ଶିମଲା: ନେପାଳରେ ଆଖି ବୁଜିଲେ ଭାରତୀୟ ପର୍ବତାରୋହୀ ବଲଜିତ କୌର ଏବଂ ଅନୁରାଗ ମାଲୁ । ନେପାଳ ମାଉଣ୍ଟ ଅନ୍ନପୂର୍ଣ୍ଣା ଆରୋହଣ କରିବା ପରେ ଅକ୍ସିଜେନ ଅଭାବରୁ ଆଜି(ମଙ୍ଗଳବାର) ବଲିଜତିଙ୍କ ମୃତ୍ୟୁ ଘଟିଛି । ସେହିପରି ୬୦୦୦ ମିଟର ତଳକୁ ଖସି ପଡିବା ପରେ ନିଖୋଜ ଥିବା ପର୍ବତାରୋହୀ ଅନୁରାଗ ମାଲୁଙ୍କ ମଧ୍ୟ ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ବଲଜିତଙ୍କ ଘର ହିମାଚଳ ପ୍ରଦେଶ ସୋଲାନ ଜିଲ୍ଲାରେ । ମାଉଣ୍ଟ ଏଭରେଷ୍ଟ ସହ ଅନେକ ଗିରିଶୃଙ୍ଗ ଆରୋହଣ କରିବାର ରେକର୍ଡ ତାଙ୍କ ନାମରେ ରହିଛି ।
ହିମାଚଳ ପ୍ରଦେଶ ସ୍ବାସ୍ଥ୍ୟମନ୍ତ୍ରୀ ବଲିଜିତଙ୍କ ମୃତ୍ୟୁ ଖବର ସ୍ପଷ୍ଟ କରି ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ମନ୍ତ୍ରୀ କହିଛନ୍ତି, ''ମୋ ନିର୍ବାଚନ ମଣ୍ଡଳୀର ପ୍ରତିଭାଶାଳୀ ପର୍ବତାରୋହୀ ବଲଜିତ କୌରଙ୍କ ମୃତ୍ୟୁ ଖବର ଶୁଣି ମୁଁ ସ୍ତବ୍ଧ । କୌର କେବଳ ନିଜ ରାଜ୍ୟ ନୁହଁନ୍ତି ସାରା ଦେଶକୁ ଗୌରବାନ୍ବିତ କରିଛନ୍ତି । ଇଶ୍ବର ତାଙ୍କ ପରିବାରକୁ ଏହି କ୍ଷତି ସହିବାକୁ ଶକ୍ତି ଦିଅନ୍ତୁ ।'' କହିରଖୁଛି କି, ବଲଜିତ କୌର ପ୍ରଥମ ଭାରତୀୟ ମହିଳା ଯିଏକି ମାସେରୁ କମ୍ ସମୟ ଭିତରେ ୮ ହଜାର ମିଟର ଉଚ୍ଚତାର ଚାରୋଟି ପର୍ବତ ଆରୋହଣ କରିଛନ୍ତି । ୨୦୧୬ରେ ସେ ମାଉଣ୍ଟ ଏଭରେଷ୍ଟ ଆରୋହଣ କରିଥିଲେ । ହେଲେ ସେହି ସମୟରେ ତାଙ୍କ ପାଖରେ ଅତିରିକ୍ତ ଅକ୍ସିଜେନ ମାସ୍କ ନଥିବାରୁ ଲକ୍ଷ୍ୟସ୍ଥଳରୁ ମାତ୍ର ୩୦୦ ମିଟର ପଛରୁ ଫେରିବାକୁ ପଡିଥିଲା ।