ଭୋପାଲ:ମଧ୍ୟ ପ୍ରଦେଶର ବିଦିଶା ଜିଲ୍ଲାରେ ବୋରଓ୍ବେଲରେ ଖସି ପଡିଥିବା 7ବର୍ଷୀୟ ଶିଶୁକୁ ଦୀର୍ଘ 24 ଘଣ୍ଟାର ଅପରେସନ ପରେ ଉଦ୍ଧାର କରାଯାଇଥିଲେ ସୁଦ୍ଧା ମଧ୍ୟ ବଞ୍ଚାଯାଇ ପାରିନାହିଁ । ହସ୍ପିଟାଲରେ ଡାକ୍ତର ଶିଶୁକୁ ମୃତ ଘୋଷଣା କରିଛନ୍ତି । ଗତକାଲି ମଧ୍ୟାହ୍ନରୁ ଆରମ୍ଭ ହୋଇଥିବା ଉଦ୍ଧାର ଅପରେସନ ଆଜି ମଧ୍ୟାହ୍ନରେ ଶେଷ ହୋଇଥିଲା । ଏକାଧିକ ଟିମ 24 ଘଣ୍ଟା ଅକ୍ଳାନ୍ତ ପରିଶ୍ରମ କରିବା ପରେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇ ପାରିନାହିଁ ।
ପୂର୍ବରୁ ପ୍ରସ୍ତୁତ ହୋଇ ରହିଥିବା ଆମ୍ବୁଲାନ୍ସ ଓ ଡାକ୍ତରୀ ଟିମ୍ ଉଦ୍ଧାର ଶିଶୁକୁ ନିକଟସ୍ଥ ସରକାରୀ ହସ୍ପିଟାଲରେ ଭର୍ତ୍ତି କରାଥିଲେ । ହସ୍ପିଟାଲରେ ମଧ୍ୟ ପୂର୍ବ ପ୍ରସ୍ତୁତି ଅନୁସାରେ ଆବଶ୍ୟକ ଜରୁରୀ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ହେଲେ ଶିଶୁଟି ସେଠାରେ ପହଞ୍ଚିବା ପୂର୍ବରୁ ତାଙ୍କର ମୃତ୍ୟୁ ହୋଇସାରିଥିବା ଡାକ୍ତର ଘୋଷଣା କରିଥିଲେ । ବ୍ୟବଚ୍ଛେଦ ପରେ ଶିଶୁଟିର ମୃତଦେହ ପରିବାର ସଦସ୍ୟଙ୍କୁ ହସ୍ତାନ୍ତର କରାଯାଇଛି ।
ଘଟଣାକୁ ନେଇ ମୁଖ୍ୟମନ୍ତ୍ରୀ ଶିବରାଜ ସିଂ ଚୌହାନ ଦୁଖଃ ପ୍ରକାଶ କରିଛନ୍ତି । ସମସ୍ତ ଅକ୍ଳାନ୍ତ ପରିଶ୍ରମ ସତ୍ତ୍ବେ ମଧ୍ୟ ଶିଶୁଟିକୁ ବଞ୍ଚାଯାଇ ପାରିଲାନାହିଁ । ଶିଶୁର ଆତ୍ମାକୁ ଶାନ୍ତି ମିଳିବା ସହ ଭଗବାନ ପରିବାର ସଦସ୍ୟଙ୍କୁ ଏପରି କଠିନ ସ୍ଥିତିରେ ଧୈର୍ଯ୍ୟ ଦିଅନ୍ତୁ ବୋଲି ଶିବରାଜ ଟ୍ବିଟ କରି ପ୍ରାର୍ଥନା କରିଛନ୍ତି । ଏପରି ସମୟରେ ମୃତ ଶିଶୁର ପରିବାର ସହିତ ମଧ୍ୟ ପ୍ରଦେଶ ସରକାର ଅଛନ୍ତି ବୋଲି ମଧ୍ୟ ମୁଖ୍ୟମନ୍ତ୍ରୀ ଚୌହାନ କହିଛନ୍ତି ।