ହାଇଦ୍ରାବାଦ:ମାଆ, ଦୁନିଆର ସବୁଠୁ ସୁନ୍ଦର ଶବ୍ଦ ହେଉଛି ମାଆ । ତ୍ୟାଗ ଆଉ ତପସ୍ୟାର ପ୍ରତୀକ ମାଆ । ଏହି ଦୁଇ ଅକ୍ଷରରୁ ହିଁ ଜୀବନର ଆରମ୍ଭ । ମାଆ ଏଭଳି ଶବ୍ଦ ଯାହାକୁ ଶବ୍ଦରେ ବଖାଣି ହେବନି । ଅୟୁତ ବ୍ରହ୍ମାଣ୍ଡ ବିଲୀନ ହୋଇଯାଏ, ଏଇ ଶବ୍ଦର ଗଭୀରତାରେ । ମାଆ ଥିଲେ ସଂସାରରେ ସବୁ ଥିଲା ପରି ଲାଗେ । ମା' ଶବ୍ଦଟି ଆକାଶ ପରି ବ୍ୟାପକ ଓ ମାଟି ଠାରୁ ଅଧିକ ନିବିଡ । ସେଥିପାଇଁ ତ ମା' ହେଉଛି ମମତାର ଦେବୀ । ମା କେବଳ ଶବ୍ଦ କି ସମ୍ବୋଧନ ନୁହେଁ ସେ ଆମ ଜୀବନ ନାଆର ନାଉରୀ । ମା' ଓ ସନ୍ତାନର ବନ୍ଧନ ମାତୃଗର୍ଭରୁ ହିଁ ହୋଇଥାଏ । ନିଜେ ଜଳି ସନ୍ତାନଙ୍କୁ ଆଲୋକ ଦେଖାଏ ମାଆ । ସେ କେବଳ ସନ୍ତାନର ଲାଳନପାଳନ କରେ ନାହିଁ ବରଂ ତାଭିତରେ ସଂସ୍କାର ମଞ୍ଜି ବୁଣିବାର ସବୁଠାରୁ ଗୁରୁତ୍ବପୂର୍ଣ ଭୂମିକା ଗ୍ରହଣ କରିଥାଏ । ଯିଏ ଜନ୍ମଦିଏ ଆଉ ହାତ ଧରି ବାଟ ଚାଲିବା ଶିଖାଏ ।
ମାଆ କଥା ଯେତିକି ମଧୁର ତା'ର ହାତରନ୍ଧା ସେତିକି ସୁଆଦିଆ । ମାଆ ପାଟିରୁ ଯାହା ବାହାରେ ତାହା ସନ୍ତାନ ପାଇଁ ଆର୍ଶୀବାଦ ପାଲଟିଯାଏ । ସନ୍ତାନ ପାଇଁ ସେ ସଫଳତାର ଏକ ଚିରସ୍ରୋତାର ବୈତରଣୀ । ଯେତେ ଶବ୍ଦ ସହ ତୁଳନା କରିଲେ ମଧ୍ୟ ମାଆ ପାଇଁ ଶବ୍ଦକୋଶର ଅଭାବ ପଡିଯିବ । ସେ ସର୍ବାଙ୍ଗ ସାହା, ତ୍ରାରଣ କର୍ତ୍ତା, ପାଳନ କର୍ତ୍ତା । ସେହିଁ ପୁଣି ସଂସାର ସଂଘାର । ଛୁଆଙ୍କ ପାଇଁ ଅଭୟ ବରଦାୟିନୀ, ଶାନ୍ତି ପ୍ରଦାୟିନୀ ।
ମାଆର ପଣତକାନି ଦୁନିଆର ସବୁ ସନ୍ତାନ ପାଇଁ ସବୁଠୁ ଶେଷ୍ଠ ସୁରକ୍ଷିତ ଆଶ୍ରୟ ସ୍ଥଳ । ମାଆ କୋଳରୁ ଆରାମ ଦାୟକ ସ୍ଥାନ ଆଉ କେଉଁଠି ନଥାଏ । ସଂସାରର ଯେତେ ଶ୍ରଦ୍ଧା, ମା' ଠୁ ଆରମ୍ଭ, ମା'ରେ ଶେଷ । ମାଆ ତୋ ସହନଶୀଳତା ଆଉ ତୋ ଧୈର୍ଯ୍ୟ ଆଗରେ ପଥର ବି ମୁଣ୍ଡ ନୁଆଁଇବ । ମାଆ କେତେବେଳେ ଚୁଲିଧୂଆଁରେ କାନ୍ଦେ ପୁଣି କେତେବେଳେ ପାରିବାରିକ ଅନଟନରେ କାନ୍ଦେ, ହେଲେ କେବେ ଛୁଆକୁ କନ୍ଦାଇବାକୁ ଦିଏନି ।