ଭୋପାଳ:ପରିସ୍ରାକାଣ୍ଡକୁ ନେଇ ନିର୍ବାଚନ ମୁହାଁ ମଧ୍ୟପ୍ରଦେଶରେ ରାଜନୀତି ଜୋର ଧରିଛି । ଆଦିବାସୀ ଯୁବକଙ୍କ ଉପରେ ପରିସ୍ରା କରିଥିବା ପ୍ରବେଶ ଶୁକ୍ଲା ବିଜେପି କର୍ମୀ ହୋଇଥିବା ଦାବି କରିଛନ୍ତି ବିରୋଧୀ । ବିଜେପି ଆଦିବାସୀଙ୍କୁ ଉପରେ ଜୁଲମ କରୁଥିବାର କହି କଂଗ୍ରେସ ବିକ୍ଷୋଭ ପ୍ରଦର୍ଶନ କରିଛି । ଏସବୁ ଭିତରେ ଆଜି ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ପୀଡିତ ଆଦିବାସୀ ଯୁବକଙ୍କୁ ନିଜ ବାସଭବନକୁ ଡକାଇ ତାଙ୍କର ପାଦ ଧୋଇଛନ୍ତି । ନିଜ ହାତରେ ସେ ପୀଡିତଙ୍କ ପାଦ ଧୋଇ ତାଙ୍କୁ କ୍ଷମା ମାଗିଛନ୍ତି । ତାଙ୍କ ସହିତ ଘଟିଥିବା ଅମାନୁଷିକ କାର୍ଯ୍ୟ ପାଇଁ ଖୁବ୍ ଦୁଃଖତ ବୋଲି କହିଛନ୍ତି ଶିବରାଜ ସିଂ । ଯୁବକଙ୍କ ପାଦ ଧୋଇଥିବାର ଦୃଶ୍ୟ ମୁଖ୍ୟମନ୍ତ୍ରୀଙ୍କ ପକ୍ଷରୁ ଟ୍ବିଟ୍ କରାଯାଇଛି ।
ପୀଡିତଙ୍କ ପାଦ ଧୋଇବା ନେଇ ମୁଖ୍ୟମନ୍ତ୍ରୀ ଟ୍ବିଟ୍ କରିଛନ୍ତି, ''ଏହା କେବଳ ଆପଣଙ୍କ ଦୁଃଖ ବାଣ୍ଟିବାର ପ୍ରୟାସ । ମୁଁ ଆପଣଙ୍କୁ କ୍ଷମା ପ୍ରର୍ଥନା କରୁଛି । ମୋ ପାଇଁ ଜନତା ହିଁ ଭଗବାନ । ଏହି ଭିଡିଓ ସେୟାର କରି ସମସ୍ତଙ୍କୁ ଜଣାଇବା ପାଇଁ ଚାହେଁ ଯେ, ମୋ ପାଇଁ ପ୍ରକୃତ ଭଗବାନ ଜନତା । ଯଦି ମଧ୍ୟପ୍ରଦେଶର ଶିବରାଜ ସିଂ ଚୌହାନ ଅଛନ୍ତି, ତାହେଲେ ଜନତା ହିଁ ଭଗବାନ । କାହାରି ସହିତ ଅତ୍ୟାଚାର ସହ୍ୟ କରାଯିବ ନାହିଁ । ରାଜ୍ୟରେ ପ୍ରତ୍ୟେକ ନାଗରିକଙ୍କ ସମ୍ମାନ, ମୋର ସମ୍ମାନ ।''