।

ଦିନକ ପରେ ଏବେ ଟ୍ରେନରେ ଧମାକା ପାଇଁ ଧମକ ମିଳିଛି । ଯାହା ସୂଚନା ହସ୍ତଗତ ହୋଇଛି, ଆଜି ସକାଳେ ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଏକ କଲ୍ ଆସିଥିଲା । କଲ୍ କରିଥିବା ଦୁର୍ବୃତ୍ତ ଲୋକାଲ ଟ୍ରେନରେ ବୋମା ଖଞ୍ଜା ହୋଇଛି ବୋଲି କହିଥିଲା । ପୋଲିସ କେଉଁଠି ବୋମା ଖଞ୍ଜା ହୋଇଛି ପଚାରିବାରୁ ସେ ଚୁପ୍ ରହିଥିଲା । କେବଳ ସେ ଜୁହୁ ବିଲେପାର୍ଲେ ଅଞ୍ଚଳରୁ କଲ୍ କରିଛି କହି ଫୋନ କାଟି ଦେଇଥିଲା । ପୋଲିସ ଅଧିକ ସୂଚନା ପାଇଁ ସେହି ନମ୍ବରକୁ ଆଉ ଥରେ ଡାଏଲ କରିବାରୁ ଦୁର୍ବୃତ୍ତ ଜଣକ ଫୋନ ସୁଇଚ ଅଫ୍ କରିଦେଇଥିଲା ।

ଏହାମଧ୍ୟ ପଢନ୍ତୁ: ଦିଲ୍ଲୀ ଓ ମୁମ୍ବାଇ ବିମାନ ବନ୍ଦରରେ ବୋମା ବିସ୍ଫୋରଣ ଧମକ ! ଯାଞ୍ଚ ପରେ ଜଣାପଡିଲା ଗୁଜବ

ଏହି ଘଟଣାକୁ ପୋଲିସ ଗୁରୁତ୍ବର ସହ ନେଇଛି । ସହରରେ ସୁରକ୍ଷା ବ୍ୟବସ୍ଥା ଅଧିକ କଡାକଡି କରାଯାଇ ଖୋଳତାଡ ଜାରି ରହିଛି । ତେବେ କଲ୍ କରିଥିବା ଲୋକଟି କିଏ ସେନେଇ କିଛି ସ୍ପଷ୍ଟ ହୋଇନି । ତେବେ ଏହା ପ୍ରଥମ ଥର ନୁହେଁ, ମୁମ୍ବାଇ ପୋଲିସକୁ ପୂର୍ବରୁ ଏଭଳି ଅନେକ ଧମକପୂର୍ଣ୍ଣ କଲ୍ ଓ ମେସେଜ ଆସିଛି । ଅଜଣା ନମ୍ବରରୁ ସହରରେ ଆତଙ୍କୀ ଆକ୍ରମଣ ପାଇଁ ବହୁବାର ଧମକ ମିଳିଛି ।

ଗତକାଲି ମଧ୍ୟ କେହି ଜଣେ କଲ୍ କହି ମୁମ୍ବାଇ ଓ ଦିଲ୍ଲୀ ଏୟାରପୋର୍ଟରେ ବୋମା ବିସ୍ଫୋରଣ କରିବା ପାଇଁ ଧମକ ଦେଇଥିଲା । ହେଲେ ଉଭୟ ବିମାନ ବନ୍ଦରରେ ଟିକିନିକି ଯାଞ୍ଚ କରାଯାଇଥିଲେ ସୁଦ୍ଧା କୌଣସି ପ୍ରକାର ବିସ୍ଫୋରଣ କିମ୍ବା ଆପତ୍ତିଜନକ ସାମଗ୍ରୀ ମିଳି ନଥିଲା । ଏହାପରେ ପୋଲିସ କଲ୍ କରିଥିବା ଅଜଣା ଦୁର୍ବୃତ୍ତ ବିରୋଧରେ ଏକାଧିକ ମାମଲା ରୁଜୁ କରି ତଦନ୍ତ ଚଳାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details