ଭୋପାଳ:ପିତା ମାତାଙ୍କ ମଧ୍ୟରେ ଝଗଡା କିମ୍ବା ଘରୋଇ ହିଂସାର କୁପ୍ରଭାବରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଥାନ୍ତି କୋମଳମତି ଶିଶୁ । ସେହିପରି ଏକ ଘଟଣା ସାମ୍ନାକୁ ଆସିଛି । ଘରେ ନିୟମିତ ବିଶୃଙ୍ଖଳା ସୃଷ୍ଟି କରୁଥିବା ଓ ମା‘ଙ୍କୁ ବାରମ୍ବାର ମାଡ଼ ମାରୁଥିବା ଅଭିଯୋଗରେ ଥାନାର ପହଞ୍ଚି ଅଭିଯୋଗ କଲେ ଦୁଇ କୁନି ଭଉଣୀ । ପୋଲିସ ମଧ୍ୟ ଏହି କୋମଳମତି ଶିଶୁଙ୍କ ଅଭିଯୋଗକୁ ଗମ୍ଭୀରତାର ସହ ନେଇ ତଦନ୍ତ ପାଇଁ ଘରେ ପହଞ୍ଚି ସମ୍ପୃକ୍ତ ପିତାଙ୍କୁ ତାଗିଦ କରିବା ସହ ଚେତାବନୀ ଦେଇ ଫେରିଛି । ମଧ୍ୟ ପ୍ରଦେଶର ଗ୍ବାଲିୟରରେ ଏପରି ଏକ ଘଟଣା ଏବେ ଚର୍ଚ୍ଚା ଏବେ ସୃଷ୍ଟି କରିଛି ।
ଗ୍ବାଲିୟରର ଭିତରବାର ଥାନା କ୍ଷେତ୍ରରେ ଏହି ଘଟଣା ଘଟିଛି । ସମ୍ପୃକ୍ତ ବ୍ୟକ୍ତି ସର୍ବଦା ଘରେ ବିଶୃଙ୍ଖଳା ସୃଷ୍ଟି କରିବା ସହ ନିଜ ପତ୍ନୀଙ୍କୁ ମାଡ଼ ମାରୁଥିଲେ । ଦମ୍ପତିଙ୍କର ଦୁଇ ଶିଶୁକନ୍ୟା ମଧ୍ୟ ରହିଛନ୍ତି । ଏହି ଅଭିଯୋଗ ନେଇ ଦୁଇ ଶିଶୁ ଭଉଣୀ ସ୍ଥାନୀୟ ଥାନାରେ ପହଞ୍ଚିଥିଲେ । ଥାନା ପ୍ରଭାରୀ ପ୍ରଶାନ୍ତ ଶର୍ମା ଏହି ଘଟଣାକୁ ଗମ୍ଭୀରତାର ସହ ନେବା ସହ ଦୁଇ ଶିଶୁଙ୍କଠାରୁ ଅଭିଯୋଗ ସମ୍ପର୍କରେ ବୁଝିଥିଲେ । ପରେ ଥାନା ପ୍ରଭାରୀଙ୍କ ନିର୍ଦ୍ଦେଶରେ ପୋଲିସର ଏକ ଟିମ୍ ଉକ୍ତ ବ୍ୟକ୍ତିଙ୍କ ଘରେ ପହଞ୍ଚିଥିଲା । ସେ ସେଠାରେ ଦମ୍ପତିଙ୍କ ମଧ୍ୟରେ ଲାଗି ରହିଥିବା ବିବାଦ ଓ ଘରୋଇ ହିଂସାର କାରଣ ଜାଣିବାକୁ ପ୍ରୟାସ କରିଥିଲେ । ତେବେ ବିବାଦର କାରଣ ପୋଲିସ ପଡୋଶୀଙ୍କଠାରୁ ମଧ୍ୟ ଜାଣିବାକୁ ପ୍ରୟାସ କରିଥିଲା । ପରେ ଉଭୟ ବ୍ୟକ୍ତି ଓ ତାଙ୍କ ପତ୍ନୀଙ୍କୁ ଏପରି ନକରିବା ପାଇଁ ଚେତାବନୀ ଦେଇ ଫେରିଥିଲେ ।