ଦିଲ୍ଲୀ: "ଆତଙ୍କବାଦ ମାନବତା ପାଇଁ ବିପଦ(Terrorism threatens humanity) । ଆଜି ୨୬/୧୧, ସାରା ବିଶ୍ବ ଭାରତ ସହିତ ତାର ପୀଡିତଙ୍କୁ ସ୍ମରଣ କରିବା ପାଇଁ ସାମିଲ ହୋଇଛି । ଯେଉଁମାନେ ଏହି ଆକ୍ରମଣର ଯୋଜନା କରିଥିଲେ ଓ ଯେଉଁମାନେ ଦୂରରୁ ଦେଖୁଥିଲେ ଓ ତଦାରଖ କରୁଥିଲେ, ସେମାନଙ୍କୁ ନ୍ୟାୟର କାଠଗଡାରେ ଛିଡା କରାଯିବା ଉଚିତ୍ । ସମଗ୍ର ବିଶ୍ବରେ ଆତଙ୍କବାଦର ଶିକାର ବ୍ୟକ୍ତିଙ୍କ ପାଇଁ ଆମର ଏହା ସମ୍ମାନ", ବୋଲି ଟ୍ବିଟ୍ରେ ଲେଖିଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର (EAM Jaishankar) ।
26/11 Anniversary: ଆତଙ୍କବାଦ ମାନବତା ପାଇଁ ବିପଦ - ମୁମ୍ବାଇ ଆକ୍ରମଣକୁ ନେଇ ଜୟଶଙ୍କରଙ୍କ ଟ୍ବିଟ
୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସମସ୍ତ ମୃତକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ ଜୟଶଙ୍କର । ଟ୍ବିଟ୍ରେ ସେ ଲେଖିଛନ୍ତି, ''ଆତଙ୍କବାଦ ମାନବତା ପାଇଁ ବିପଦ ।''
ଆଜିର ଦିନରେ ହୋଇଥିଲା ଭାରତର ବ୍ୟବସାୟୀକ ରାଜଧାନୀ ମୁମ୍ବାଇ ଉପରେ ଭୟଙ୍କର ଆତଙ୍କବାଦୀ ଆକ୍ରମଣ । ଯାହା ଭାରତ ସହିତ ସାରା ବିଶ୍ବକୁ ଥରାଇ ଦେଇଥିଲା । ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଆଜି ୧୪ତମ ବାର୍ଷିକୀ । ମୃତ ବ୍ୟକ୍ତିଙ୍କ ସ୍ମୃତି ସମ୍ମାନରେ ବିଶ୍ବ ଭାରତର ସହ ସାମିଲ ହୋଇଛି । ଭାରତୀୟ ବୈଦେଶିକ ମନ୍ତ୍ରଣାଳୟ ୨୬/୧୧ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ଲୋକଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛି ।
ଏହି ଭୟଙ୍କର ଆତଙ୍କବାଦୀ ଆକ୍ରମଣରେ ଅତିକମରେ ୧୭୪ ଜଣଙ୍କର ଜୀବନ ଯାଇଥିଲା ଓ ୩୦୦ରୁ ଅଧିକ ଲୋକେ ଆହତ ହୋଇଥିଲେ । ମୃତକଙ୍କ ମଧ୍ୟରେ ପ୍ରାୟ ୨୬ଜଣ ବିଦେଶୀ ନାଗରିକ ଥିଲେ । ପାକିସ୍ତାନରେ ଅବସ୍ଥିତ ଲସ୍କର-ଏ-ତୌଇବା(LeT) ମୁମ୍ବାଇ ସହରରେ ଆକ୍ରମଣ କରିବାକୁ ୧୨ ଜଣ ସଶସ୍ତ୍ର ଆତଙ୍କବାଦୀ ପଠଇଥିଲା, ଯାହାକୁ ୨୬/୧୧ ମୁମ୍ବାଇ ଆକ୍ରମଣ ବୋଲି କୁହାଯାଏ ।