ଓଡିଶା

odisha

ETV Bharat / bharat

Hoax Call: ମୁମ୍ବାଇ ୨୬/୧୧ ଆକ୍ରମଣର ପୁନରାବୃତ୍ତି ଧମକ, ଯୁବକ ଗିରଫ - ମୁମ୍ବାଇ କଣ୍ଟ୍ରୋଲ ରୁମକୁ ଧମକ କଲ୍‌

ମୁମ୍ବାଇ ତାଜ ହୋଟେଲରେ ଆତଙ୍କୀ ହମଲା ନେଇ ମୁମ୍ବାଇ କଣ୍ଟ୍ରୋଲ ରୁମକୁ ଆସିଲା ଧମକ । ୨୪ ଘଣ୍ଟା ମଧ୍ୟରେ ଅଭିଯୁକ୍ତକୁ ଗିରଫ କଲା ମୁମ୍ବାଇ ପୋଲିସ । ଅଧିକ ପଢନ୍ତୁ

Etv Bharat
Etv Bharat

By ETV Bharat Odisha Team

Published : Sep 1, 2023, 6:26 PM IST

ମୁମ୍ବାଇ:୨୦୦୮ ମସିହା ନଭେମ୍ବର ୧୧ ତାରିଖରେ ସ୍ବପ୍ନ ନଗରୀ ମୁମ୍ବାଇ ଆକ୍ରମଣ ପୁରା ଦେଶକୁ ଦୋହଲାଇ ଦେଇଥିଲା । ତେବେ ପୁଣି ଏମିତି ଆତଙ୍କୀ ହମଲା ଲାଗି ମୁମ୍ବାଇ କଣ୍ଟ୍ରୋଲ ରୁମକୁ ଆସିଲା ଧମକ । ଜଣେ ୩୬ ବର୍ଷୀୟ ଯୁବକକୁ ଫୋନ ଯୋଗେ ମୁମ୍ବାଇ ପୋଲିସକୁ ସୂଚନା ଦେଇଥିଲା । ମୁମ୍ବାଇର ତାଜ ହୋଟେଲରେ ଆତଙ୍କୀ ଆକ୍ରମଣ କରିବା ଲାଗି ମୁମ୍ବାଇ ପୋଲିସକୁ ଗତକାଲି (ଗୁରୁବାର) ଆସିଥିଲା ଏହି ଫେକ୍‌ କଲ୍‌ ।

ଏନେଇ ସାନ୍ତାକ୍ରୁଜ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଛି । ପୋଲିସର କହିବା ଅନୁସାରେ ଗୁରୁବାର ମୁମ୍ବାଇ କଣ୍ଟ୍ରୋଲ ରୁମକୁ ଆସିଥିଲା କଲ୍‌ । ୨ଜଣ ପାକିସ୍ତାନୀ ଆତଙ୍କୀ ସମୁଦ୍ର ଉପକୂଳ ଦେଇ ମୁମ୍ବାଇ ସହରରେ ପହଞ୍ଚିଛନ୍ତି ଓ ସେମାନେ ତାଜ ହୋଟେଲ ଉପରେ ୨୬/୧୧ ଭଳି ପୁନର୍ବାର ଆକ୍ରମଣ କରିବେ ବୋଲି କୁହାଯାଇଥିଲା । ଏହି କଲ୍‌ କରିଥିବା ଯୁବକ ଜଣକ ନିଜର ନାମ ମୁକେଶ ସିଂ ବୋଲି କହିଥିଲା । ଫୋନ ଯୋଗେ ଏହି ସୂଚନା ପାଇବା ପରେ ମୁମ୍ବାଇ କ୍ରାଇମବ୍ରାଞ୍ଚ ସଙ୍ଗେ ସଙ୍ଗେ ତଦନ୍ତ କରିଥିଲା ।

ଏହା ବି ପଢନ୍ତୁ- ଫେକ୍‌ କଲ୍‌ରେ ଆତଙ୍କବାଦୀ ଆକ୍ରମଣ ଧମକ, 61 ବର୍ଷୀୟ ବ୍ୟକ୍ତିକୁ ବାନ୍ଧିଲା ମୁମ୍ବାଇ ପୋଲିସ

ତଦନ୍ତ ପରେ ଅଭିଯୁକ୍ତ ଜଣ ଉତ୍ତରପ୍ରଦେଶ ଗୋଣ୍ଡାର ଏକ ଗ୍ରାମର ଅଧିବାସୀ ଜଗଦମ୍ବା ପ୍ରସାଦ ସିଂ ବୋଲି ଜଣାପଡ଼ିଛି । ସେ ସାନ୍ତାକ୍ରୁଜ ୱେଷ୍ଟରେ ରହୁଛି । ପୋଲିସ ଅଭିଯୁକ୍ତର ଠିକଣା ପାଇବା ପରେ ୨୪ ଘଣ୍ଟା ମଧ୍ୟରେ ତାକୁ ଗିରଫ କରିବା ସହ ଉକ୍ତ ଫୋନକୁ ମଧ୍ୟ ଜବତ କରିଛି । ପଚରାଉଚରା ସମୟରେ ଅଭିଯୁକ୍ତ ଜଣକ ନିଜ ଦୋଷ ସ୍ବୀକାର କରିବା ପରେ ତାକୁ ସାନ୍ତାକ୍ରୁଜ ପୋଲିସ ଷ୍ଟେସନକୁ ପଠାଇ ଦିଆଯାଇଛି ।

ସୂଚନା ଥାଉ କି ୨୦୦୮ ନଭେମ୍ବର ୧୧ ତାରିଖରେ କିଛି ପାକ୍‌ ଆତଙ୍କବାଦୀ ଭାରତ ମଧ୍ୟକୁ ଜଳପଥ ଦେଇ ପ୍ରବେଶ କରିଥିଲେ । ଏହାପରେ ଆଖି ପିଛୁଳାକେ ମୁମ୍ବାଇର ଜନବହୁଳ ସ୍ଥାନରେ ଆକ୍ରମଣ କରିଥିଲେ । ଏହି ଆତଙ୍କୀ ଲସ୍କର-ଏ-ତୋଇବା ଆତଙ୍କୀ ସଂଗଠନର ବୋଲି ଜଣାପଡ଼ିଥିଲା । ଏହି ଆକ୍ରମଣରେ ୧୬୬ ଜଣ ଭାରତୀୟ ନାଗରିକଙ୍କ ମୃତ୍ୟୁ ଘଟିଥିବା ବେଳେ ୧୮ ଜଣ ସୁରକ୍ଷା କର୍ମୀ ମଧ୍ୟ ଶହୀଦ ହୋଇଥିଲେ । ୩୦୦ ଜଣ ଭାରତୀୟ ଆହତ ହୋଇଥିଲେ । ଲସ୍କର-ଏ-ତୋଇବାର ଏହି ୧୦ ଆତଙ୍କୀ ୩ଟି ଗ୍ରୁପରେ ବିଭିନ୍ନ ସ୍ଥାନରେ ଆକ୍ରଣ କରିଥିଲେ । ଭାରତୀୟ ସୁରକ୍ଷା ବଳ ୯ ଜଣ ଆତଙ୍କୀକୁ ନିହତ କରିଥିବା ବେଳେ ୨୦୧୨ ନଭେମ୍ବର ୨୧ ତାରିଖରେ ୧୦ ନଂ ଆତଙ୍କୀ ଅଜମଲ କସାବକୁ ଫାଶୀଦଣ୍ଡ ଦିଆଯାଇଥିଲା ।

ABOUT THE AUTHOR

...view details