ନୂଆଦିଲ୍ଲୀ: ସେବାର ଅନ୍ୟ ନାମ ମଦର ଟେରେସା । ଯିଏକି ସେବା ପାଇଁ ନିଜ ଜୀବନକୁ ଉତ୍ସର୍ଗିକୃତ କରିଦେଇଥିଲେ । ମାନବ ସେବା ହିଁ ମାଧବ ସେବା ଭାବି ନିଜକୁ ଜୀବନ ସାରା ଅନ୍ୟର ସେବାରେ ନିୟୋଜିତ କରିଥିଲେ ମଦର ଟେରେସା । ଏହି ମହାନ ସାମାଜସେବୀ ମହିଳା ମଦର ଟେରେସାଙ୍କ ଆଜି ହେଉଛି ୧୧୧ତମ ଜନ୍ମ ଜୟନ୍ତୀ ।
ତାଙ୍କର ଏହି ନିଃସ୍ବାର୍ଥପର ସେବା ପାଇଁ ସେ ଜୀବନ କାଳରେ ଅନେକ ସମ୍ମାନରେ ସମ୍ମାନୀତ ହୋଇଥିଲେ । ୧୯୬୨ ମସିହାରେ ରାମସୋନ ମାଗସେ ସମ୍ମାନ ପାଇଥିଲେ ଓ ୧୯୭୯ ମସିହାରେ ନୋବେଲ ଶାନ୍ତି ପୁରସ୍କାର ପାଇଥିଲେ। ସେ ୪ ସେପ୍ଟେମ୍ବର ୨୦୧୬ରେ ଚର୍ଚ୍ଚ ଦ୍ୱାରା ସନ୍ଥର ମାନ୍ୟତା ପାଇଥିଲେ ।
ମଦର ଟେରେସାଙ୍କ ବାଲ୍ୟକାଳ
୨୬ ଅଗଷ୍ଟ ୧୯୧୦ରେ ମେସିଡୋନିୟାର ସ୍କୋପଜେ ସହରରେ ଜନ୍ମ ଗ୍ରହଣ କରିଥିଲେ ଆଗ୍ନେସ ଗୋନ୍କ୍ସ ବୋଜାକ୍ସଜୁ ବା ମଦର ଟେରେସା । ଯୁବାବସ୍ଥାରୁ ହିଁ ସେ ନିଜ ପିତାଙ୍କୁ ହରାଇଥିଲେ । ଏହାପରେ ସ ତାଙ୍କ ମାଆଙ୍କର ଅଧିକ ନିଟତଟର ହୋଇ ବଢ଼ିଥିଲେ, ଯିଏ ଜୀବନର ଶେଷ ସମୟରେ ଦାନ ଧର୍ମ ବା ସାମଜିକ କାର୍ଯ୍ୟ କରିଥିଲେ । ଏଠାରୁ ହିଁ ତାଙ୍କୁ ସେବା ପାଇଁ ପ୍ରେରଣା ମିଳିଥିଲା ।
ଏକ କ୍ୟାଥେଲିକ ସମ୍ପ୍ରଦାୟରେ ଜନ୍ମ ହୋଇଥିବାବେଳେ ସାରା ଜୀବନ ଗରିବ ଓ ଅବହେଳିତଙ୍କ ପାଇଁ ନିଜକୁ ଉତ୍ସର୍ଗ କରିଦେଇଥିଲେ । ୧୯୨୮ ମସିହାରେ ଆଗ୍ନେସ ଜଣେ ନନ୍ ହେବାକୁ ସ୍ଥିର କଲେ । ଏଥିପାଇଁ ସେ ଆୟରଲାଣ୍ଡ ଯାଇ ଡବ୍ଲିନରେ ଥିବା ସିଷ୍ଟର୍ସ ଅଫ୍ ଲୋରେଟୋରେ ଯୋଗ ଦେଇଥିଲେ । ଏହାର କିଛି ବର୍ଷ ମଧ୍ୟରେ ମଦର ଟେରେସା ବିଶ୍ବର ବିଭିନ୍ନ ସ୍ଥାନ ପରିଭ୍ରମଣ କଲେ । ଏଥିରେ ଭାରତ ମଧ୍ୟ ସାମିଲ ଥିଲା ।
ମଦର ଟେରେସାଙ୍କ ଭାରତ ଆଗମନ
ପରବର୍ତ୍ତୀ ସମୟରେ ସେ କଲିକତା ବା ବର୍ତ୍ତମାନର କୋଲକାତା ସହରରେ ରହିବାକୁ ଲାଗିଲେ । ପ୍ରଥମ ପ୍ରଥମେ ସେ କୋଲକାତାର ସେଣ୍ଟ ମାରି ହାଇସ୍କୁଲରେ ଝିଅଙ୍କ ପାଠପଢ଼ାକୁ ନେଇ କାର୍ଯ୍ୟ କରିବାକୁ ଲାଗିଲେ । ଏହାପରେ ସେ ସିଧାସଳଖ ଗରିବଙ୍କୁ ଉନ୍ନତମାନର ଜୀବନଶୈଳୀ ଦେବା ଓ ସେମାନଙ୍କ ସେବା କରିବାକୁ ହୃଦଙ୍ଗମ କଲେ । ଏଥିପାଇଁ ସ ନିଜର କନଭେଣ୍ଟ ଚାକିରୀକୁ ପରିତ୍ୟାଗ କରି ଦେଇ ବାହାରି ପଡ଼ିଥିଲେ ସମାଜ କରିବାକୁ ।
୧୯୪୮ ମସିହାରେ ଭାଟିକାନ ପକ୍ଷରୁ ତାଙ୍କୁ ସିଷ୍ଟର୍ସ ଅଫ୍ ଲୋରେଟୋ ଛାଡ଼ିବାକୁ ଅନୁମତି ଦିଆଯାଥିଲା । ଯାହଫଳରେ ସେ ପାଟନାରେ ଆମେରିକାନ ମେଡିକାଲ ମିଶନ ସହାୟତାରେ ବ୍ୟାପକ ଚିକିତ୍ସା ତାଲିମ ନେଇ ପାରିଥିଲେ । ମଦର ଟେରେସାଙ୍କ ମିଶନରେ ସାଥ ଦେବାକୁ ଅନେକ ଆର୍ଥିକ ସହାୟତା ପ୍ରଦାନକାରୀ ସଂସ୍ଥା ଓ ସ୍ବେଚ୍ଛାସେବୀ ସଂଗଠନ ଆଗେଇ ଆସିଥିଲେ । ୧୯୫୦ରେ ନିଜର ଏକ ସଂସ୍ଥା ତିଆରି କରିଥିଲେ ମଦର ଟେରେସା । ଏହାର ନାମ ଥିଲା ମିଶନାରିସ୍ ଅଫ୍ ଚାରିଟି ( Missionaries of Charity) । ସମାଜର ଦାରିଦ୍ର୍ୟ ସୀମା ରେଖା ତଳେ ଥିବା ଲୋକଙ୍କୁ ମାଗଣାରେ ସମସ୍ତ ସହାୟତା ଯୋଗାଇ ଦେବା ଏହାର ଥିଲା ମୂଳ ଲକ୍ଷ୍ୟ ।