ଓଡିଶା

odisha

ETV Bharat / bharat

ନଭେମ୍ବର ୧୩ ଯାଏଁ ପୋଲିସ ହେପାଜତକୁ ଗଲେ ସଚିନ ଓ୍ବାଜେ - ସଚୀନ ଓ୍ବାଜେ

ନଭେମ୍ବର ୧୩ ଯାଏଁ ପୋଲିସ ହେପାଜତରେ ରହିବେ ଗିରଫ ମୁମ୍ବାଇ ପୂର୍ବତନ ପୋଲିସ ଅଧିକାରୀ ସଚିନ ଓ୍ବାଜେ । ମୁମ୍ବାଇର ଏସପ୍ଲାନେଡ କୋର୍ଟ ଦେଲେ ନିର୍ଦ୍ଦେଶ । ଅଧିକ ପଢନ୍ତୁ...

ନଭେମ୍ବର ୧୩ ଯାଏ ପୋଲିସ ହେପାଜତକୁ ଗଲେ ସଚିନ ଓ୍ବାଜେ
ନଭେମ୍ବର ୧୩ ଯାଏ ପୋଲିସ ହେପାଜତକୁ ଗଲେ ସଚିନ ଓ୍ବାଜେ

By

Published : Nov 6, 2021, 5:15 PM IST

ମୁମ୍ବାଇ:ଗିରଫ ପୂର୍ବତନ ମୁମ୍ବାଇ ପୋଲିସ ଅଧିକାରୀ ସଚିନ ଓ୍ବାଜେଙ୍କୁ ଆସନ୍ତା 13 ତାରିଖ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଇଲେ ମୁମ୍ବାଇର ଏସପ୍ଲାନେଡ କୋର୍ଟ । ଆଜି (ଶନିବାର) କୋର୍ଟ ଏହି ମାମଲାର ଶୁଣାଣିରେ ଏହି ରାୟ ଦେଇଛନ୍ତି । CrPCର ଧାରା 164 ଅନୁଯାୟୀ ଚାନ୍ଦା ଆଦାୟ ମାମଲାରେ ସାକ୍ଷୀଙ୍କ ବୟାନ ରେକର୍ଡିଂ ପାଇଁ ସଚିନଙ୍କୁ ରିମାଣ୍ଡରେ ନେବା ପାଇଁ କୋର୍ଟରେ ଆବେଦନ କରିଥିଲା କ୍ରାଇମବ୍ରାଞ୍ଚ । ତେବେ ନଭେମ୍ବର 8ରେ ଏହି ବୟାନ ରେକର୍ଡ ହେବାକୁ ତାରିଖ ଧାର୍ଯ୍ୟ କରାଯାଇଥିବାବେଳେ କୋର୍ଟ ଏହାକୁ ବିଚାରକୁ ନେଇ ରିମାଣ୍ଡକୁ ଅନୁମତି ଦେଇଛନ୍ତି ।

ଏହାପୂର୍ବରୁ ନଭେମ୍ବର ପହିଲାରେ ଏସପ୍ଲାନେଡ କୋର୍ଟ ସଚିନ ୱାଜେଙ୍କୁ ନଭେମ୍ବର 6 ପର୍ଯ୍ୟନ୍ତ କ୍ରାଇମବ୍ରାଞ୍ଚ ରିମାଣ୍ଡକୁ ପଠାଇଥିଲେ । ତେବେ କ୍ରାଇମବ୍ରାଞ୍ଚ ଏହି ମାମଲାରେ ସଚିନଙ୍କୁ 10 ଦିନିଆ ହେପାଜତରେ ନେବାକୁ କୋର୍ଟରେ ଆବେଦନ କରିଥିଲେ।

ଜୁଲାଇ 23ରେ ଗୋରେଗାଓଁ ପୋଲିସ ଷ୍ଟେସନରେ ସଚିନ ଓ୍ବାଜେ ଓ ପୂର୍ବତନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂ ଏବଂ ଅନ୍ୟମାନଙ୍କ ବିରୋଧରେ ମାମଲା ରୁଜୁ ହେବା ସହ ମୁମ୍ବାଇ କ୍ରାଇମବ୍ରାଞ୍ଚକୁ ଏହାର ତଦନ୍ତ ଭାର ହସ୍ତାନ୍ତର କରାଯାଇଥିଲା। ସେହିପରି 100 କୋଟି ଟଙ୍କାର ଦୁର୍ନୀତି ମାମଲାରେ ଚନ୍ଦିଓ୍ବାଲ ନ୍ୟାୟିକ କମିଶନ ତତ୍କାଳୀନ ମୁମ୍ବାଇ ପୋଲିସ କମିଶନର ପରମବୀର ସିଂଙ୍କ ବିରୋଧରେ ଗିରଫ ପରଓ୍ବାନା ମଧ୍ୟ ଜାରି କରିଛନ୍ତି ।

ପରମବୀର ସିଂ ଅଭିଯୋଗ କରିଥିଲେ ଯେ, ଏନଫୋର୍ସମେଣ୍ଟ ଡାଇରେକ୍ଟରେଟ (ଇଡି) ଦ୍ବାରା ଗିରଫ ହୋଇଥିବା ମହାରାଷ୍ଟ୍ରର ପୂର୍ବତନ ଗୃହମନ୍ତ୍ରୀ ଅନିଲ ଦେଶମୁଖ ପୋଲିସ ଅଧିକାରୀ ସଚିନ ୱାଜେଙ୍କୁ ପ୍ରତି ମାସରେ 100 କୋଟି ଟଙ୍କା ସଂଗ୍ରହ କରିବାକୁ କହିଥିଲେ।

ଏହି ଅଭିଯୋଗ ଆସିବା ପୂର୍ବରୁ ଗିରଫ ହୋଇସାରିଥିଲେ ସଚିନ । ଫେବ୍ରୁଆରୀ 25ରେ ଶିଳ୍ପପତି ମୁକେଶ ଅମ୍ବାନୀଙ୍କ ଘର ନିକଟରେ ପାର୍କିଂ ହୋଇଥିବା କାରରୁ ବିସ୍ଫୋରକ ସାମଗ୍ରୀ ଜବତ ଘଟଣାରେ ତଦନ୍ତ ବେଳେ ଏଥିରେ ସଚିନ ହିଁ ମୁଖ୍ୟ ଷଡଯନ୍ତ୍ରକାରୀ ବୋଲି ଜଣାପଡିଥିଲା । ବିସ୍ଫୋରକ ସାମଗ୍ରୀ ଥିବା ଗାଡିର ମାଲିକ ମନସୁଖ ହିରେନଙ୍କ ମୃତଦେହ ସମୁଦ୍ରରୁ ମିଳିବା ପରେ ତାଙ୍କୁ ସଚିନ ହିଁ ହତ୍ୟା କରିଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଥିଲା ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) । ବର୍ତ୍ତମାନ ଆଣ୍ଟିଲିଆ ସମ୍ମୁଖରେ ବିସ୍ଫୋରକ ବୋଝେଇ ଗାଡି ରଖିବା, ମନସୁଖ ହିରେନ ହତ୍ୟା ମାମଲା ଓ ଚାନ୍ଦା ଆଦାୟ ମାମଲାର ତଦନ୍ତ ଭିନ୍ନଭିନ୍ନ ଏଜେନ୍ସି ଦ୍ବାରା ଜାରି ରହିଛି । ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସଚିନ ଓ୍ବାଜେ ଏବେ ପୋଲିସ ହେପାଜତରେ ଥିବାବେଳେ, ଗତ ମେ’ ମାସରେ ତାଙ୍କୁ ପୋଲିସ ସେବାରୁ ବରଖାସ୍ତ କରାଯାଇଛି ।

@ ANI

ABOUT THE AUTHOR

...view details