ଲକ୍ଷ୍ନୌ:ଉତ୍ତର ପ୍ରଦେଶରେ ଆଉ ଜଣେ ବାହୁବଳୀ ମାଫିଆ ରଜାନେତା ଉପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ । ଜେଲରେ ଥିବା ବାହୁବଳୀ ମୁଖତାର ଅନସାରୀ ଓ ତାର ସାଂସଦ ଭାଇ ଅଫଜଲ ଅନସାରୀ ଆଜି ବହୁଚର୍ଚ୍ଚିତ 2005 ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟ ଅପହରଣ ଓ ହତ୍ୟାକାଣ୍ଡ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି । ଗାଜିପୁରରେ ଏମପି ଏମଏଲଏ କୋର୍ଟ ଏହି ମାମଲାରେ ମୁଖତାର ଅନସାରୀକୁ 10 ବର୍ଷ କାରାଦଣ୍ଡ ଓ 5 ଲକ୍ଷ ଟଙ୍କାର ଜରିମାନା ଓ ତାର ସାଂସଦ ଭାଇ ଅଫଜଲ ଅନସାରୀଙ୍କୁ 4ବର୍ଷ ଜେଲ ଦଣ୍ଡିତ କରିଛନ୍ତି ।
ପୂର୍ବରୁ ଏକାଧିକ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଜେଲରେ ଥିବା ମୁଖତାର ଅନସାରୀକୁ ଆଜି (ଶନିବାର) ଗାଜିପୁରରେ ଏମପି ଏମଏଲଏ କୋର୍ଟରେ ଭର୍ଚ୍ଚୁଆଲି ହାଜର କରାଯାଇଥିଲା । କୋର୍ଟଙ୍କ ରାୟ ଆସିବା ପୂର୍ବରୁ ସୁରକ୍ଷା ବ୍ୟବସ୍ଥା ମଧ୍ୟ କଡାକଡି କରାଯାଇଥିଲା । ସେ ପୂର୍ବରୁ ଜେଲରେ ଥିବା ବେଳେ ବହୁଜନ ସମାଜବାଦୀ ପାର୍ଟିରୁ ସାଂସଦ ଥିବା ତାର ଭାଇ ଅଫଜଲ ଅନସାରୀକୁ ମଧ୍ୟ ପୋଲିସ କଷ୍ଟଡିକୁ ନେଇଛି ।
2005 ରେ ତତ୍କାଳୀନ ଘାଜିପୁର ବିଜେପି ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କୁ ହତ୍ୟା କରାଯାଇଥିଲା । ଏହି ମାମଲାରେ ବାହୁବଳୀ ରାଜନେତା ମୁଖତାର ଅନସାରୀ ଓ ତାର ଭାଇ ଅଫଜଲ ଅନସାରୀକୁ ଅଭିଯୁକ୍ତ ଦର୍ଶାଇଥିଲା ପୋଲିସ । ହତ୍ୟାର ଶିକାର ହୋଇଥିବା ତତ୍କାଳୀନ ବିଧାୟକ କ୍ରିଷ୍ଣାନନ୍ଦ ରାୟଙ୍କ ପତ୍ନୀ ଅଲକା ରାୟ ଏହି ରାୟକୁ ସ୍ବାଗତ କରିବା ସହ ତାଙ୍କର ନ୍ୟାୟିକ ବ୍ୟବସ୍ଥା ଉପରେ ଭରସା ଥିବା କହିଛନ୍ତି । ଏବେ ଉତ୍ତର ପ୍ରଦେଶରେ ମାଫିଆଙ୍କ ରାଜ ଶେଷ ହୋଇଛି ବୋଲି ମଧ୍ୟ ଅଲକା କହିଛନ୍ତି ।