ଭୋପାଳ: ମଧ୍ୟପ୍ରଦେଶର ସିଙ୍ଗରୌଲି ଜିଲ୍ଲାରୁ ସମସ୍ତଙ୍କୁ ବିଚଳିତ କରିଲା ଭଲି ଖବର ସାମ୍ନାକୁ ଆସିଛି । ଏଠାରେ ଆମ୍ବୁଲାନ୍ସ ନମିଳିବାରୁ ନିଜ ଛୁଆର ମୃତଦେହକୁ ଡିକିରେ ରଖି ନେଉଥିବାର ଦୃଶ୍ୟ ସାମ୍ନାକୁ ଆସିଛି । ହସ୍ପିଟାଲ୍ରୁ ଆମ୍ବୁଲାନ୍ସ ନମିଳିବାରୁ ନିଜ ହୃଦୟକୁ ପଥର କରି ନିଜ ପୁଅକୁ ଡିକିରେ ନେଇ କଲେକ୍ଟର ଅଫିସ୍ ପର୍ଯ୍ୟନ୍ତ ଯାଇଥିଲେ ବୋଲି ସୂଚନା ରହିଛି(Innocent Child body in Diggy of Motorcycle) । ପିତାଙ୍କର ଏଭଳି ସାହାସକୁ ଶତଃ ପ୍ରଣାମ । ସ୍ବାସ୍ଥ୍ୟସେବାକୁ ନେଇ ଉତ୍ତରପ୍ରଦେଶ ଓ ମଧ୍ୟ ପ୍ରଦେଶ ସରକାର ଡିଣ୍ଡିମ ପିଟୁଥିବା ବେଳେ ଏହି ଦୃଶ୍ୟ ହିଁ ପ୍ରକୃତ ସତ୍ୟ ବାରି ହୋଇଯାଉଛି ।
ସୂଚନାଅନୁସାରେ, ୟୁପିର ସୋନଭଦ୍ରା ଜିଲ୍ଲାରେ ରହୁଥିବା ଦିନେଶ ନିଜ ପତ୍ନୀଙ୍କର ପ୍ରସବ କରାଇବା ପାଇଁ ମଧ୍ୟପ୍ରଦେଶର ସିଙ୍ଗରୌଲିର ଏକ ହସ୍ପିଟାଲକୁ ଆଣିଥିଲେ ।ତେବେ ଜିଲ୍ଲା ହସ୍ପିଟାଲର ଡାକ୍ତର ତାଙ୍କୁ ପ୍ରସବ କରାଇବା ପରିବର୍ତ୍ତେ ଏକ ଘରୋଇ କ୍ଲିନିକକୁ ପଠାଇଥିଲା । ତେବେ ଘରୋଇ କ୍ଲିନିକର ଡାକ୍ତରମାନେ ଗର୍ଭରେ ହିଁ ଛୁଆଟିର ମୃତ୍ୟୁ ହୋଇଥିବା ଜାଣିବା ପରେ ପୁଣିଥରେ ଜିଲ୍ଲା ହସ୍ପିଟାଲକୁ ପଠାଇଥିଲେ । ତେବେ ସେଠାରେ ପ୍ରସବ ହୋଇ ଏକ ମୃତ ଶିଶୁ ଜନ୍ମ ହୋଇଥିଲା । ଏହାଦେଖି ଦୁଋଖରେ ଭାଙ୍ଗି ପଡିଥିଲେ ବାପା ମାଆ । ତେବେ ଶୁଶୁଟିର ଅନ୍ତିମ ସଂସ୍କାର କରିବା ପାଇଁ ପରିବାର ଲୋକେ ଡାକ୍ତରଖାନାକୁ ଆମ୍ବୁଲନ୍ସ ମାଗିଥିଲେ । କିନ୍ତୁ ଆମ୍ବୁଲାନ୍ସ ମିଳିପାରିନଥିଲା । ଯେଉଁ ଗାଡି ଡିକିରେ ଏକ ବାପା ନିଜ ଛୁଆଙ୍କ ପାଇଁ ଖେଳନା ଭର୍ତ୍ତିକରି ଆଣେ ଛାତିକୁ ପଥର କରି ସେହି ଡିକିରେ ନିଜ ଛୁଆର ମୃତଦେହକୁ ରଖି କଲେକ୍ଟରଙ୍କ ନିକଟକୁ ଯାଇଥିଲେ । ଛୁଆକୁ କିପରି ଘରକୁ ନେବି ପ୍ରଶ୍ନ କରିବା ପାଇଁ ଆଖିର ଲୁହ, ହୃଦୟର କୋହକୁ ଚାପିରଖି କଲେକ୍ଟର ଅଫିସ ପହଞ୍ଚିଥିଲେ ଦିନେଶ । ଯାହାକି ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି ।
ଏହା ମଧ୍ୟ ପଢନ୍ତୁ: ମିଳିଲାନି ଆମ୍ବୁଲାନ୍ସ, କୋଳରେ ସାନଭାଇର ମୃତଦେହ ଧରି ରାସ୍ତାକଡରେ ବସିଲା ନାବାଳକ