ଭୋପାଳ:ମଧ୍ୟପ୍ରଦେଶ ମନ୍ଦସୌର ନିବାସୀ ତଥା ଏସିଆର ପ୍ରଥମ ମହିଳା ଟ୍ରକ ଡ୍ରାଇଭର ପାର୍ବତୀ ଆର୍ଯ୍ୟଙ୍କ ୭୫ ବର୍ଷ ବୟସରେ ମୃତ୍ୟୁ ଘଟିଛି । ତାଙ୍କୁ ରାଷ୍ଟ୍ରପତି ପୁରସ୍କାରରେ ସମ୍ମାନିତ କରାଯାଇଥିବା ବେଳେ ଦେହ ଅସୁସ୍ଥତା କାରଣରୁ ତାଙ୍କର ମୃତ୍ୟୁ ହୋଇଛି । ସେ ଗତ କିଛି ମାସ ଧରି ଅସୁସ୍ଥ ଥିବା ବେଳେ ନିଜ ବାସଭବନରେ ଚିକିତ୍ସିତ ହେଉଥିଲେ । କିନ୍ତୁ ତାଙ୍କ ସ୍ବାସ୍ଥ୍ୟବସ୍ଥା ଅଧିକ ବିଗିଡି଼ ଯିବାରୁ ସେ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁବରଣ କରିଛନ୍ତି ।
ଆର୍ଥିକ ଅବସ୍ଥା ସୁଦୃଢ ନଥିବାରୁ ଚଲାଇଥିଲେ ଟ୍ରକ:-
ପାର୍ବତୀ ଆର୍ଯ୍ୟଙ୍କ ପିତା ମନ୍ଦସୌରରେ ଠିକାଦାର ଭାବେ କାର୍ଯ୍ୟ କରୁଥିଲେ । ତାଙ୍କ ପିତାଙ୍କ ମୃତ୍ୟୁ ବେଳକୁ ପାର୍ବତୀ ବହୁତ ଛୋଟ ଥିଲେ । ଖେଳିବା ବୟସରେ ତାଙ୍କ ମୁଣ୍ଡ ଉପରେ ୮ ଜଣ ଭଉଣୀ ଓ ୩ ଭାଇଙ୍କ ଚଳିବା ଭାର ପଡ଼ିଥିଲା । ପରିବାରରେ ଆର୍ଥିକ ସ୍ବଚ୍ଛଳତା ନଥିବାରୁ ସେ କାମ ଖୋଜିବା ଆରମ୍ଭ କରିଦେଇଥିଲେ । ସେତେବେଳେ ଭାଇଭଉଣୀଙ୍କ ଲାଳନ ପାଳନ ସେ କରିଥିଲେ । ଏହାରି ମଧ୍ୟରେ ସେ ଟ୍ରକ ଚଲାଇବା ଆରମ୍ଭ କରିଥିଲେ ।
୧୯୭୮ ମସିହାରେ ମିଳିଥିଲା ଲାଇସେନ୍ସ:-
ସେହି ସମୟରେ ମହିଳାଙ୍କୁ ଡ୍ରାଇଭିଂ ଲାଇସେନ୍ସ ମିଳିବା ବହୁତ କଷ୍ଟକର ବ୍ୟାପାର ଥିଲା । ଡ୍ରାଇଭିଂ ଶିଖିବାଠାରୁ ଏହି କାର୍ଯ୍ୟ କଷ୍ଟଦାୟକ ଥିଲା । ଏହି ସମୟରେ ପାର୍ବତୀ କହିଥିଲେ ଯେ ଯେତେବେଳେ ଇନ୍ଦିରା ଗାନ୍ଧୀ ଜଣେ ମହିଳା ହୋଇ ପୁରା ଦେଶକୁ ଚଲାଇ ପାରୁଛନ୍ତି, ତେବେ ସେ କାହିଁକି ଟ୍ରକ ଚଲାଇ ପାରିବେ ନାହିଁ ବୋଲି ପ୍ରଶ୍ନ ପଚାରିଥିଲେ । ଏହାପରେ ତାଙ୍କୁ ୧୯୭୮ ମସିହାରେ ଡ୍ରାଇଭିଂ ଲାଇସେନ୍ସ ମିଳିଥିଲା । ଏପରି ଭାବରେ ସେ ଏସିଆ ମହାଦେଶର ପ୍ରଥମ ମହିଳା ଟ୍ରକ ଡ୍ରାଇଭର ହେବାର ଗୌରବ ଅର୍ଜନ କରିଥିଲେ । ଛୋଟ ବେଳେ ତାଙ୍କର ପାଠ ପଢାରେ ମନ ଲାଗୁନଥିବାବେଳେ ମହିଳାଙ୍କ କାର୍ଯ୍ୟକୁ ସେ ପସନ୍ଦ କରୁନଥିଲେ । କିନ୍ତୁ ମାତ୍ର ୨୦ ବର୍ଷ ବୟସରେ ତାଙ୍କର ବିବାହ ହୋଇଥିଲା ବୋଲି ଏକ ସାକ୍ଷାତକାରରେ କହିଥିଲେ ପାର୍ବତୀ ।