ଲକ୍ଷ୍ନୌ:କୃଷକଙ୍କ କଲ୍ୟାଣ ପାଇଁ ସରକାରଙ୍କ ନାନା ଯୋଜନା କାର୍ଯ୍ୟ କରୁଛି । ତନ୍ମଧ୍ୟରୁ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅନ୍ୟତମ । ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, କୃଷକଙ୍କ ପାଇଁ ଉଦ୍ଧିଷ୍ଟ ଏହି ଯୋଜନାରେ କେବଳ କୃଷକ ନୁହଁନ୍ତି, ସାଂସଦ ମଧ୍ୟ ଏହାର ହିତାଧିକାରୀ ସୂଚୀରେ ରହିଛନ୍ତି । ଆପଣଙ୍କୁ ଏହା ଅଜବ ଲାଗୁଥିଲେ ମଧ୍ୟ ସତ । ସେଭଳି କିଛି ଘଟଣା ସାମ୍ନାକୁ ଆସିଛି ଉତ୍ତରପ୍ରଦେଶ ମିର୍ଜାପୁରରୁ । ଉତ୍ତରପ୍ରଦେଶ 'ଅପନା ଦଲ'ର ସୋନଭଦ୍ର ସାଂସଦ ପକୌଡି ଲାଲ୍ କୋଲ ଏବଂ ତାଙ୍କ ପତ୍ନୀ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀ ତାଲିକାରେ ରହିଛନ୍ତି । ଏପରିକି ୯ଟି କିସ୍ତି ପାଇଥିବା ମଧ୍ୟ ଜଣାପଡିଛି ।
କିଷାନ ସମ୍ମାନନିଧି ଯୋଜନା ହିତାଧିକାରୀ ତାଲିକାରେ ସାଂସଦ
ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ହିତାଧିକାରୀ ତାଲିକାରେ ରହିଛନ୍ତି ସାଂସଦ । ଆକାଉଣ୍ଟକୁ ଆସିଲାଣି ୯ଟି କିସ୍ତି । ଅଧିକ ପଢନ୍ତୁ
ସୂଚନାଯୋଗ୍ୟ, ୨୦୧୯ ଅଗଷ୍ଟ ୨୧ ତାରିଖରେ ସାଂସଦ ପକୌଡି ଲାଲ ନିଜ ସହ ପତ୍ନୀ ଏବଂ ପୁଅ ରାହୁଲ ପ୍ରକାଶ କୋଲ କିଷାନ ସମ୍ମାନ ନିଧି ପୋର୍ଟାଲରେ ପଞ୍ଜିକରଣ କରାଇଥିଲେ । ତେବେ ସେମାନଙ୍କ ନାମ ହିତାଧିକାରୀ ତାଲିକାରେ ଆସିବା ନେଇ ଉପ-କୃଷି ନିର୍ଦ୍ଦେଶକ ଅଧିକାରୀ କହିଛନ୍ତି ଯେ, ''ବିଧାୟକଙ୍କ ଖାତାକୁ ଟଙ୍କାଟିଏ ମଧ୍ୟ ଯାଇନାହିଁ । ସାଂସଦ ଓ ତାଙ୍କ ପତ୍ନୀଙ୍କ ଆକାଉଣ୍ଟ ଯାଞ୍ଚ କରାଯାଉଛି । ଯଦି ଏହି ଯୋଜନାର ଟଙ୍କା ମିଳେ ତେବେ ଏହାକୁ ରିକଭରି କରାଯିବ । ଅନ୍ୟ କୃଷକଙ୍କ ମଧ୍ୟ ଯାଞ୍ଚ ଚାଲିଛି । କେହି ଅଯୋଗ୍ୟ ହିତାଧିକାରୀ ଚିହ୍ନଟ ହେଲେ ସେମାନଙ୍କୁ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ମିଳୁଥିବା ସହାୟତା ରାଶି ବନ୍ଦ କରିଦିଆଯିବ ।''
ପୂର୍ବରୁ କିଷାନ ନିଧି ଆକାଉଣ୍ଟରେ ସରକାରଙ୍କ ଦ୍ବାରା ଟଙ୍କା ପଠାଇବା ଲାଗି ଆକାଉଣ୍ଟ ମୋଡର ବ୍ୟବହାର କରାଯାଉଥିଲା । ହେଲେ ଏବେ ଏହା ଆଧାର ମୋଡରେ କରାଯାଉଛି । ତେଣୁ ପକୌଡି ଲାଲ ଏବଂ ତାଙ୍କ ପତ୍ନୀଙ୍କ ଆଧାର ପୋର୍ଟାଲରେ ଲିଙ୍କ୍ ହେବା ଯୋଗୁଁ ସେମାନଙ୍କ ଆକାଉଣ୍ଟକୁ ସମ୍ମାନ ନିଧିର ୯ଟି କିସ୍ତି ଆସିଥିବା କୁହାଯାଇଛି । କିନ୍ତୁ ବିଧାୟକ ରାହୁଲ ପ୍ରକାଶଙ୍କ ଆଧାର ଅପଡେଟ ହୋଇନଥିବାରୁ ତାଙ୍କ ଆକାଉଣ୍ଟକୁ ଟଙ୍କା ଆସିନାହିଁ । ତେବେ କିଷାନ ସମ୍ମାନ ନିଧି ଯୋଜନା ତାଲିକାରେ ସାଂସଦ ଦମ୍ପତିଙ୍କ ନାଁ ଆସିବା ପରେ ଚାରିଆଡେ ଚର୍ଚ୍ଚା ଜୋର୍ ଧରିଛି ।